• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଡେଲ୍‌ ପରି ଚେହେରା, ତନୁପାତେଳି ଶରୀର ଆଉ ହରିଣୀ ଚାହାଣୀ । ହଲିଉଡ୍‌ ସିନେମାର ଅଭିନେତ୍ରୀମାନେ ପଛରେ ପଡ଼ିଯିବେ । ଆଉ ତାଙ୍କ ରୂପ ଲାବଣ୍ୟ ପାଇଁ ଆସୁଛି ତୁହାକୁ ତୁହା ମଡେଲିଂ ଅଫର୍‌ । ତଥାପି ସେ ମଡେଲିଂ କରିବାକୁ ଚାହାନ୍ତି ନାହିଁ କି ଟଙ୍କା ପ୍ରତି ଲୋଭ ନାହିଁ । ଖାକି ବର୍ଦ୍ଦ ହିଁ ତାଙ୍କର ପରିଚୟ ଓ ସ୍ୱାଭିମାନ । ତାଙ୍କୁ ବିଶ୍ୱର ସବୁଠାରୁ ସୁନ୍ଦରୀ ପୋଲିସ୍‌ ବୋଲି କୁହାଯାଏ । ସୌନ୍ଦର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଜଣେ ମହିଳା ପୋଲିସ ଅଧିକାରୀ କିନ୍ତୁ ଏସବୁ ଉର୍ଦ୍ଧ୍ୱରେ । ସେ କହନ୍ତି, ଲୋକଙ୍କ ସେବା ହିଁ ମୋ ପାଇଁ ଗର୍ବର ବିଷୟ।

ବିଶ୍ୱର ସବୁଠାରୁ ସୁନ୍ଦରୀ ମହିଳା ପୋଲିସ ଅଧିକାରୀଙ୍କ ନାମ ହେଉଛି ଡାଏନା ରାମିରେଜ । ସେ କଲମ୍ବିଆ ପୋଲିସରେ କାର୍ଯ୍ୟରତ । ମେଡେଲିନ୍ ରାସ୍ତାରେ ପ୍ରାୟ ସମୟରେ ତାଙ୍କୁ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳେ । କାମରେ ଖୁବ୍‌ ଦକ୍ଷ ସେ । ଲୋକମାନେ ସୋସିଆଲ ମିଡିଆରେ ତାଙ୍କୁ 'ଦୁନିଆର ସବୁଠାରୁ ସୁନ୍ଦର ମହିଳା ପୋଲିସ ଅଫିସର' ଟ୍ୟାଗ୍ ଦେଇଛନ୍ତି । ଆଉ ତାଙ୍କର ସେହି ରୂପ ଦେଖି ଅନେକ ଅଫର୍‌ ଆସୁଛି । ହେଲେ ସେ କେବେ କର୍ତ୍ତବ୍ୟରୁ ଓହରି ଆଉ କିଛି ବୃତ୍ତିକୁ ବାଛି ନାହାନ୍ତି । ପୁଳା ପୁଳା ଟଙ୍କା ମୋହରେ ମଡେଲ୍‌ କିମ୍ବା ଅନଲାଇନ୍‌ ଇନଫ୍ଲ୍ୟୁଏନ୍ସର ହେବାକୁ ମନ ବଳାଇ ନାହାନ୍ତି ।

ତଥାପି ସୋସିଆଲ ମିଡିଆରେ ତାଙ୍କର ଲୋକପ୍ରିୟତା କହିଲେ ନସରେ । ଇନଷ୍ଟାଗ୍ରାମରେ ତାଙ୍କର ପ୍ରାୟ ୪ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ବିଭିନ୍ନ ସମୟରେ ପ୍ରଶଂସକଙ୍କ ସହିତ ଫଟୋ ଏବଂ ଭିଡିଓ ସେୟାର୍ କରନ୍ତି । ଅନେକ ସମୟରେ ୟୁନିଫର୍ମରେ ପୋଜ୍ ଦେଇଥିବା ଫଟୋ ସେୟାର କରନ୍ତି । ଡାଏନାଙ୍କୁ ନିକଟରେ ଇନଷ୍ଟାଫେଷ୍ଟ୍‌ ପାଇଁ ମନୋନୀତ କରାଯାଇଛି । ଆଉ ଏହି ପୁରସ୍କାର ବର୍ଷର ଶ୍ରେଷ୍ଠ ପୋଲିସ କିମ୍ବା ସାମରିକ କ୍ଷେତ୍ରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ । ଏହି ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଏପରି ବୃତ୍ତିରେ କାମ କରୁଥିବା ଲୋକଙ୍କୁ ଉତ୍ସାହିତ କରିବା, ଯେଉଁମାନେ ଡିଜିଟାଲ୍ କଣ୍ଟେଣ୍ଟ୍‌ ତିଆରି ପରି ବଡ଼ ସଂଖ୍ୟାରେ ପ୍ରଶଂସକ ସୃଷ୍ଟି କରିପାରିଛନ୍ତି ।

ତେବେ ଡାଏନା କହିଛନ୍ତି, ଯଦି ମୋତେ ପୁଣି ଥରେ କ୍ୟାରିୟର ବାଛିବା ପାଇଁ ସୁଯୋଗ ମିଳେ, ତେବେ ମୁଁ ପୁଣି ଥରେ ଜଣେ ପୋଲିସ୍ ଅଧିକାରୀ ହେବାକୁ ଚାହିଁବି । ମୋ ଚାକିରି ମୋ ପାଇଁ ବଡ଼ । ଏହି ବୃତ୍ତିରେ ହିଁ ମୋତେ ସନ୍ତୋଷ ମିଳୁଛି । ଚାକିରି ଛାଡ଼ିବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି ।