ମହାରାଷ୍ଟ୍ରର ନାସିକ-ଶିରିଡ଼ି ହାଇୱେରେ ଆଜି ସକାଳେ ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକ୍ ସହ ବସ୍ ଧକ୍କା ହେବାରୁ ଏହି ଦୁର୍ଘଟଣା ହୋଇଛି। ଫଳରେ ଘଟଣାସ୍ଥଳରେ ୧୦ ଭକ୍ତଙ୍କର ମୃତ୍ୟୁ ହୋଇଛି। ଏଥିରେ କିଛି ଭକ୍ତ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସାଇ ବାବା ଭକ୍ତଙ୍କୁ ନେଇ ଯାଉଥିବା ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା, ୨ ଜଣ ଶିଶୁ ଓ ଜଣେ ପୁରୁଷ ଅଛନ୍ତି।
Maharashtra | 10 people died and several others injured after a bus carrying Sai Baba devotees collided with a truck near Pathare on Nashik-Shirdi Highway: Nashik Police pic.twitter.com/Xel2Irb0vc
— ANI (@ANI) January 13, 2023
ସୂଚନା ଅନୁସାରେ, ପ୍ରାୟ ୫୦ ଭକ୍ତଙ୍କୁ ନେଇ ଏକ ପ୍ରାଇଭେଟ୍ ଲକ୍ଜୁରୀ ବସ୍ ଥାନେ ଜିଲ୍ଲାର ଅମ୍ବରନାଥରୁ ଯାତ୍ରା ଆରମ୍ଭ କରିଥିଲା। ଅହମଦନଗର ଜିଲ୍ଲାର ଶିରିଡ଼ି ସାଇବାବାଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ ଆଜି ସକାଳ ପ୍ରାୟ ସାଢ଼ ୬ଟା ବେଳେ ପାଥେର ଶିଭର ନିକଟରେ ଏକ ଟ୍ରକ୍ ସହ ବସ୍ ଧକ୍କା ହୋଇଥିଲା।
#ଭୟଙ୍କର_ଦୁର୍ଘଟଣା
— ଓଟିଭି (@otvkhabar) January 13, 2023
ନାସିକ-ଶିରିଡ଼ି ହାଇୱେରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା। ଶିରିଡ଼ି ସାଇ ଭକ୍ତଙ୍କୁ ନେଇ ଯାଉଥିବା ଏକ ବସ୍ ଗୋଟିଏ ଟ୍ରକ ସହ ଧକ୍କା ହେବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ବହୁ ଯାତ୍ରୀ ଆହତ ହୋଇଛନ୍ତି...#Accident #Devotees #Nashik #Maharastra pic.twitter.com/CJ3KWXRTKV
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ବ୍ୟକ୍ତି ଆହତ ହୋଇଛନ୍ତି। ଆହତଙ୍କ ଅବସ୍ଥା ସଙ୍କାପନ୍ନ ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବସ୍ଟି ଦ୍ରୁତ ଗତିରେ ଯାଉଥିଲା ବୋଲି ଜଣାପଡ଼ିଛି।
ଦୁର୍ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିବା ସହ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏକନାଥ ସିନ୍ଧେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।