• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସାଧାରଣତଃ ଲୋକମାନେ ନିଜଜାତିରେ ବିବାହ କରିବାକୁ ପସନ୍ଦ କରିଥା’ନ୍ତି । ଯଦି କୌଣସି ବ୍ୟକ୍ତି ଅନ୍ୟ ଜାତିରେ ବିବାହ କରନ୍ତି ତେବେ ସମାଜ ତାକୁ ଠିକ୍‌ ଦୃଷ୍ଟିରେ ଦେଖିନଥାଏ । ଗୋଟିଏ ଜାତିର ଝିଅ ଯଦି ଅନ୍ୟ ଜାତିରେ ବିବାହ କରେ ତେବେ ଅନେକ ସମୟରେ ନିର୍ଯାତନାର ଖବର ସାମ୍ନାକୁ ଆସିଥାଏ । ଏମିତିକି ନିର୍ଯାତନା ଯୋଗୁ କିଛି ନବବଧୂଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ ।

ଜାତିପ୍ରଥା ଓ କିଛି ଅନ୍ଧ ବିଶ୍ୱାସକୁ ଦୃଷ୍ଟିରେ ରଖି ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଲୋକଙ୍କ ମନରୁ ଏହା ଦୂରକରିବାକୁ ଏକ ଭିନ୍ନ ପ୍ରୟାସ କରିଛନ୍ତି ରାଜସ୍ଥାନ ସରକାର । ଯଦି ଜଣେ ବ୍ୟକ୍ତି ଅନ୍ୟ ଏକ ଜାତିରେ ବିବାହ କରେ ତେବେ ସେଥିପାଇଁ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ପୂର୍ବରୁ ମଧ୍ୟ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଥିଲା । ହେଲେ ବର୍ତ୍ତମାନ ସରକାର ଏହି ପ୍ରୋତ୍ସାହନ ରାଶିକୁ ଦ୍ୱିଗୁଣିତ କରିଛନ୍ତି ।

ସରକାରଙ୍କ ନିୟମ ଅନୁସାରେ ଏହା ପୂର୍ବରୁ ୫ଲକ୍ଷ ଟଙ୍କା ମଧ୍ୟରେ ସୀମିତଥିଲା । ହେଲେ ଏହି ରାଶିକୁ ବଢ଼ାଇ ରାଜସ୍ଥାନ ସରକାର ୧୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ଯାହାଦ୍ୱାରା ଭିନ୍ନ ଜାତିରେ ବିବାହ କରୁଥିବା ନବଦମ୍ପତି ଏହି ସୁବିଧା ପାଇପାରିବେ ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଚଳିତ ବର୍ଷ ବଜେଟ୍‌ରେ ଏହା ଘୋଷଣା କରିଥିଲେ । ହେଲେ ଗତକାଲି ଅର୍ଥାତ୍‌ ଗୁରୁବାର ଦିନ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଦିଆଯାଇଥିବା ସୂଚନା ଅନୁସାରେ ସରକାରଙ୍କ ପକ୍ଷରୁ ୧୦ଲକ୍ଷ ଟଙ୍କା ଦମ୍ପତିଙ୍କୁ ମିଳିବ । ହେଲେ ୫ଲକ୍ଷ ଟଙ୍କା ବ୍ୟାଙ୍କ ଖାତାକୁ ଆସିବା ସହ ଅନ୍ୟ ୫ଲକ୍ଷ ଟଙ୍କା ଆଗାମୀ ୮ ବର୍ଷ ପାଇଁ ବ୍ୟାଙ୍କ ଆକାଉଣ୍ଟରେ ସେଭିଂ ହୋଇରହିବ ।

୨୦୦୬ରେ ଏହି ଯୋଜନା ଆରମ୍ଭ କରିଥିଲେ ରାଜସ୍ଥାନ ସରକାର । ସେହି ସମୟରେ ପ୍ରୋତ୍ସାହନ ରାଶି ୫୦,୦୦୦ ଟଙ୍କା ରଖାଯାଇଥିଲା । ପରେ ପରେ ଏହାକୁ ବଢ଼ାଇ ୫ଲକ୍ଷ ଟଙ୍କା ଘୋଷଣା କରିଥିଲେ ରାଜସ୍ଥାନ ସରକାର । ହେଲେ ଏବେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହି ଯୋଜନା କରିଛନ୍ତି। ଯେଉଁଥିରେ ରାଜ୍ୟ ସରକାର ୭୫ ପ୍ରତିଶତ ଅର୍ଥ ଦେଉଥିବା ବେଳେ କେନ୍ଦ୍ର ସରକାର ୨୫ ପ୍ରତିଶତ ଅର୍ଥ ଦେଉଛନ୍ତି ।