• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜେଲରୁ ମୁକୁଳିବେ ରାଜୀବ ହତ୍ୟାକାରୀ । ୩୩ ବର୍ଷ ବନ୍ଦୀ ଜୀବନରୁ ମିଳିବ ମୁକ୍ତି । ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିବା ୬ ଦୋଷୀଙ୍କୁ ଖଲାସ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଯେଉଁ ୬ଜଣଙ୍କୁ ଜେଲରୁ ମୁକ୍ତି ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ସେମାନେ ହେଲେ ନଳିନୀ ଶ୍ରୀହରନ, ରବିଚନ୍ଦ୍ରନ୍, ସନ୍ଥନ, ମୁରୁଗାନ, ଜୟକୁମାର ଓ ରବର୍ଟ ପୟସ୍ । ପୂର୍ବରୁ ପେରାରିଭେଲାନ୍ ନାମକ ଜଣେ ଦୋଷୀ ମୁକ୍ତ ହୋଇ ସାରିଛି । ସୁପ୍ରିମକୋର୍ଟରେ ଏହି ବହୁଚର୍ଚ୍ଚିତ ମାମଲାର ବିଚାର କରି ଜଷ୍ଟିସ ବି.ଆର. ଗାଭାଇ ଓ ବି.ଭି. ନାଗରତ୍ନଙ୍କ ଖଣ୍ଡପୀଠ ଦର୍ଶାଇଛନ୍ତି । ଯେହେତୁ କେବଳ ରାଜୀବ ଗାନ୍ଧୀ ହତ୍ୟା ମାମଲା ଛଡ଼ା ଏମାନଙ୍କ ବିରୋଧରେ ଅନ୍ୟ କୌଣସି ମାମଲା ନାହିଁ, ତେଣୁ ସେମାନଙ୍କୁ ସେମାନଙ୍କୁ ମୁକ୍ତ କରାଯାଉ ।

ପୂର୍ବରୁ ଗତ ମେ ୧୮ ତାରିଖରେ ଏହି ମାମଲାର ଅନ୍ୟ ଜଣେ ଦୋଷୀ ପେରାରିଭେଲାନକୁ କୋର୍ଟ ସ୍ୱତନ୍ତ୍ର କ୍ଷମତା ବଳରେ ମୁକ୍ତ କରିଥିଲେ । ତେଣୁ ସମ୍ବିଧାନର ଧାରା ୧୪୨ ଆଧାରରେ ଅନ୍ୟ ଦୋଷୀମାନଙ୍କୁ ମଧ୍ୟ ଜେଲରୁ ମୁକ୍ତ କରାଯାଇ ପାରିବ ବୋଲି ଦର୍ଶାଇଥିଲେ ଖଣ୍ଡପୀଠ । ଜେଲରେ ଉତ୍ତମ ଆଚରଣ ପ୍ରଦର୍ଶନ, ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ, ଶିକ୍ଷାରେ ଡିଗ୍ରୀ ହାସଲ ସାଙ୍ଗକୁ ପୁସ୍ତକ ଲେଖିବା ଭଳି ବିଭିନ୍ନ କାର୍ଯ୍ୟରେ ବନ୍ଦୀମାନେ ନିଜତୁ ନିୟୋଜିତ କରିବା ନେଇ ବି କୋର୍ଟ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ଦୋଷୀଙ୍କୁ ମୁକ୍ତ କରିବା ଲାଗି ତାମିଲନାଡୁ ରାଜ୍ୟପାଳ ରାଜ୍ୟ କ୍ୟାବିନେଟ୍ ପ୍ରସ୍ତାବ ଉପରେ ଦୀର୍ଘ ବର୍ଷ ଧରି ନିଷ୍ପତ୍ତି ନେଇ ନାହାନ୍ତି, ତେଣୁ କୋର୍ଟ ଆଉ ଅପେକ୍ଷା କରିପାରିବେ ନାହିଁ ବୋଲି କହିଛନ୍ତି । ଉଭୟ ନଳିନୀ ଶ୍ରୀହରନ ଓ ରବିଚନ୍ଦ୍ରନ ଗତବର୍ଷ ଡିସେମ୍ବର ୨୭ ତାରିଖରୁ ଆଜି ପର୍ଯ୍ୟନ୍ତ ପାରୋଲରେ ଥିବାବେଳେ ଅନ୍ୟ ୪ ଜଣ ଦୋଷୀ ଜେଜଲରେ ସଜା କାଟୁଛନ୍ତି ।

ତେବେ କ’ଣ ଥିଲା ପୂରା ଘଟଣାକ୍ରମ ?

ତାମିଲ ସଂଖ୍ୟାଲଘୁଙ୍କ ପାଇଁ ସ୍ୱତନ୍ତ୍ର ଦେଶ ଦାବି କରି ଶ୍ରୀଲଙ୍କା ସରକାରଙ୍କ ସହ ଲଢୁଥିବା ଗରିଲା ସଂଗଠନ ଏଲଟିଟିଇ ରୋଶର ଶିକାର ହୋଇଥିଲେ ରାଜୀବ ଗାନ୍ଧୀ । ଶ୍ରୀଲଙ୍କାରେ ଶାନ୍ତି ରକ୍ଷା ଲାଗି ନୂଆଦିଲ୍ଲୀ ଓ କଲମ୍ବୋ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଭାରତୀୟ ଶାନ୍ତି ବାହିନୀ ଶ୍ରୀଲଙ୍କାରେ ପହଞ୍ଚିଥିଲେ । ୧୯୮୭ରୁ ୧୯୯୦ ତିନି ବର୍ଷ ଧରି ଭାରତୀୟ ସୈନ୍ୟ ଶ୍ରୀଲଙ୍କାରେ ରହିଥିଲେ, ମାତ୍ର ଏଲଟିଇକୁ ଶ୍ରୀଲଙ୍କା ସୈନ୍ୟଙ୍କ ହାତରେ ପ୍ରବଳ କ୍ଷତି ସହିବାକୁ ପଡିବା ପରେ ଭାରତୀୟ ଶାନ୍ତି ବାହିନୀକୁ ଦାୟୀ କରିଥିଲା । ତାମିଲ ଗରିଲା ସଂଗଠନ ଫଳରେ ଉଭୟଙ୍କ ମଧ୍ୟରେ ଅନେକ ଥର ସଂଘର୍ଷର ସୂତ୍ରପାତ ହୋଇଥିଲା, ଯାହାକୁ ନେଇ ଭାରତ ୧୯୯୦ରେ ନିଜ ସୈନ୍ୟଙ୍କୁ ଫେରାଇ ଆଣିଥିଲା । ଏହାସତ୍ତ୍ୱେ ପ୍ରଶମିତ ହୋଇନଥିଲା ଏଲଟିଟିଇର କ୍ରୋଧ, ଆଉ ଯାହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ୧୯୯୧ ଶ୍ରୀପେରୁମ୍ବଦୁର ନିର୍ବାଚନୀ ସଭାରେ ।

୧୯୯୧ ମସିହା ମେ ୨୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ତାମିଲନାଡୁର ଶ୍ରୀପେରାମବଦୁରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିବାବେଳେ ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇଥିଲେ ରାଜୀବ ଗାନ୍ଧି । ଫୁଲମାଳ ପିନ୍ଧାଇଥିବା ଜଣେ ମହିଳାଙ୍କୁ ମାନବ ବୋମା ସଜାଇ ରାଜୀବଙ୍କୁ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା ଶ୍ରୀଲଲଙ୍କାରେ ତାମିଲଙ୍କ ଲାଗି ସ୍ୱତନ୍ତ୍ର ଦେଶ ଦାବି କରୁଥିବା LTTE । ଏହି ବିସ୍ଫୋରଣରେ ରାଜୀବ ଗାନ୍ଧୀଙ୍କ ସମେତ ୧୮ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ମାମଲାରେ ମୋଟ୍ ୪୧ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା, ସେମାନଙ୍କ ମଧ୍ୟରୁ ୧୨ଜଣଙ୍କ ମୃତ୍ୟୁହୋଇଥିବା ବେଳେ ୩ଜଣ ଫେରାର ହୋଇଯାଇଥିଲେ ।

୨୬ ଜଣଙ୍କୁ ଗିରଫ କରାଯାଇଥିଲା ଦୀର୍ଘ ୭ବର୍ଷର ଲମ୍ବା ବିଚାର ପ୍ରକ୍ରିୟା ପରେ ୧୯୯୮ ଜାନୁଆରୀ ୨୮ରେ ଟାଡା କୋର୍ଟ ଦୋଷୀମାନଙ୍କୁ ମୃତ୍ୟ ଦଣ୍ଡାଦେଶ ଶୁଣାଇଥିଲେ । ତେବେ ସୁପ୍ରିମକୋର୍ଟରେ ୧୯ଜଣ ଦୋଷମୁକ୍ତ ହୋଇଥିବା ବେଳେ ୭ଜଣଙ୍କୁ ମୃତ୍ୟୁ ଦଣ୍ଡ ହୋଇଥିଲା ।

ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ୨୦୦୦ ମସିହାରେ ରାଜୀବଙ୍କ ପତ୍ନୀ ତଥା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ହସ୍ତକ୍ଷେପ ପରେ ନଳିନୀର ମୃତ୍ୟୁ ଦଣ୍ଡାଦେଶ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା । ୨୦୦୮ରେ ରାଜୀବଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ବି ଭେଲୋର ଜେଲକୁ ଯାଇ ନଳିନୀକୁ ସାକ୍ଷାତ କରିଥିଲେ । ଏହାପରେ ୨୦୧୪ରେ ଅନ୍ୟ ୬ ଦୋଷୀଙ୍କ ମୃତ୍ୟୁ ଦଣ୍ଡକୁ ମଧ୍ୟ ଆଜୀବନ କାରାଦଣ୍ଡାରେ ବଦଳାଇ ଦିଆଯାଇଥିଲା ।

ଦୋଷୀଙ୍କୁ ମୁକ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତା ନିଜେ ପ୍ରଚେଷ୍ଟା ଆରମ୍ଭ କରିଥିଲେ । ଅନ୍ୟପକ୍ଷରେ ରାଜୀବ ହତ୍ୟାକାରୀଙ୍କୁ ମୁକ୍ତ କରିବା ଲାଗି ଉଭୟ ଡିଏମକେ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଥିଲା । ରାଜୀବ ହତ୍ୟା ଷଡ଼ଯନ୍ତ୍ରରେ ମୃତ୍ୟୁଦଣ୍ଡ ପାଇଥିବା ଦୋଷୀଙ୍କର ବିଶେଷ ଭୂମିକା ନଥିଲା, ବରଂ ହତ୍ୟା ଯୋଜନା ବିଷୟରେ ନଜାଣି ଏମାନେ ଷଡ଼ଯନ୍ତ୍ରରେ ସାମିଲ ହୋଇଯାଇଥିଲେ ବୋଲି ଦାବି କରାଯାଉଥିଲା ।