/odishatv-khabar/media/post_attachments/uploadimage/library/16_9/16_9_0/Laptop_Ban_1691215400.jpg)
Laptop Ban
ବଦଳିଲା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି । ଗତ ୩ ତାରିଖରେ ଘୋଷଣା କରିଥିବା ଏକ ବଡ଼ ନିଷ୍ପତ୍ତିକୁ କେନ୍ଦ୍ର ସରକାରଙ୍କ ବଦଳାଇ ଦେଇଛନ୍ତି । କେନ୍ଦ୍ର ସରକାର କହିଛନ୍ତି ଏବେ ନୁହେଁ ବରଂ ୩ ମାସ ପରେ ଲାଗୁ ହେବ ଏହି ନିୟମ ।
ଆମେ କହୁଛୁ ଅଗଷ୍ଟ ୩ ତାରିଖରେ କେନ୍ଦ୍ର ସରକାର ଲାପ୍ଟପ୍, ଟାବ୍ଲେଟ୍, ଅଲ୍ ଇନ୍ ୱାନ୍ ପର୍ସନାଲ କମ୍ପ୍ୟୁଟର ଭଳି ସାମଗ୍ରୀ ଉପରେ ଲଗାଇଥିବା ଆମଦାନୀ ପ୍ରତିବନ୍ଧକ କଥା । ସରକାରଙ୍କ ପକ୍ଷରୁ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ନୋଟିସ ଜାରି କରାଯାଇଥିଲା । ହେଲେ ଏବେ ଏହି ନିଷ୍ପତ୍ତି ବଦଳିଯାଇଛି ।
ଲାପ୍ଟପ୍, ଟାବ୍ଲେଟ୍, ଅଲ୍ ଇନ୍ ୱାନ୍ ପର୍ସନାଲ କମ୍ପ୍ୟୁଟର ଭଳି ସାମଗ୍ରୀ ଉପରେ ଲଗାଯାଇଥିବା ଆମଦାନୀ ପ୍ରତିବନ୍ଧକ ନିଷ୍ପତ୍ତି ବା ନିୟମ ଆଗାମୀ ୩ ମାସ ପରେ ଲାଗୁ ହେବ । ଏବେ ଏହାକୁ ସ୍ଥଗିତ ରଖାଗଲା ବୋଲି ସରକାର ପୁଣି ଘୋଷଣା କରିଛନ୍ତି । ମାତ୍ର ଦିନକ ପରେ ଏହି ନିୟମ ବଦଳାଇଦେଇଛନ୍ତି ସରକାର ।
ତେବେ କେଉଁ ପରିସ୍ଥିତିରେ ଏହି ନିୟମ ବଦଳାଇଲେ ବା ଏହାକୁ ସ୍ଥଗିତ କଲେ ସରକାର ? ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ତେବେ ଏହାର ଉତ୍ତରରେ ସରକାର କହିଛନ୍ତି ତୁରନ୍ତ ପ୍ରତିବନ୍ଧକ ଲଗାଇବା ଦ୍ୱାରା ଅନେକ ବ୍ୟବସାୟୀ କ୍ଷତି ସହିବେ । ଆଉ ଏଥିରେ ଭାରତର ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ଖୁବ୍ ଅଧିକ ରହିଛି । ତେଣୁ ସେମାନେ ବିଦେଶୀ କମ୍ପାନୀ ସହ ଏହି ସବୁ ସାମଗ୍ରୀ ଉପରେ ଯେଉଁ ସବୁ ଡିଲ୍ କରିଛନ୍ତି ତାକୁ ଯଥା ଶୀଘ୍ର ପୁରଣ କରିବା ତଥା ଶେଷ କରିବା ପାଇଁ ଏହି ୩ ମାସ (ଅକ୍ଟୋବର ୩୧ ପର୍ଯ୍ୟନ୍ତ) ସମୟ ଦିଆଯାଇଛି । ତିନି ମାସ ମଧ୍ୟରେ ବ୍ୟବସାୟୀମାନେ ସମସ୍ତ ଆମଦାନୀ ଡିଲ୍ କ୍ଲିୟର କରିବେ ବା ଶେଷ କରିବେ ବୋଲି ସରକାର କହିଛନ୍ତି । ତାପରେ ଏଭଳି ସାମଗ୍ରୀ ଉପରେ ପ୍ରତିବନ୍ଧକ ଲାଗିବ ବା ପୂର୍ବରୁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାକୁ ଲାଗୁ କରାଯିବ ।
ଅନ୍ୟପଟେ ଦେଖିବାକୁ ଗଲେ ମେଡ ଇନ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆକୁ ଭାରତ ସରକାର ଲଗାତାର ଗୁରୁତ୍ୱ ଦେଇଆସୁଛନ୍ତି । ଦେଶୀ ସାମଗ୍ରୀକୁ ଗୁରୁତ୍ୱ ଦେବା ପାଇଁ ଭାରତ ସରକାର ପୂର୍ବରୁ ବିଭିନ୍ନ କ୍ଷେତ୍ରରେ PLI ନିୟମ ଲାଗୁ କରିଛନ୍ତି । ଏହି କ୍ରମରେ ଆଉ ଏକ ବଡ଼ ପଦକ୍ଷେପ ଥିଲା ଯେ ଲାପଟପ୍, ଟାବଲେଟ୍, ଅଲ-ଇନ୍-ୱାନ୍ ପର୍ସନାଲ୍ କମ୍ପ୍ୟୁଟର, ଅଲ୍ଟ୍ରା ସ୍ମଲ ଫାର୍ମ ଫ୍ୟାକ୍ଟର୍ (USFF) କମ୍ପ୍ୟୁଟର ଏବଂ ସର୍ଭର ଆମଦାନୀ ଉପରେ ସରକାରଙ୍କ ପ୍ରତିବନ୍ଧକ ନିଷ୍ପତ୍ତି । ଯାହାକୁ ଏବେ ୩ ମାସ ପର୍ଯ୍ୟନ୍ତ ଅର୍ଥାତ୍ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି । ନଭେମ୍ବର ୧ରୁ ଏହାକୁ ଲାଗୁ କରାଯିବ ।
ପ୍ରତିବନ୍ଧକ ଅର୍ଥାତ ଭାରତକୁ ଏଭଳି ସାମଗ୍ରୀ ଆମଦାନୀ କରିବାକୁ ହେଲେ, ଲାଇସେନ୍ସର ଆବଶ୍ୟକ ପଡ଼ିବ । ନଚେତ୍ ସରକାରଙ୍କ ଅନୁମତି ନେବା ପାଇଁ ପଡ଼ିବ । ଅନ୍ୟପଟେ ଗୁରୁବାର ଦିନ ଜାରି କରାଯାଇଥିବା ବିଜ୍ଞପ୍ତିରେ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି) କହିଛି ଯେ ଅନୁସନ୍ଧାନ ଏବଂ ବିକାଶ, ପରୀକ୍ଷଣ, ବେଞ୍ଚମାର୍କିଂ, ମୂଲ୍ୟାଙ୍କନ, ମରାମତି ଏବଂ ଉତ୍ପାଦ ବିକାଶ ଉଦ୍ଦେଶ୍ୟରେ ଆମଦାନୀ କରାଯାଉଥିଲେ ଲାଇସେନ୍ସ କିମ୍ବା ସରକାରୀ ଅନୁମତି ଆବଶ୍ୟକ ନାହିଁ । ହେଲେ ଏଥିରେ ଏକ ସର୍ତ୍ତ ରହିଛି । ଏହି ସବୁ କାର୍ଯ୍ୟ ପାଇଁ ଅତିବେଶୀରେ ୨୦ଟି ଆଇଟମ୍ ଭାରତକୁ ଆମଦାନୀ ହୋଇପାରିବ । ୨୦ରୁ ଅଧିକ ଆଇଟମ୍ ଆମଦାନୀ କରିବାକୁ ହେଲେ ସରକାରୀ ଅନୁମତି ନେବା ବାଧ୍ୟତାମୂଳକ ।
ତେବେ ଏହି ନିୟମର ମୂଳ ଉଦେଶ୍ୟ ହେଲା, ଚୀନ୍ ଭଳି ଦେଶରୁ ଆମଦାନୀ ହ୍ରାସ କରିବା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)