• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଥାନାରେ ପହଞ୍ଚିଲା ବୃଦ୍ଧ ଦମ୍ପତିଙ୍କ କଳି । ସ୍ୱାମୀ ଉପରେ ଖପ୍ପା ହୋଇ ବାପଘରକୁ ପଳାଇ ଯାଇଥିଲେ ବୃଦ୍ଧ ମହିଳା । ସ୍ତ୍ରୀକୁ ଝୁରି ଝୁରି ଖାଇବାରେ ହାତ ଲଗାଉନଥିଲେ ସ୍ୱାମୀ । ରାଗରେ ସିନା କ’ଣ କହି ଦେଇଥିଲେ, ହେଲେ ସ୍ତ୍ରୀ କଥା ସବୁବେଳେ ମନେ ପଡ଼ୁଥିଲା । ବୃଦ୍ଧ ଜଣକ ଶ୍ୱଶୁର ଘରକୁ ଯାଇ ବସି ବସି ଆସୁଥିଲେ, ହେଲେ ମହିଳା ଜଣକ ଫେରୁନଥିଲେ । ଶେଷରେ ପୋଲିସ ବାବୁଙ୍କ ହସ୍ତକ୍ଷେପ କ୍ରମେ ଉଭୟଙ୍କ କଳିର ସମାଧାନ ହୋଇଛି । ମିଠା ଖୁଆଖୁଇ ହୋଇ ଝଗଡ଼ା ଭାଙ୍ଗିଛନ୍ତି ଅଧିକାରୀ । ଉତ୍ତର ପ୍ରଦେଶର ଗୋଣ୍ଡାରେ ଏପରି ଘଟଣା ଦେଖିବାକୁ ମିଳୁଛି ।

ଗୋଣ୍ଡା କଟରାବଜାର ଥାନା ଅଞ୍ଚଳର ଲୋନିୟମ୍ ପୁରଭା ଗାଁର ବୃଦ୍ଧ ଦମ୍ପତି ଶିବନାଥ ଓ ଜନକା ଦେବୀ । ଉଭୟଙ୍କର ଦୁଇ ପୁଅ ଅଛନ୍ତି । ହେଲେ ବୃଢ଼ା ବାପାମା’ଙ୍କୁ ଛାଡ଼ି ସେମାନେ ଅଲଗା ରହୁଛନ୍ତି । ସେଥିପାଇଁ ଦମ୍ପତି ଶିବନାଥ ଓ ଜନକା ଅଲଗା ରହୁଥିଲେ । ହେଲେ କିଛି ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା । ଯେଉଁଥିପାଇଁ ବୃଦ୍ଧ ମହିଳା ସ୍ୱାମୀଙ୍କୁ ଛାଡି ତାଙ୍କ ମା ଘରକୁ ଚାଲି ଯାଇଥିଲେ ।

ଜନକା ଦେବୀଙ୍କ କହିବା ଅନୁସାରେ. ଶିବନାଥ ଅନେକ ସମୟରେ ତାଙ୍କୁ ଗାଳିଗୁଲଜ କରୁଥିଲେ । ତାଙ୍କୁ ଅତ୍ୟଧିକ ଖରାପ ଲାଗିବାରୁ ସେ ଘର ଛାଡ଼ି ବାପ ଘରକୁ ପଳାଇଥିଲେ । ତେବେ ସେ ବାପଘରକୁ ଚାଲିଯିବା ପରେ ଶିବନାଥ, ଜନକାଙ୍କୁ ବୁଝାଇସୁଝାଇ ଘରକୁ ଆଣିବାକୁ ଚେଷ୍ଟା କରୁଥିଲେ , ହେଲେ ସେ ଫେରିବାକୁ ମଙ୍ଗୁ ନଥିଲେ ।

ଶେଷରେ ଅନ୍ୟଉପାୟ ନପାଇ ଥାନର ଦ୍ୱାରସ୍ଥ ହୋଇଥିଲେ ଶିବନାଥ । ଅଭିଯୋଗ ପରେ ଉଭୟଙ୍କୁ ସ୍ଥାନୀୟ ପୋଲିସ ଷ୍ଟେସନକୁ ଡକାଯାଇଥିଲା ଏବଂ ସେଠାରେ କଳିର ସମାଧାନ କରାଯାଇଛି । ବୃଦ୍ଧ ଶିବନାଥ ତିନି ଦିନ ଖାଇନଥିଲେ । କେବଳ ଶିବନାଥ ନୁହେଁ, ଜନକା ଦେବୀ ମଧ୍ୟ ତିନି ଦିନ ହେଲା ଖାଇବା ଖାଇନଥିଲେ । ଏକଥା ଜାଣିବା ପରେ ଉଭୟଙ୍କୁ ପୋଲିସ ଷ୍ଟେସନରେ ଖାଇବା ଦିଆ ଯାଇଥିଲା ଏବଂ ଶେଷରେ ଖୁସିରେ ନିଜ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ବୃଦ୍ଧ ଦମ୍ପତି ବେଶ୍ ଖୁସି ଅଛନ୍ତି ।