Advertisment

ଡ୍ରାଗନ୍ ନଜରରେ ଡୋକଲାମ୍‌

ଭୁଟାନ-ଚୀନ୍ କଥାବାର୍ତ୍ତା ଉପରେ କଡ଼ା ନଜର ରଖିଛି ଭାରତ। କାରଣ ଡୋକଲାମକୁ ହାତେଇବା ଲାଗି ଚୀନ୍ ଫନ୍ଦିଫିକର ଜାରି ରଖିଛି। ଡୋକଲାମ ବଦଳରେ ଅନ୍ୟ ଅଞ୍ଚଳ ନେବା ପାଇଁ ୧୯୯୬ରେ ଚୀନ୍ ଭୁଟାନକୁ ପ୍ରସ୍ତାବ ଦେଇଥିଲା। ସେହିପରି ଗତବର୍ଷ ମଧ୍ୟ ବେଜିଂ ସମାନ ପ୍ରସ୍ତାବକୁ ଦୋହରାଇଥିଲା

author-image
Sarbeswar
ଅଦ୍ୟତନ ହୋଇଛି
Doklam

Doklam

ନୂଆଦିଲ୍ଲୀ: ଭୁଟାନ ଚୀନ୍ କଥାବାର୍ତ୍ତା, ଭାରତର ମୁଣ୍ଡ ବ୍ୟଥା ସାଜିଛି। ସୀମା ବିବାଦର ସମାଧାନ ନେଇ ଚୀନ୍ ଓ ଭାରତର ଘନିଷ୍ଠ ସହଯୋଗୀ ଭୁଟାନ ମଧ୍ୟରେ ସ୍ୱାକ୍ଷର ହୋଇଛି ରାଜିନାମା। ଭାରତ ସହ ଚୀନର ସୀମା ବିବାଦ କାଳରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ବିବେଚନା କରାଯାଉଛି। କାରଣ ୨୦୧୭ ଡୋକଲାମ୍‌ ବିବାଦ ପରଠାରୁ ହିଁ ବେଜିଂ ଓ ନୂଆଦିଲ୍ଲୀ ମଧ୍ୟରେ ତିକ୍ତତା ବଢିଛି । ଡୋକଲାମ ଭୁଟାନର ଅଂଶ ହୋଇଥିବା ବେଳେ ଚୀନ୍ ଏହାକୁ ନିଜ ଅଞ୍ଚଳ ବୋଲି ଦାବି କରୁଛି । ତେବେ ସାମରିକ ଦୃଷ୍ଟିକୋଣରୁ ଏହି ସ୍ଥାନ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଭାରତ ଏଠାରେ ଚୀନି ସୈନ୍ୟଙ୍କ ଉପସ୍ଥିତିକୁ ବିରୋଧ କରୁଛି।

Advertisment

ଡ୍ରାଗନ୍ ନଜରରେ ଡୋକଲାମ ରହିଛି। ଭୁଟାନ୍-ଭାରତ-ଚୀନ୍ ଟ୍ରାଇ ଜଙ୍କସନକୁ ଲାଗିଥିବା ଏହି ଅଞ୍ଚଳ ସାମରିକ ଦୃଷ୍ଟିକୋଣରୁ ଅତି ଗୁରୁତ୍ୱପୂର୍ଣ୍ଣ। ଡୋକଲାମ୍ ଭୁଟାନ୍‌ର ହୋଇଥିଲେ ବି, ସେଠାରେ ଚୀନର ଅନଧିକାର ଅନୁପ୍ରବେଶ ଓ ଦାଦାଗିରିକୁ ୨୦୧୭ରେ କଡ଼ା ବିରୋଧ କରିଥିଲା ଭାରତ । ଭୁଟାନ୍ ବି ରାଜି ହୋଇନଥିଲା ଏହାକୁ ଚୀନ୍ ହାତରେ ଟେକି ଦେବା ପାଇଁ । ତେବେ ସୀମା ବିବାଦର ସମାଧାନ ଲାଗି ଭୁଟାନ-ଚୀନ୍ ମଧ୍ୟରେ ସଦ୍ୟ ରାଜିନାମା ପୁଣି ଥରେ ଭାରତର ଚିନ୍ତା ବଢ଼ାଇଛି । ଥ୍ରୀ ଷ୍ଟେପ୍ ରୋଡମ୍ୟାପ୍‌ କୁହାଯାଉଥିବା ଏହି ରାଜିନାମା ଦ୍ୱାରା ଦୁଇ ଦେଶ ମଧ୍ୟରେ ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ସୀମା ବିବାଦର ଶୀଘ୍ର ସମାଧାନ ହେବା ଆଶା କରାଯାଉଥିଲେ ବି, ଏହା ପଛରେ ଡୋକଲାମ୍ ହାତେଇବା ପାଇଁ ଚୀନର ପ୍ରଚ୍ଛନ୍ନ ଅଭିସନ୍ଧି ଥାଇପାରେ ବୋଲି ଆଶଙ୍କା କରାଯାଉଛି।

Advertisment

ଭୁଟାନ-ଚୀନ୍ କଥାବାର୍ତ୍ତା ଉପରେ କଡ଼ା ନଜର ରଖିଛି ଭାରତ। କାରଣ ଡୋକଲାମକୁ ହାତେଇବା ଲାଗି ଚୀନ୍ ଫନ୍ଦିଫିକର ଜାରି ରଖିଛି। ଡୋକଲାମ ବଦଳରେ ଅନ୍ୟ ଅଞ୍ଚଳ ନେବା ପାଇଁ ୧୯୯୬ରେ ଚୀନ୍ ଭୁଟାନକୁ ପ୍ରସ୍ତାବ ଦେଇଥିଲା। ସେହିପରି ଗତବର୍ଷ ମଧ୍ୟ ବେଜିଂ ସମାନ ପ୍ରସ୍ତାବକୁ ଦୋହରାଇଥିଲା। ମାତ୍ର ଭୁଟାନ ଏହାକୁ ଗ୍ରହଣ କରିନଥିଲା। ସେପଟେ ୨୦୧୨ରେ ଭାରତ ସହ ହୋଇଥିବା ରାଜିନାମାଙ୍କୁ ଫୁ କରି ୨୦୧୭ରେ ଚୀନ୍ ଡୋକଲାମରେ ଭିତ୍ତିଭୂମି ନିର୍ମାଣ ଆରମ୍ଭ କରିଥିଲା। ରାଜିନାମା ଅନୁସାରେ ତିନି ଦେଶ ମଧ୍ୟରେ ଅବସ୍ଥିତ ଅଞ୍ଚଳରେ ସୀମା ନିର୍ଦ୍ଧାରଣ କରିବାକୁ ହେଲେ ତୃତୀୟ ଦେଶର ମତାମତ ନିଆଯିବା ଜରୁରୀ । ମାତ୍ର ଅମାନିଆ ଚୀନ୍ ଏହାର ଉଲ୍ଲଙ୍ଘନ କରିବା ପରେ ଭାରତୀୟ ସୈନ୍ୟ ପିଏଲ୍ଏକୁ ବାଧା ଦେଇଥିଲେ। ଫଳରେ ବିବାଦର ସୂତ୍ରପାତ ହୋଇଥିଲା। ଅନ୍ୟପକ୍ଷରେ ଚୀନ୍ -ଭୁଟାନ ରାଜିନାମାରେ କଣ ରହିଛି ତା ସ୍ପଷ୍ଟ ହୋଇନି । ଘଟଣାକ୍ରମ ଉପରେ ଭାରତ ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗଚୀ।

ଭାରତ, ଚୀନ୍ ଓ ଭୁଟାନ ୩ ଦେଶ ମଧ୍ୟରେ ଥିବା ଅଞ୍ଚଳ ହେଉଛି ଡୋକଲାମ୍। ଏହି ଅଞ୍ଚଳକୁ ନେଇ ଚୀନ ଓ ଭୁଟାନ ମଧ୍ୟରେ ବିବାଦ ଥିବା ବେଳେ ୧୮୯୦ରେ କୋଲକାତାରେ ଚୀନ୍ ଏବଂ ବ୍ରିଟେନ୍ ମଧ୍ୟରେ ହୋଇଥିବା ରାଜିନାମା ଅନୁଯାୟୀ ନୂଆଦିଲ୍ଲୀ ଭୁଟାନକୁ ସମର୍ଥନ କରିଆସୁଛି। ତେବେ ଏହି ସ୍ଥାନ ଚିକେନ ନେକ୍ ଭାବେ ପରିଚିତ। ସିଲିଗୁଡି କରିଡରର ଅତି ନିକଟରେ ରହିଛି। ସିଲିଗୁଡ଼ି କରିଡର୍ ବାଂଲାଦେଶ ଓ ନେପାଳ ମଧ୍ୟରେ ମାତ୍ର ୨୨ କିଲୋମିଟର ଚଉଡା ଅଞ୍ଚଳ ଯାହା ଦେଶର ମୂଳ ଭୂଖଣ୍ଡ ସହ ଉତ୍ତର ପୂର୍ବାଞ୍ଚଳକୁ ସଂଯୋଗ କରୁଛି । ଏଠାରୁ ମାତ୍ର ୧୩୦ କିଲୋମିଟର ଦୂରରେ ଅର୍ଥାତ୍ ତିବ୍ବତର ଚୁମ୍ବି ଉପତ୍ୟକା ରହିଛି। ଭାରତ-ଚୀନ୍-ଭୁଟାନ ଟ୍ରାଇଜଙ୍କସନ୍ ଅନ୍ତର୍ଗତ ଡୋକଲାମ୍‌। ତେଣୁ ଏହା ଚୀନ୍ ହାତକୁ ଯିବା ଅର୍ଥ ଭାରତ ପାଇଁ ଘୋର ବିପଦ କାରଣ। ଯୁଦ୍ଧ ସମୟରେ ଯଦି ଚୀନ୍ ଯଦି ଚିକେନ୍ ନେକକୁ ନିଜ ନିୟନ୍ତ୍ରଣକୁ ନେଇଯିବ, ତାହେଲେ ଉତ୍ତରପୂର୍ବାଞ୍ଚଳର ୮ ରାଜ୍ୟ ଉପରେ ନିୟନ୍ତ୍ରଣ ରଖିବା ଭାରତ ପାଇଁ ସମ୍ଭବ ହେବ ନାହିଁ । ତେଣୁ କୌଣସି ପରିସ୍ଥିତିରେ ବି ଭାରତ ଡୋକଲାମ୍ ଉପରେ ଚୀନର ଅଧିକାର ସାବ୍ୟସ୍ତ ହେବାକୁ ଦେବ ନାହିଁ।

India China Doklama
Advertisment
Advertisment