/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745035026.jpg)
Chandan Yatra
ଏଥର ଚନ୍ଦନ ଯାତ୍ରାରେ ଫୁଟିବନି ବାଣ । ଚଳିତ ବର୍ଷ ପୁରୀରେ ଚନ୍ଦନ ଯାତ୍ରାବେଳେ ବାଣ ଫୁଟାଇବା ଉପରେ କଟକଣା ଲାଗିଛି । ଏଥିସହ ଚନ୍ଦନ ଯାତ୍ରାରେ ସାମିଲ ହେଉଥିବା ଭକ୍ତ ଓ ସେବକଙ୍କର ହେଲଥ୍ ଇନସ୍ୟୁରାନ୍ସ ବ୍ୟବସ୍ଥା କରାଯାଇଛି । ନରେନ୍ଦ୍ର ପୁଷ୍କରିଣୀ ବାହାରେ ଦୁଇଟି ଫାଷ୍ଟଏଡ୍ ସେଣ୍ଟର ରହିବ । ଗତକାଲି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।
ଅଧିକ ପଢ଼ନ୍ତୁ: ୨୪ ଯାଏ ତାଣ୍ଡବ ରଚିବ କାଳବୈଶାଖୀ, ଆଜି ବି ବର୍ଷିବ
ଚଳିତ ବର୍ଷର ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ମଧ୍ୟ ଚୂଡାନ୍ତ ହୋଇଛି । ନୀଳାଦ୍ରି ମହୋଦୟ ଉତ୍ସବ, ନୃସିଂହ ଜନ୍ମ ଓ ଶ୍ରୀକ୍ଷେତ୍ରେ ଭଉଁରୀ ତିଥି ପାଇଁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ହୋଇଛି । ଏହାକୁ ଛତିଶା ନିଯୋଗର ଅନୁମୋଦନ ବି ମିଳିଛି । ଗତବର୍ଷ ବାହାର ଚନ୍ଦନଯାତ୍ରାରେ ବାଣ ବିସ୍ଫୋରଣ ଅଘଟଣ ପରେ ସଜାଗ ହୋଇଛି ଶ୍ରୀମନ୍ଦିର ପ୍ରଶାସନ । ଭକ୍ତ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସେହିପରି ଗତ ଶିକ୍ଷାବର୍ଷରେ ସେବକ ପରିବାରର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାକୁ ସ୍ଥିର ହୋଇଛି । ଏଥିସହ ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୩ ଜଣ ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।
ଏଠାରେ ଉଲ୍ଲେଖଯୋଗ୍ୟ, ଶ୍ରୀକ୍ଷେତ୍ରରେ ଆସନ୍ତା ୩୦ ତାରିଖ ଅକ୍ଷୟ ତୃତୀୟାଠାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ । ଗତବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରୀ ଚନ୍ଦନ ଯାତ୍ରା ଚାଲିଥିବାବେଳେ ଭୟଙ୍କର ବାଣ ବିସ୍ଫୋରଣ ଘଟିଥିଲା । ଏହି ଅଘଟଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଲୋକ ଆହତ ହୋଇଥିଲେ । ତେଣୁ ଭକ୍ତ ତଥା ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ଚନ୍ଦନ ଯାତ୍ରା ବେଳେ ବାଣ ଫୁଟିବା ନାହିଁ ବୋଲି ନିଷ୍ପତ୍ତି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)