• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ସଭ୍ୟ ପଦ୍ଦ ରଦ୍ଦ । ୪ବର୍ଷ ତଳର ‘ମୋଦି ସରନେମ୍’ ମାନହାନୀ ମୋକଦ୍ଦମା ମାମଲାରେ  ସୁରତ କୋର୍ଟଙ୍କ ୨ ବର୍ଷ ଦଣ୍ଡାଦେଶରେ ଆଜି ଲୋକସଭା ସଚିବାଳୟ ପ୍ରକାଶ କରିଛି ସଭ୍ୟ ପଦ ରଦ୍ଦ ବିଜ୍ଞପ୍ତି । ପ୍ରତିକ୍ରିୟାରେ ରାହୁଲ 
କହିଛନ୍ତି, ଭାରତର ସ୍ୱର ପାଇଁ ଲଢ଼େଇ କରୁଛି, ସବୁ ମୂଲ୍ୟ ଦେବାକୁ ପ୍ରସ୍ତୁତ । ତେଣେ ବିଜେପିକୁ କଂଗ୍ରେସର ନିଶାନାର ଜବାବ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କଂଗ୍ରେସ ଚାହେଁ ନିଜ ପାଇଁ ଅଲଗା ଆଇନ ।

ରାହୁଲ ଗାନ୍ଧି ଲୋକସଭାରୁ ଡିସକ୍ୱାଲିଫାଏ । ସାଂସଦ ପଦ ରଦ୍ଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲୋକସଭା ସଚିବାଳୟ ପକ୍ଷରୁ  ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ସମ୍ବିଧାନର ଧାରା ୧୦୨ (୧) (ଇ) ଅନୁଯାଇ କେରଳ ୱାଇନାଡର କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ହୋଇଛି ଆକ୍ସନ । ଏକ ମାନହାନୀ ମୋକଦ୍ଦମା ମାମଲାରେ ସୁରତର ଚିଫ୍ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟ ରାହୁଲ ଗାନ୍ଧୀଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ଲୋକ ପ୍ରତିନିଧି ଆଇନ ୧୯୫୧, ସେକ୍ସନ ୮ ଅନୁଯାୟୀ ହୋଇଛି ତାଙ୍କ ସଦସ୍ୟ ପଦ ରଦ୍ଦ ହୋଇଛି ।

ତେବେ ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା ପରେ ଦେଶବ୍ୟାପୀ କଂଗ୍ରେସ ଶିବିରରେ ସୃଷ୍ଟି ହୋଇଛି କଂପନ । ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ପ୍ରତିବାଦ କରି ସିଧା ରାସ୍ତାକୁ ଓହ୍ଲାଇଛନ୍ତି ଦଳୀୟକର୍ମୀ । ଦିଲ୍ଲୀରେ ସଂସଦ ଭବନ ଆଗରେ ବି ଦେଖିବାକୁ ମିଳିଛି ପ୍ରତିବାଦର ଚିତ୍ର ।

ସେପଟେ ରାହୁଲ ଗାନ୍ଧୀ ଟ୍ୱିଟରରେ ପ୍ରତିକ୍ରିୟା ରଖି କହିଛନ୍ତି - ‘ମୁଁ ଭାରତର ସ୍ୱର ପାଇଁ ଲଢ଼େଇ କହୁଛି । ସବୁ ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛି’ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି- ସଂସଦରେ ସତ୍ୟ କହୁଥିବା ଲୋକକୁ ସଜା ମିଳିଛି । 

ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କହିଛି - ରାହୁଲ ଉଭୟ ସଂସଦ ଭିତରେ ଓ ବାହାରେ ସତ୍ୟ କହୁଛନ୍ତି । ତାଙ୍କ ବିରୋଧରେ  ହୋଇଥିବା ଷଡ଼ଯନ୍ତ୍ର ବିପକ୍ଷରେ ଦଳ ଉଭୟ ରାଜନୈତିକ ଓ ଆଇନଗତ ଲଢ଼େଇ ଜାରି ରଖିବ । ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବୃଦ୍ଧିକୁ ସହ୍ୟ କରିନପାରି ତାଙ୍କ ବିରୋଧରେ ଇଏ ଏକ ବଡ଼ ଷଡ଼ଯନ୍ତ୍ର ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ।

ସେହିପରି ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ୱିଟ୍ କରି ସିଧା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଶାନା କରି ଲେଖିଛନ୍ତି- ‘ଆପଣ ମୋ 
ପରିବାରକୁ ପରିବାରବାଦୀ କହୁଛନ୍ତି’ ହେଲେ ‘ଆମ ପରିବାର ଲୋକତନ୍ତ୍ର ପାଇଁ ବଳିଦାନ ଦେଇଛି’ । ଜଣେ ସହିଦ ପ୍ରଧାନମନ୍ତ୍ରୀଙ୍କ ପୁଅକୁ ଦେଶଦ୍ରୋହୀ କୁହାଯାଉଛି । ଯାହା ଅତ୍ୟନ୍ତ ନିନ୍ଦନୀୟ ।

ଏଣେ କଂଗ୍ରେସକୁ କଡ଼ା ଜବାବ ଦେଇଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅତି ଅପଶବ୍ଦ ବ୍ୟବହାର କରିଥିଲେ । କୋର୍ଟଙ୍କ ରାୟ ଅନୁସାରେ ତାଙ୍କ ସଦସ୍ୟ ପଦ୍ଦ ରଦ୍ଦ ହୋଇଛି । ହେଲେ ଆଜି କଂଗ୍ରେସ ନିଜ ପାଇଁ ଅଲଗା ଆଇନ ଚାହୁଁଛି । ‘ଏଥିରେ କୋହଳ ଆଣିବାକୁ ତାଙ୍କ ଦଳ ୨୦୧୩ରେ ଅଧ୍ୟାଦେଶ ଆଣିଥିଲେ । ହେଲେ ସେ ଅଧ୍ୟାଦେଶକୁ ନନସେନ୍ସ କହି ସଂସଦରେ ଚିରି ଦେଇଥିଲେ ରାହୁଲ ଗାନ୍ଧି । ଆଜି ଉକ୍ତ ଆଇନ ଦ୍ୱାରା ସ୍ୱୟଂ ଦଣ୍ଡିତ ହେବାରୁ, ପ୍ରତିକ୍ରିୟା ଜଣାଉଛନ୍ତି ।

ମାତ୍ର କେଇ ମୁହୂର୍ତ୍ତରେ ସାଂସଦରୁ ହଠାତ୍ ପୂର୍ବତନ ସାଂସଦ ହୋଇଗଲେ ରାହୁଲ ଗାନ୍ଧି । କାହିଁକି ତାଙ୍କ ବିରୋଧରେ ହେଲା ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ? କଣ ଥିଲା ସେ ମାନହାନି ମୋକଦ୍ଦମା ? ଘଟଣା ୨୦୧୯ ଏପ୍ରିଲ ୧୩ ତାରିଖର । କର୍ଣ୍ଣାଟକ କୋଲାରରେ  ନିର୍ବାଚନୀ ପ୍ରଚାର ବେଳେ କଂଗ୍ରସ ନେତା ରାହୁଲ ଗାନ୍ଧି କହିଥିଲେ, ସବୁ ଚୋରଙ୍କର ସାଙ୍ଗିଆ ମୋଦି କାହିଁକି ? ନୀରବ ମୋଦି ଓ  ଲଳିତ ମୋଦି ପ୍ରସଙ୍ଗ ଉଠାଇବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ଟାର୍ଗେଟ୍ କରିଥିଲେ ରାହୁଲ ।

ତେବେ ତାଙ୍କର ଏଭଳି ମନ୍ତବ୍ୟ ଉପରେ କଡ଼ା ଆପତ୍ତି ଉଠାଇ ଏତଲା ଦେଇଥିଲେ ବିଜେପି ବିଧାୟକ ତଥା ଗୁଜରାଟର ତତ୍କାଳୀନ ମନ୍ତ୍ରୀ ପୁର୍ଣ୍ଣେଶ ମୋଦି । ଏହାପରେ ଆଇପିସି ଧାରା ୪୯୯ ଓ ୫୦୦ ଆଧାରରେ ରାହୁଲଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲା ରୁଜୁ କରାଯାଇଥିଲା । ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରି ଗତକାଲି ସୁରତର ଚିଫ୍ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟ ରାହୁଲ  ଗାନ୍ଧୀଙ୍କୁ ୨ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ଯେଉଁ ଆଧାରରେ ଆଜି ରାହୁଲଙ୍କ ସଦସ୍ୟ ପଦ୍ଦ ରଦ୍ଦ ହୋଇଛି। ଏଥିସହ ୨ ବର୍ଷ ଜେଲ୍ ଅବଧି ସରିବା ପରେ ଆଗାମୀ ୬ ବର୍ଷ ପାଇଁ ସେ ନିର୍ବାଚନ ଲଢ଼ିପାରିବେ ନାହିଁ । 

ତେଣୁ ଆସନ୍ତା ୨୦୨୪ ନିର୍ବାଚନ ରାହୁଲ ଲଢ଼ିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଯଦି ହାଇକୋର୍ଟରୁ ରାହୁଲଙ୍କୁ ଆଶ୍ୱସ୍ତି ନ ମିଳେ,  ତାହାଲେ  ଆଗାମୀ ୮ ବର୍ଷ ପାଇଁ ମଧ୍ୟ ସେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ଦୂରେଇ ରହିବେ ।

ଗାନ୍ଧୀ ପରିବାରରେ ସାଂସଦ ସଦସ୍ୟ ପଦ ରଦ୍ଦ ନୂଆ ନୁହେଁ । ପୂର୍ବରୁ ୧୯୭୮ରେ ରାହୁଲଙ୍କ ଜେଜେ ମାଆ ତଥା ପୂର୍ବତନ  ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସଦସ୍ୟ ପଦ ହରାଇଥିବାବେଳେ ୨୦୦୬ ମସିହାରେ ଅଫିସ୍ ଅଫ ପ୍ରଫିଟ୍ ଅଭିଯୋଗରେ ମାଆ ସୋନିଆଙ୍କର ବି ଲୋକସଭା ସଦସ୍ୟ ପଦ୍ଦ ରଦ୍ଦ ହୋଇଥିଲା ।

(ରିପୋର୍ଟ- ବ୍ୟୁରୋ ଇନପୁଟ୍ ସହ ଦିଲ୍ଲୀରୁ ଶିବାନନ୍ଦ ରାଉତ)