ଭାରତୀୟ ସମ୍ବିଧାନର ମୂଳ କପି ଆଜି ବି ସୁରକ୍ଷିତ । କପିଟି ଲେଖାଯିବା ବେଳେ ଯେମିତି ଥିଲା ଆଜି ୭୨ ବର୍ଷ ପରେ ବି ସେମିତି ସୁରକ୍ଷିତ ରହିଛି । ଏହାକୁ ଅନେକ ଯତ୍ନର ସହ ରଖାଯାଇଛି । ୨୬ ନଭେମ୍ବର ୧୯୪୯ରେ ହିନ୍ଦୀ ଏବଂ ଇଂରାଜୀରେ ଭାରତୀୟ ସମ୍ବିଧାନକୁ ସ୍ୱୀକୃତି ଦିଆଯାଇଥିଲା । ସେତେବେଳେ ଏହା ସମ୍ପୂର୍ଣ୍ଣ ରୂପେ ହସ୍ତଲିଖନ ଥିଲା । ତେବେ ସବୁଠାରୁ ବଡ଼ କଥା ହେଲା, ୭୨ ବର୍ଷ ହେବ ଏହି ମୂଳ ସମ୍ବିଧାନ କପିଟି ସେମିତି ସୁରକ୍ଷିତ ରହିଛି । ଏବେ ଏହାକୁ ସଂସଦ ଭବନର ଲାଇବ୍ରେରୀରେ ଏକ ହିଲିୟମ୍ ଗ୍ୟାସ୍ ଚାମ୍ବରରେ ରଖାଯାଇଛି । ବିଶେଷ କରି ଏହି ମୂଳ କପିଟିକୁ ସୁରକ୍ଷତି ରଖିବା ପାଇଁ ଏହି ହିଲିୟମ୍ ଗ୍ୟାସ୍ ଚାମ୍ବର ପ୍ରସ୍ତୁତ କରାଯାଇଛି ।
Also Read
ପୂର୍ବରୁ ଏହାକୁ ଏକ ଫଲାଲେନ୍ କପଡ଼ାରେ ଗୁଡ଼ାଇ ନେଫଥାଲିନ ବଟିକା ସହ ରଖାଯାଉଥିଲା । ହେଲେ ୧୯୯୪ ରେ ଭାରତ ସରକାର ମଧ୍ୟ ଆମେରିକା ଭଳି, ବଜ୍ଞାନିକ ପଦ୍ଧତିରେ ପୁସ୍ତକଟିକୁ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଯାହାକି ଅଧିକ ସୁରକ୍ଷିତ ବୋଲି କୁହାଗଲା । ତେଣୁ ଏକ ଗ୍ୟାସ ଚାମ୍ବର ପସ୍ତୁତ୍ କରାଗଲା । ଏଥିପାଇଁ ଭାରତ ସରକାର ଆମେରିକାର ଗେଟି ଇନଷ୍ଟିଚ୍ୟୁଟ୍ ସହିତ ଚୁକ୍ତି କରିଥିଲେ । ଏହାପରେ ନ୍ୟାସନାଲ୍ ଫିଜିକାଲ୍ ଲାଇବ୍ରେରୀ ଅଫ୍ ଇଣ୍ଡିଆ ଏବଂ ଗେଟି ମିଳିତ ଭାବେ ଏକ ସ୍ୱତନ୍ତ୍ର ଗ୍ୟାସ୍ ଚାମ୍ବର ପ୍ରସ୍ତୁତ କଲେ ।
ତେବେ ଏଠି ପ୍ରଶ୍ନ ଉଠିଛି, ଯେ କେବଳ ଗ୍ୟାସ ଚାମ୍ବର କାହିଁକି ? କାରଣ ହିଲିୟମ୍ ଏକ ନିଷ୍କ୍ରିୟ ଗ୍ୟାସ୍, ସେଥିରେ ରଖାଯାଇଥିବା ଜିନିଷଗୁଡିକ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରେ । ଏହା ଏମିତି ଏକ ଗ୍ୟାସ ଯିଏ କି ନିଜେ କୌଣସି କ୍ରିୟା କରେ ନାହିଁ କିମ୍ବା ଅନ୍ୟ କାହାକୁ କ୍ରିୟା କରିବାକୁ ଦିଏ ନାହିଁ । ନଚେତ୍ ପ୍ରାକୃତିକ ଦୃଷ୍ଟିକୋଣରୁ ଦେଖିଲେ ପ୍ରତ୍ୟେକ ପଦାର୍ଥ ସହିତ କାର୍ବନିକ୍ କିମ୍ବା ଅଣକାର୍ବନିକ୍ ପ୍ରତିକ୍ରିୟା ହେତୁ ସମୟାନୁକ୍ରମରେ କ୍ଷୟ ହୋଇଥାଏ । କିନ୍ତୁ ସମ୍ବିଧାନର ମୂଳ କପିକୁ ସୁରକ୍ଷିତ ରଖିବା ପାଇଁ ହିଲିୟମ୍ ଗ୍ୟାସ୍ ସହିତ ଅନେକ କିଛି ସାମିଲ କରାଯାଇଛି ।
ସୂଚନାଯୋଗ୍ୟ, ଭାରତୀୟ ସମ୍ବିଧାନକୁ କଳା ରଙ୍ଗର ସିହାଇରେ ଲେଖାଯାଇଛି । ଆଉ ସିହାଇର ଆକ୍ସିକରଣ ହୋଇଥାଏ । ଏହାର ଅର୍ଥ ସିହାଇରେ ଲେଖାଯାଇଥିବା ଅକ୍ଷରଗୁଡ଼ିକ ସମୟାନୁକ୍ରମେ ଫିକା ପଡ଼ିଥାଏ । ତେଣୁ ଏହାକୁ ପ୍ରକୃତ ଅର୍ଥରେ କହିବାକୁ ଗଲେ, ଆଦ୍ରତା ଦେବାକୁ ପଡିଥାଏ । ସମ୍ବିଧାନର ଏହି କପି ପାଇଁ ପ୍ରତି କ୍ୟୁବିକ୍ ମିଟର ପିଛା ୫୦ ଗ୍ରାମ ଆଦ୍ରତା ଆବଶ୍ୟକ ହୋଇଥାଏ । ତେଣୁ ଏୟାରଟାଇଟ୍ ଚାମ୍ବରକୁ ଏପରି ଭାବେ ପ୍ରସ୍ତୁତ କରାଯାଇଥିଲା ଯେମିତି ଏଥିରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଆଦ୍ରତା ସ୍ଥିର ଭାବେ ରହିବ ।
ପ୍ରତିବର୍ଷ ଏହି ଚାମ୍ବରରୁ ଗ୍ୟାସ୍ ବାହାର କରାଯାଇଥାଏ । ଏହାପରେ ପୁଣି ଥରେ ନୂଆ ହିଲିୟମ୍ ଗ୍ୟାସ୍ ଭର୍ତ୍ତି କରାଯାଏ । ପ୍ରତି ଦୁଇ ମାସରେ ଥରେ ଚାମ୍ବର ଯାଞ୍ଚ କରାଯାଏ । ଚାମ୍ବର ଭିତର ପରିବେଶକୁ CCTV ଦ୍ୱାରା ନିୟମିତ ତଦାରଖ କରାଯାଏ । ସମ୍ବିଧାନର ଏହି ମୂଳ କପିରେ ସମ୍ବିଧାନର ପ୍ରତ୍ୟେକ ସଦସ୍ୟଙ୍କ ଦସ୍ତଖତ ରହିଛି । ଏହା ବିଶ୍ୱର ସବୁଠାରୁ ଲମ୍ବା ଲେଖାଯାଇଥିବା ସମ୍ବିଧାନ ।
ଏହାକୁ ପ୍ରେମ ବିହାରୀ ନାରାୟଣ ରାୟଜଦା ନିଜ ହାତରେ ଲେଖିଥିଲେ । ସୁନ୍ଦର କଲିଗ୍ରାଫି ସହିତ ଇଟାଲିକ୍ ଶୈଳୀରେ ଏହା ଲେଖାଯାଇଛି । ଡେରାଡୁନ୍ର ସର୍ଭେ ଅଫ୍ ଇଣ୍ଡିଆ ଏହାର ପ୍ରକାଶନ ଦାୟିତ୍ୱ ନେଇଥିଲା । ସମ୍ବିଧାନର ମୂଳ କପିରେ ବିଭିନ୍ନ ପ୍ରକାରର, ସୁନ୍ଦର ଡିଜାଇନ୍ ଓ ଚିତ୍ରକଳା ରହିଛି । ଯାହାକୁ ସାନ୍ତିନିକେତନର ଚିତ୍ରକାର ନନ୍ଦଲାଲ ବୋଷ ଏବଂ ରାମମନୋହର ସିହ୍ନା ଆଙ୍କିଥିଲେ ।