• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୨୦୦୮ରୁ ୨୦୨୩..ଭାରତର ୧୫ ବର୍ଷର ଚନ୍ଦ୍ର ଯାତ୍ରା । ଚନ୍ଦ୍ରୟାନ-୧, ଚନ୍ଦ୍ରୟାନ-୨ ଏବଂ ଏବେ ଚନ୍ଦ୍ରୟାନ-୩ । ଚନ୍ଦ୍ରପୃଷ୍ଠରେ ପହଁଚିବାକୁ ପୂର୍ବରୁ ଦୁଇ ଦୁଇ ଥର ଉଦ୍ୟମ କରିଛି ଭାରତ । ପ୍ରଥମ ଅଭିଯାନରେ ଚନ୍ଦ୍ରର ମେରୁ ଅଂଚଳରେ ଜଳର ସନ୍ଧାନ ମିଳିଥିଲା । ଶେଷ ମୂହୁର୍ତ୍ତରେ ଦ୍ୱିତୀୟ ଅଭିଯାନ ବିଫଳ ହୋଇଥିଲେ ବି ଚନ୍ଦ୍ରକୁ ତୃତୀୟ ଯାତ୍ରା ପାଇଁ ବୈଜ୍ଞାନିକଙ୍କୁ ମିଳିଥିଲା ଗୁରୁତ୍ବପୂର୍ଣ୍ଣ ଶିକ୍ଷା । ଆଜି ଅଭିଯାନର ପ୍ରଥମ ପାହାଚ ସଫଳ ହୋଇଛି । ଆଗକୁ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ ସହ ଏଲିଟ୍ କ୍ଲବରେ ସାମିଲ ହୋଇଯିବ ଭାରତ ।

୨୨ ଅକ୍ଟୋବର ୨୦୦୮ । ଭାରତର ଚନ୍ଦ୍ର ଅଭିଯାନର ପଡିଥିଲା ମୂଳଦୁଆ । ଚନ୍ଦ୍ରକୁ ଉତକ୍ଷେପଣ ହୋଇଥିଲା ଚନ୍ଦ୍ରୟାନ-୧ । ଭାରତ ସଫଳତାର ସହ ଏହାକୁ ଚନ୍ଦ୍ର ଚାରିପଟେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ମଧ୍ୟ କରିଥିଲା । ଏହି ମିଶନରୁ ହିଁ ଭାରତ ଏମିତି ଏକ ନୂଆ କଥା ଆବିଷ୍କାର କରିଥିଲା ଯେ, ସାରା ବିଶ୍ୱ ଚକିତ ହୋଇଯାଇଥିଲା । ତାହା ଥିଲା ଚନ୍ଦ୍ରର ମେରୁ ଅଞ୍ଚଳରେ ଜଳର ସନ୍ଧାନ ।

୨୨ ଜୁଲାଇ ୨୦୧୯ । ଜହ୍ନରାଇଜରେ ପାଦ ଥାପିବାକୁ ଯାଇଥିଲା ଚନ୍ଦ୍ରୟାନ-୨ । ଲକ୍ଷ୍ୟ ଥିଲା ଅର୍ବିଟରକୁ ଚନ୍ଦ୍ର ଚାରିପଟେ ପରିକ୍ରମା କରାଇବା, ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ବା ସୁରକ୍ଷିତ ଭାବେ ଅବତରଣ କରାଇବା ଏବଂ ରୋଭର ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ଗଡ଼ାଇବା । ଯଦିଓ ଅର୍ବିଟର ସଫଳତାର ସହ ଚନ୍ଦ୍ରକୁ ପରିକ୍ରମା କରିଥିଲା ଏବଂ ତାହା ଏବେବି ପରିକ୍ରମା କରୁଛି, ତଥାପି ଲ୍ୟାଣ୍ଡରର ସଫ୍ଟଲ୍ୟାଣ୍ଡିଂରେ ସଫଳତା ପାଇନଥିଲା ଇସ୍ରୋ । ମିଶନର ଶେଷ କିଛି ମିନିଟ୍ ବିଫଳତା ଦେଇଥିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ। ଲ୍ୟାଣ୍ଡର କ୍ରାଶ୍ ଲ୍ୟାଣ୍ଡିଂ କରିବା ଫଳରେ ତାହା ରୋଭର୍ ସହିତ ଧ୍ୱଂସ ହୋଇଯାଇଥିଲା ଚନ୍ଦ୍ରପୃଷ୍ଠରେ । ତେବେ ସେଥିରୁ ମିଳିଥିବା ବିଫଳତାରୁ ଶିକ୍ଷାଲାଭ କରି ଚନ୍ଦ୍ରୟାନ-୩କୁ ସଫଳ କରିବା ପାଇଁ ଲାଗି ପଡିଥିଲେ ଇସ୍ରୋ ବୈଜ୍ଞାନିକ ।

ଭାରତର ତୃତୀୟ ମୁନ୍ ମିଶନରେ ଓଡ଼ିଶାର ବି ରହିଛି ବଡ଼ ଯୋଗଦାନ । ଚନ୍ଦ୍ରୟାନ-୩ର ବହୁ ଗୁରୁତ୍ୱପୂର୍ଣ୍ଣ ତଥା ଜଟିଳ ଯନ୍ତ୍ରାଂଶ ତିଆରି ହୋଇଛି ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ୍ ଟୁଲରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର ବା ସିଟିଟିସିରେ । ଲଞ୍ଚ ଭେହିକିଲ୍ ଓ ସ୍ପେଶକ୍ରାଫ୍ଟ ପାଇଁ ଭାଲ୍ଭ, ଇଣ୍ଟେରିଆଲ୍ ନାଭିଗେସନ୍ ସିଷ୍ଟମ, ଜାଇରୋସ୍କୋପ୍, ଲେଜର୍ ଜାଇରୋ, ଟେଂପରେଚର୍ ସେନ୍ସର ଆଦି ୧୨ କୋଟି ଟଙ୍କାର ଯନ୍ତ୍ରାଂଶ ନିର୍ମାଣ ହୋଇଛି । ଚନ୍ଦ୍ରୟାନ-୧ ଓ ୨ ପାଇଁ ମଧ୍ୟ ସିଟିଟିସି ପକ୍ଷରୁ କଂପୋନେଣ୍ଟ ତିଆରି କରାଯାଇଥିଲା ।

ସାରା ବିଶ୍ୱର ନଜର ଅଟକି ରହିଛି ଭାରତର ଏହି ଚନ୍ଦ୍ର ଅଭିଯାନ ଉପରେ । କାରଣ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ମାତ୍ର ବିଶ୍ୱର ତିନିଟି ଦେଶ ଆମେରିକା, ଋଷ ଏବଂ ଚୀନ୍ ସଫଳତା ପାଇଛନ୍ତି। ଚନ୍ଦ୍ରୟାନ-୩ ମିଶନ ସଫଳ ହେଲେ ଏଲିଟ୍ କ୍ଲବରେ ସାମିଲ ହୋଇଯିବ ଭାରତ ।

  • Reported by:
  • BIBARTAN PANDA