• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗତକାଲି ଥିଲା ବିଶ୍ୱ ଡାକ ଦିବସ । ଏବେ ଚାଲିଛି ଡାକ ସପ୍ତାହ । ଏବେ ପ୍ରଶ୍ନ ଡିଜିଟାଲ୍ ଦୁନିଆରେ କଣ ଭାରତୀୟ ଡାକ ତାଳ ଦେଇ ଚାଲିପାରୁଛି । ଆଜ୍ଞା ହଁ ବ୍ୟକ୍ତିଗତ ଚିଠି ଦିଆନିଆ ସିନା ହଉନି, ହେଲେ ଅର୍ଡିନାରୀ-ସ୍ପିଡ୍ ପୋଷ୍ଟ ଓ ରେଜିଷ୍ଟ୍ରୀ ଚିଠି ଜରିଆରେ ସବୁ କାମ ଚାଲିଛି । ବ୍ୟାଂକିଂ ସେବାରେ ବି ଯୋଡ଼ି ହୋଇଛି । ଆଉ ଏକ ନୂଆ ପଦକ୍ଷେପ କ୍ରମେ ଅନଲାଇନ୍‌ରେ ଚିଠି ବୁକିଂ କଲେ ଡାକବାଲା ଘରୁ ଆସି ଚିଠି ନେଇଯିବା ଭଳି ଯୋଜନା ବି ଲାଗୁ ହୋଇଛି ।

ଚିଠି ସିନା ବାଣ୍ଟୁଛନ୍ତି, ହେଲେ ମନରେ ସରାଗ ନାହିଁ । ନିଳଗିରି ପଦାଗାଁର ପୋଷ୍ଟ ପିଅନ ବାସୁଦେବଙ୍କ ମନରେ କହୁ କହୁ ସତ କଥାଟା କହିଦେଲେ । ତାସତ୍ତ୍ୱେ ବି ଡିଜିଟାଲ ଯୁଗରେ ଚମକ ହରାଇନି ଡାକସେବା । ଏସ୍ଏମ୍ଏସ୍, ହ୍ୱାଟ୍ସଆପ୍ ଓ ଇ-ମେଲର ବହୁଳ ବ୍ୟବହାର ସତ୍ତ୍ୱେ ଜାରି ରହିଛି ଚିଠି ବଣ୍ଟା । ଦିନକ ପାଇଁ ବି ଡାକ ପିଅନର ସାଇକେଲ ଘଣ୍ଟିକୁ ମିଳୁନି ବିଶ୍ରାମ ।

ପୋଷ୍ଟକାର୍ଡ, ଇନ୍‌ଲ୍ୟାଣ୍ଡ ଲେଟର ଓ ବନ୍ଦ ଲଫାଫାରେ ଚିଠି ଦିଆନିଆର ଯୁଗ ସରିଯାଇଥିବା କୁହାଯାଉଥିଲେ ବି କେବଳ ଓଡ଼ିଶାରେ ଦିନକୁ ସାଢ଼େ ୧୨ ଲକ୍ଷ ଚିଠି ବାଣ୍ଟୁଛି ଡାକ ବିଭାଗ । ଏସବୁ ଭିତରେ ରହିଛି ୧୦ ଲକ୍ଷ ଅର୍ଡିନାରୀ ଚିଠି ସମେତ ଅଢ଼େଇ ଲକ୍ଷ ସ୍ପିଡ୍ ପୋଷ୍ଟ ଓ ରେଜେଷ୍ଟ୍ରି ପୋଷ୍ଟ । ପୂର୍ବରୁ ଲୋକଙ୍କ ଆବେଗଭରା ଚିଠି ବୋହୁଥିବା ଡାକ ବିଭାଗ ଏବେ ବୋହୁଛି କେବଳ ମାଳମାଳ ଅଫିସିଆଲ ଚିଠି ।

ବାଲେଶ୍ୱର ପଦାଗାଁ ଡାକଘରର ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ବାସୁଦେବ ରଥ ଏବେ ବି ସାଇକେଲ ଖଣ୍ଡେ ଧରି ଠିକଣା ଖୋଜି ପହଞ୍ଚାଉଛନ୍ତି ଚିଠି । ଠିକ୍ ଆଉ ଜଣେ ହେଉଛନ୍ତି ରାୟଗଡ଼ା ଖମ୍ବାରିଗୁଡ଼ାର ପୋଷ୍ଟମାଷ୍ଟର ଅନନ୍ତ ତାଙ୍ଗୁଡ଼ୁ । ଚିଠି ଓ ପାର୍ସଲଗୁଡ଼ିକ ଡାକଘରେ ପହଞ୍ଚିବା ପରେ ଷ୍ଟାମ୍ପ ମାରିବା ପରେ ଠିକଣା ଯାଗାରେ ପହଞ୍ଚାଇବାକୁ ଅହରହ କାର୍ଯ୍ୟରତ । ଉପାନ୍ତ ମାଲକାନଗିରିରେ ବି ହଜିନି ଡାକସେବା । ନାୟକଗୁଡ଼ା ପୋଷ୍ଟ ପିଅନ ବାସନ୍ତି ମୁଚୁକି ସକାଳ ହେଲେ ସାଇକେଲ ଧରି ବାହାରିଯାଆନ୍ତି ଚିଠି ବାଣ୍ଟିବାକୁ ।

ଯୁଗ ସହ ତାଳ ଦେଇ ଚାଲୁଛି ଭାରତୀୟ ଡାକ । ପୂର୍ବରୁ ଚିଠି, ଟେଲିଗ୍ରାମ, ପାର୍ସଲ ମନିଅର୍ଡର ସେବା ଯୋଗାଉଥିବା ଡାକ ଏବେ ବ୍ୟାଙ୍କିଙ୍ଗ୍ ସେବା ସହ ଯୋଡ଼ି ହୋଇଛି । ଲୋକମାନେ ଡାକଘରେ ସଞ୍ଚୟ ଖାତା ଖୋଲିବା ସହ ମିଆଦି ଜମା ବି କରିପାରୁଛନ୍ତି । ଏମିତିକି କନ୍ୟାରତ୍ନଙ୍କ ଭବିଷ୍ୟତ ଲାଗି କେନ୍ଦ୍ର ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ପାଇଁ ବି ଡାକଘର ଏକ ପରିଚିତ ସ୍ଥାନ ।

ଏଥିସହ ଆଧାର ଓ ପାସପୋର୍ଟ ସେବା ସହ ବି ଯୋଡ଼ି ହୋଇଛି ଭାରତୀୟ ଡାକ । ଭାରତୀୟ ଡାକର ଓଡ଼ିଶା ମଣ୍ଡଳ ସହାୟକ ମହାଡାକପାଳଙ୍କ ମତରେ, ଟେକ୍ନୋଲୋଜି ସହ ପୋଷ୍ଟ ଅଫିସର କାମ ବି ବଦଳିଛି । ଏବେ ଡାକସେବା ମୋବାଇଲ କ୍ଲିକ୍‌ରେ ଉପଲବ୍ଧ ହେଉଛି । ଲୋକମାନେ ଘରେ ବସି ୱେବସାଇଟ୍‌ରେ ଯାଇ ନିଜର ପାର୍ସଲ ବୁକ୍ କରିପାରୁଛନ୍ତି ।

ଏମିତିକି ପୋଷ୍ଟମ୍ୟାନ୍ ଲୋକମାନଙ୍କୁ ଘରେ ଡାକ ବ୍ୟାଙ୍କର ବ୍ୟାଙ୍କିଙ୍ଗ୍ ସେବା ବି ଯୋଗାଇ ଦେଉଛି । ଏବେ ରାଜ୍ୟରେ ୮ ହଜାର ୪୯୦ ପୋଷ୍ଟ ଅଫିସ ଜରିଆରେ ଡାକ ସେବା ଯୋଗାଉଛନ୍ତି ପ୍ରାୟ ୨୪ ହଜାର କର୍ମଚାରୀ । ବର୍ଷକ ଭିତରେ ରାଜ୍ୟର ମାଓ ଇଲାକାରେ ଖୋଲିଛି ୨୭୨ ନୂଆ ଡାକଘର । ଆଗାମୀ ବର୍ଷକ ମଧ୍ୟରେ ରାଜ୍ୟରେ ଆଉ ୪୬୦ ଡାକଘର ଖୋଲି ଗ୍ରାମାଞ୍ଚଳର ପ୍ରତି ୫ କିଲୋମିଟରରେ ଡାକସେବା ଯୋଗାଇବାକୁ ଲକ୍ଷ୍ୟ ରହିଛି ।

ସେପଟେ ଡାକ ସପ୍ତାହ ଅବସରରେ ଘୋଷଣା ହୋଇଛି ନୂଆ ସୁବିଧା । ଏଣିକି ଘରେ ବସି ଭାରତୀୟ ଡାକ ୱେବସାଇଟ୍ ମାଧ୍ୟମରେ ଡାକ ଚିଠି ବୁକିଂ ହୋଇପାରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିଠି ବୁକ୍ ହେବା ପରେ ଘରୁ ଆସି ନେଇଯିବେ ଡାକ କର୍ମଚାରୀ ।