• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଥମିନି ଦିଲ୍ଲୀର ଦୁର୍ଦ୍ଦଶା । ଯମୁନା ନଦୀର ଜଳସ୍ତର ସାମାନ୍ୟ କମିଥିଲେ ବି ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଦିଲ୍ଲୀ ବାସିନ୍ଦା । ପାଣିରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ। ଯେଉଁଆଡେ ଅନାଇଲେ ଖାଲି ପାଣି ଆଉ ପାଣି। ରାସ୍ତାରେ ଚାଲିଛି ନଦୀ ଭଳି ଜଳସ୍ରୋତ। ରାସ୍ତାରେ ବି ଚାଲି ଯିବା ବି କଷ୍ଟକର ବ୍ୟାପାର। ପରିସ୍ଥିତି ଏମିତି ହୋଇଛି କି ଲୋକେ ଡଙ୍ଗାରେ ଯାଆସ କରୁଛନ୍ତି ।

ଯମୁନା ବଜାର ଅଞ୍ଚଳରେ ଚାଲୁଛି ଡଙ୍ଗା । ଯେଉଁ ରାସ୍ତା ଉପରେ ଗାଡିମୋଟର ଚାଲୁଥିଲା, ଏବେ ତା ଉପରେ ଚାଲୁଛି ଡଙ୍ଗା । ଡଙ୍ଗାରେ ରାଜରାସ୍ତା ପାରିହେଉଛନ୍ତି ଲୋକେ । ୱାଜିରାବାଦ ଅଞ୍ଚଳରେ ରାସ୍ତାରେ ପ୍ରଖର ବେଗରେ ଜଳସ୍ରୋତ ଚାଲିଛି । ଏହି ଜଳସ୍ରୋତକୁ ଆଡାଇ ଆଡ଼େଇ ବିପଦପୂର୍ଣ୍ଣ ଭାବେ ବାଇକ, ଅଟୋ, ବସ୍ ଗଡୁଥିବା ଦେଖିବାକୁ ମିଳିଛି । ସ୍ଥିତି ଏମିତି ହୋଇଛି ଯେ, ଲୋକେ ଗାଡିମୋଟର ନପାଇ ଆଣ୍ଠୁଏ ପାଣିରେ ନିଜ ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି ।

ଅଧିକ ପଢ଼ନ୍ତୁ: ବୁଡ଼ିଗଲାଣି ଅଧା ଦିଲ୍ଲୀ, ଆହୁରି ବିଗିଡ଼ୁଛି ସ୍ଥିତି

ଯମୁନା ନଗରରେ ବିଭିନ୍ନ ପାର୍କିଂରେ ରହିଥିବା ଗାଡିଗୁଡିକ ବୁଡିଯାଇଛି । କିଏ ଅଧା ତ ଆଉ କିଏ ସଂପୂର୍ଣ୍ଣ ବୁଡିଯାଇଛି । ଲୋକଙ୍କ ଘରର ଆସବାବପାତ୍ର ପାଣିରେ ଏଣେତେଣେ ଭାସୁଛି। ସୁପ୍ରିମକୋର୍ଟ ପ୍ରବେଶ ଗେଟରେ ମଧ୍ୟ ଚାଲୁଛି ଆଣ୍ଠୁଏ ଉପର ପାଣି । ଫଳରେ କୋର୍ଟ ପରିସରକୁ ବିଚାରପତି, ଆଇନଜୀବୀଙ୍କ ଯାଆସରେ ବାଧା ଉପୁଜିଛି। ଏପଟେ ଗତକାଲି ଭଳି ଆଜି ବି ଲାଲକିଲ୍ଲା ଚାରିପଟେ ପାଣି ଢେଉ ମାରୁଛି । ବନ୍ୟା ସ୍ଥିତି ଯୋଗୁ ଜାତୀୟ ରାଜପଥ ୨୪ରେ ସରାୟ କାଲେ ଖାଁ ଟି- ଜଙ୍କସନ୍ ନିକଟରେ ଅସମ୍ଭାଳ ଟ୍ରାଫିକ ଭିଡ । ଖାଲି ଏହି ଗୋଟିଏ ସ୍ଥାନ ନୁହେଁ, ଅନେକ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ ସ୍ଥିତି ବାହାରେ ରହିଛି। ଆଇଟିଓ ଅଞ୍ଚଳରେ ବି ସ୍ଥିତି ସଙ୍ଗୀନ ହୋଇପଡିଛି । ରାସ୍ତାଘାଟ, ଘର ଦ୍ୱାରା ସବୁ ଏକାକାର ହୋଇପଡିଛି ।

ହରିୟାଣାର ବିଭିନ୍ନ ଡ୍ୟାମରୁ ଆସୁଥିବା ପାଣି ଯମୁନାର ଜଳସ୍ତର ଅଧିକ ବଢ଼ାଇଛି । ତାସହ ହାଥନୀକୁଣ୍ଡ ବ୍ୟାରେଜରୁ ଜଳ ନିଷ୍କାସନ ଜାରି ରହିଛି । ଏପଟେ ବିଭିନ୍ନ ସ୍ଥାନରେ ଡ୍ରେନେଜ୍ ସମସ୍ୟା ସ୍ଥିତିକୁ ଆହୁରି ସଙ୍ଗୀନ କରିଛି । ଏବେ ଯମୁନା ନଦୀର କୂଳ ଓ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ପାଣିରେ ବୁଡି ରହିଛି। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିକାଶ ଭବନ, ଆଇଟିଓ ଆଦି ଅଞ୍ଚଳ ବୁଲି ସ୍ଥିତି ପରଖିବା ସହ ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି । ଏହି ସମୟରେ ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ବାଜ ମଧ୍ୟ ଉପସ୍ଥିତ ଥିଲେ । ସ୍ଥିତି ପରଖିବା ପରେ କେଜ୍ରିୱାଲ କହିଛନ୍ତି, ବିଭିନ୍ନ କାରଣରୁ ଦିଲ୍ଲୀ ବୁଡିଛି ।

ଅଧିକ ପଢ଼ନ୍ତୁ: ଯମୁନା ବନ୍ୟାରେ ଉବୁଟୁବୁ ନୂଆଦିଲ୍ଲୀ; ଘରଠୁ ସଚିବାଳୟ ଯାଏଁ ସବୁଠି ପାଣି

ଲୋକଙ୍କ ସମସ୍ୟାର ସମାଧାନ ଲାଗି ସବୁପ୍ରକାର ଉଦ୍ୟମ କରାଯାଉଛି । ଖାଲି ମୁଖ୍ୟମନ୍ତ୍ରୀ ନୁହଁନ୍ତି, ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା ମଧ୍ୟ ଆଇଟିଓ, ବିକାଶ ଭବନ ନିକଟରେ ବୁଲି ସ୍ଥିତି ପରଖିଛନ୍ତି । ଦିଲ୍ଲୀରେ ମେଟ୍ରୋ ସେବାଠାରୁ ଆରମ୍ଭ କରି ଟ୍ରେନ୍ ଚଳାଚଳ ସବୁ କ୍ଷେତ୍ରରେ ବାଧା ଉପୁଜିଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ବୋଟ ସହାୟତାରେ ଉଦ୍ଧାର କରୁଛନ୍ତି ।