Advertisment

ଯୁଦ୍ଧକ୍ଷେତ୍ରରେ ତୋପ ସମ୍ଭାଳିବେ ମହିଳା : ଶତ୍ରୁ ଶିବିରରେ ସୃଷ୍ଟି କରିବେ କଂପନ

ସ୍ଥଳସେନା ଆର୍ଟିଲେରି ରେଜିମେଣ୍ଟରେ ହେବେ ସାମିଲ । ସ୍ଥଳସେନା ମୁଖ୍ୟଙ୍କ ସୂଚନା ପରେ ଉତ୍ସାହର ଲହରି ।

author-image
Prangyan Parimita
ଅଦ୍ୟତନ ହୋଇଛି
Women Officers In Indian Army

special report

ଭାରତୀୟ ସେନା ଆର୍ଟିଲେରି ରେଜିମେଣ୍ଟରେ ସାମିଲ ହେବେ ମହିଳା ଅଫିସର୍ । ଏହି ଲଢ଼ୁଆ ରେଜିମେଣ୍ଟରେ ସାମିଲ ହେବାକୁ ଯାଉଛନ୍ତି ଭାରତୀୟ ସେନାର ମହିଳା ଅଧିକାରୀ । ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଗତକାଲି ଏହି ବଡ଼ ଘୋଷଣା କରିଛନ୍ତି । ସ୍ଥଳସେନା ଦିବସର ଅବ୍ୟବହିତ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଜେନେରାଲ୍ ପାଣ୍ଡେ କହିଛନ୍ତି ଯେ, ଭାରତୀୟ ସେନାର ଆର୍ଟିଲେରି ରେଜିମେଣ୍ଟରେ ମହିଳା ଅଧିକାରୀଙ୍କୁ ନିୟୋଜିତ କରାଯିବ ।

Advertisment

ଏଥିପାଇଁ ସେନା ପକ୍ଷରୁ ସରକାରଙ୍କୁ ଏକ ପ୍ରସ୍ତାବ ପଠାଯାଇଛି । ଶୀଘ୍ର ଏହି ପ୍ରସ୍ତାବ ମଂଜୁର ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଯୁଦ୍ଧସ୍ଥିତିରେ ସେନାକୁ ଘାତକ ବଳ ଯୋଗାଉଥିବା ଆର୍ଟିଲେରି ରେଜିମେଣ୍ଟ ହେଉଛି ସ୍ଥଳସେନାର ଦ୍ୱିତୀୟ ବୃହତ ବିଭାଗ । ଏଥିରେ କ୍ଷେପଣାସ୍ତ୍ର, ବନ୍ଧୁକ, ମୋର୍ଟାର୍, ରକେଟ୍ ଲଞ୍ଚର ଏବଂ ମାନବ ବିହୀନ ବାୟୁଯାନ ବା ଡ୍ରୋନ୍ ଆଦି ସାମିଲ ରହିଛି । ଏଗୁଡ଼ିକୁ ଆର୍ମ ଅଫ୍ ଡିସିସନ୍ ବା ନିର୍ଣ୍ଣାୟକ ଯୁଦ୍ଧାସ୍ତ୍ର ମଧ୍ୟ କୁହାଯାଏ । ଏଭଳି ବିଭାଗରେ ମହିଳା ଅଧିକାରୀଙ୍କୁ ସାମିଲ କରାଗଲେ, ସେନାରେ ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ ଯୋଡ଼ିହେବ ବୋଲି ଆଶା କରାଯାଉଛି ... ।

କେବଳ ଏତିକି ନୁହେଁ, ସେନାରେ ମହିଳା ମାନେ ଖୁବ୍ ଭଲ କାର୍ଯ୍ୟଦକ୍ଷତାର ପ୍ରଦର୍ଶନ କରିଛନ୍ତି ବୋଲି ପ୍ରଶଂସା କରିଛନ୍ତି ସେନାମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ । ଏଥିସହ ନିକଟରେ ସିଆଚେନ୍ ଗ୍ଲେସିୟରରେ ନିୟୋଜିତ ହୋଇଥିବା ପ୍ରଥମ ମହିଳା ସେନାଧିକାରୀ କ୍ୟାପଟେନ ଶିବା ଚୌହାନଙ୍କ କଥା ଉଲ୍ଲେଖ କରିଛନ୍ତି । ସିଆଚେନ୍ ହେଉଛି ବିଶ୍ୱର ସର୍ବୋଚ୍ଚ ଯୁଦ୍ଧଭୂମି, ଯାହାକି ଏବେ ବରଫାବୃତ ରହିଛି । ଏବେ ସିଆଚେନରେ ତାପମାତ୍ରା ମାଇନସ୍ ୨୦ ଡିଗ୍ରୀ । ସେହିପରି ୨୫ ମହିଳାଙ୍କୁ ନେଇ ଗଠିତ ଅଲ୍-ଓ୍ୱିମେନ୍ ୟୁଏନ୍ ପିସ୍ କିପିଂ କଣ୍ଟିନ୍ଜେଣ୍ଟଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ସ୍ଥଳସେନା ମୁଖ୍ୟ ... ।

Advertisment

ଭାରତୀୟ ସ୍ଥଳସେନାରେ ଏବେ ଅଛନ୍ତି ୧ହଜାର ୭୦୫ ମହିଳା ଅଫିସର୍ । ୧୯୫୮ରେ ପ୍ରଥମେ ଆର୍ମି ମେଡିକାଲ୍ କୋରରେ ମହିଳାଙ୍କୁ ସାମିଲ କରାଯାଇଥିବା ବେଳେ, ସମୟକ୍ରମେ ଆଉ ୧୦ଟି ବିଭାଗରେ ମଧ୍ୟ ମହିଳା କାର୍ଯ୍ୟରତ ଅଛନ୍ତି । ସେଗୁଡ଼ିକ ହେଲା- କୋର୍ ଅଫ୍ ଇଞ୍ଜିନିୟର୍ସ, କୋର୍ ଅଫ୍ ସିଗନାଲ୍ସ, ଆର୍ମି ଏୟାର୍ ଡିଫେନ୍ସ, ଆର୍ମି ସର୍ଭିସ୍ କୋର୍, ଆର୍ମି ଅର୍ଡିନାନ୍ସ କୋର୍, କୋର୍ ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ମେକାନିକାଲ୍ ଇଞ୍ଜିନିୟର୍ସ, ଆର୍ମି ଏଭିଏସନ୍ କୋର୍, ଇଣ୍ଟଲିଜେନ୍ସ କୋର୍, ଜଜ୍ ଆଡଭୋକେଟ୍ ଜେନେରାଲ୍ ବ୍ରାଞ୍ଚ ଏବଂ ଆର୍ମି ଏଜୁକେସନ୍ । ଅର୍ଥାତ୍ ଡାକ୍ତର, ଇଞ୍ଜିନିୟର, ସିଗ୍ନାଲ୍, ଇଲେକ୍ଟ୍ରୋନିକ୍ସ ଠୁ ଆରମ୍ଭ କରି ଗୁଇନ୍ଦା ଓ ଶିକ୍ଷା ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ମହିଳାଙ୍କୁ ସାମିଲ କରାଯାଇଥିଲେ ବି ଏପର୍ଯ୍ୟନ୍ତ କମ୍ବାଟ୍ ଷ୍ଟ୍ରିମ୍ ବା ଲଢ଼ୁଆ ଶାଖାରେ ସେମାନଙ୍କୁ ସାମିଲ କରାଯାଇନାହିଁ । ଇନଫାଣ୍ଟ୍ରି, ଆର୍ମର୍ଡ, ଆର୍ଟିଲେରି ଓ ମେକାନାଇଜ୍ଡ ଇନଫାଣ୍ଟ୍ରି ରେଜିମେଣ୍ଟରେ ମହିଳା ନାହାନ୍ତି । ତେବେ ସ୍ଥଳସେନା ମୁଖ୍ୟଙ୍କ ସୂଚନା ପରେ ଦେଶର ନାରୀଶକ୍ତିଙ୍କ ମଧ୍ୟରେ ନୂଆ ଆଶାର ସଞ୍ଚାର ହୋଇଛି ... ।

ଭାରତୀୟ ବାୟୁସେନା ୨୦୧୬ ଜୁନରେ ପ୍ରଥମେ ୩ଜଣ ମହିଳା ଫାଇଟର୍ ପାଇଲଟଙ୍କୁ ନିଯୁକ୍ତି ଦେଇଥିଲା । ଏପର୍ଯ୍ୟନ୍ତ ୧୫ ଜଣ ଫାଇଟର୍ ପାଇଲଟ୍ ଏୟାର୍ଫୋର୍ସରେ ସାମିଲ ହୋଇସାରିଲେଣି । ଗତମାସ ଭାରତୀୟ ନୌସେନା ମଧ୍ୟ ଘୋଷଣା କରିଥିଲା ଯେ, ୨୦୨୩ ଠାରୁ ସବମରିନ୍ ବା ବୁଡ଼ା ଜାହାଜ ସମେତ ସବୁ ବିଭାଗରେ ମହିଳା ଅଧିକାରୀ ଏବଂ PBROଙ୍କୁ ସାମିଲ ହେବା ପାଇଁ ସୁଯୋଗ ମିଳିବ ।

Women Officers Indian Army
Advertisment
Advertisment