• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲୀଳାମୟ ଠାକୁରଙ୍କ ରହସ୍ୟମୟ ରତ୍ନ ଭଣ୍ଡାର ଖୋଲିବା ପରେ ଏବେ ସ୍ଥିତିକୁ ନେଇ ବଢୁଛି ଉତ୍କଣ୍ଠା । କାରଣ ସମୟ ଅଭାବରୁ, ଭିତର ଭଣ୍ଡାରର ସ୍ଥିତିକୁ ନେଇ ଆଜି ଯାଞ୍ଚ ହୋଇପାରିନି ବୋଲି କମିଟି ସଦସ୍ୟ କହିଛନ୍ତି । ହେଲେ ୨୦୧୮ ମସିହାର ରିପୋର୍ଟରେ ରତ୍ନଭଣ୍ଡାର ସ୍ଥିତି ବେଶ୍ ଜରାଜୀର୍ଣ୍ଣ ଥିବାରୁ ASI ପକ୍ଷରୁ କିଭଳି ମରାମତି କରାଯିବ, କେବେଠୁ ଏହା ଆରମ୍ଭ ହେବ ତାକୁ ନେଇ କଳ୍ପନାଜଳ୍ପନା ।

ଖୋଲିଲା ରତ୍ନଭଣ୍ଡାର...ବଢୁଛି ଉତ୍କଣ୍ଠା । କେମିତି ଅଛି ରତ୍ନଭଣ୍ଡାର ? କେଉଁ ଅବସ୍ଥାରେ ଅଛି ଭିତର ଓ ବାହାର ଭଣ୍ଡାର ଘର ସ୍ଥିତି ? କେବେଠୁ ହେବ ମରାମତି ? ରତ୍ନଭଣ୍ଡାର ପ୍ରବେଶ ପୂର୍ବରୁ ହାଇଲେବୁଲ୍ କମିଟି ସଦସ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇ ସାରିଛନ୍ତି ଯେ, ଭିତର ଭଣ୍ଡାରରେ ରତ୍ନଭଣ୍ଡାର ମରାମତି କାମ ହେଲା ପରେ ହିଁ ରତ୍ନ ଅଳଙ୍କାର ହେବ ଗଣତି-ମଣତି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କହିବା ଅନୁଯାୟୀ, ରତ୍ନଭଣ୍ଡାରର ସୁରକ୍ଷା ପ୍ରସଙ୍ଗ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ହେଲେ ୟା ଭିତରେ ଏଏସ୍ଆଇ ଅଧିକ୍ଷକଙ୍କ ସହ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଟିମ୍ ତ ରତ୍ନଭଣ୍ଡାର ପ୍ରବେଶ ସହ ଯାଞ୍ଚ ବେଳେ କଣ ଦେଖିଛନ୍ତି ତାହା ସାମ୍ନାକୁ ଆସିନି, ତେବେ ଭଣ୍ଡାର ଘର ଯେ ଜରାଜୀର୍ଣ୍ଣ ସ୍ଥିତିରେ ଅଛି ତାହା ପୂର୍ବରୁ ସ୍ପଷ୍ଟ ହୋଇସାରିଛି ।

କାରଣ ୨୦୧୮ ଏପ୍ରିଲ ୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଯିବାର ନିଷ୍ଫଳ ଉଦ୍ୟମ ସମୟରେ ୧୭ ଜଣିଆ ପ୍ରାଧିକୃତ ଟିମ୍ ନଜରରେ ଯାହା ଆସିଥିଲା ତାହା ଥିଲା ଅତି ଉଦବେଗ ସୃଷ୍ଟିକାରୀ । କାରଣ ସେ ସମୟର ରିପୋର୍ଟରେ ଦର୍ଶାଯାଇଥିଲା ଯେ ଭିତର ତ ଭିତର ବାହାର ଭଣ୍ଡାରଘର ଅବସ୍ଥା ବି ଭଲ ନଥିଲା ।

ପ୍ରବେଶ ଦ୍ୱାରର ଦ୍ୱାରବନ୍ଧ ଉପରେ ଥିବା ୫ଟି ଲୁହା ବିମରୁ ୨ଟି ବିମ୍ ଖସିପଡ଼ିଥିଲା । ବାକି ୩ଟି ବିମ୍ ମଧ୍ୟ ଭଲ ଅବସ୍ଥାରେ ନଥିଲା । ଫାଟ ଏତେ ବଡ଼ ଥିଲା ଯେ ଜଗମୋହନ ମରାମତି ସମୟରେ ଗ୍ରାଉଟିଂ କରା ଯାଇଥିବା ପଦାର୍ଥ ଭଣ୍ଡାର ଘର କାନ୍ଥ ଫାଟ ଦେଇ ବାହାରକୁ ବାହାରିଥିବା ଦେଖାଯାଇଥିଲା ।

କେବଳ ସେତିକି ନୁହେଁ, ବାହାର ଭଣ୍ଡାରରୁ ଭିତର ଭଣ୍ଡାରର ଗ୍ରୀଲ ଦ୍ୱାର ବାଟେ ଟର୍ଚ୍ଚ ଲାଇଟରୁ ବି ଭିତର ଭଣ୍ଡାର କାନ୍ଥର ପ୍ଲାଷ୍ଟରରେ ଜଳ ଜଳ ଫାଟ ଦିଶୁଥିଲା । କୋରୱେଭର କେତେକ ସ୍ଥାନ ଦୁର୍ବଳ ଥିବା ଜଣାପଡୁଥିଲା । ଛାତରୁ କିଛି ପଥର ଖଣ୍ଡ ଖସି ଚଟାଣରେ ପଡ଼ିଥିବାର ଦେଖାଯାଉଥିଲା ।

ତେଣୁ ବିଗତ ୬ ବର୍ଷ ଭିତରେ ସ୍ଥିତି ଯେ ଆହୁରି ବିଗିଡ଼ି ନଥିବ କହିହେବନି । ତେଣୁ କେଉଁ ସ୍ଥାନ କେତେ ମାତ୍ରାରେ ମରାମତିର ଆବଶ୍ୟକତା ରହୁଛି ? କେମିତି ଏବଂ କେଉଁଭଳି ଭାବେ ମରାମତି ହେବ ? କେଉଁ କେଉଁ ଯାନ୍ତ୍ରିକ ଉପକରଣ ଲାଗିବ ? ମରାମତି କେତେ ଦିନ ଯାଏଁ ଚାଲିବ ?

ଏବେ ବର୍ଷା ଋତୁ ସମୟ ରତ୍ନଭଣ୍ଡାର ସ୍ଥିତି ଜାଣିବାର ପ୍ରକୃଷ୍ଟ ସମୟ । କାରଣ ଏଇ ସମୟରେ ହିଁ ଛାତର କେଉଁଠୁ କେଉଁଠୁ ପାଣି ଗଳୁଛି, କେତେ ଦୁର୍ବଳ ରହିଛି, ଜାଣିବାରେ ସମସ୍ୟା ହେବନି ? ତେଣୁ ଯୁଦ୍ଧକାଳୀନ ଭିତରେ କେତେ ଶୀଘ୍ର ମରାମତି କାମ ସରିବ, ତାହା ଏଏସ୍ଆଇ ପାଇଁ ବଡ଼ ଚ୍ୟାଲେଞ୍ଜ୍ ବୋଲି କୁହାଯାଉଛି ।

ରତ୍ନଭଣ୍ଡାର ସ୍ଥିତିକୁ ନେଇ ଦୀର୍ଘ ଦିନ ଧରି ସାରା ଜଗନ୍ନାଥପ୍ରେମୀଙ୍କ ଉଦବେଗ ଓ ଉତ୍କଣ୍ଠା ଭିତରେ ଆଜି ଯେତେବେଳେ ରତ୍ନଭଣ୍ଡାର ଖୋଲିଛି, କେବେଠୁ ମରାମତି କାମ ଆରମ୍ଭ ହେଉଛି ଏବେ ସେ ଘୋଷଣାକୁ ଅପେକ୍ଷା ।

OTV is now on Whatsapp

Join and get latest news update delivered to you via whatsapp

Join Now