‘୨୧ ବର୍ଷର ପିଲାକୁ ଭଗବାନ ବଡ଼ ଦଣ୍ଡ ଦେଇଛନ୍ତି। ବାପା ତା’ର ଗରିବ ଲୋକ। ୫ ଟଙ୍କାର ମିଲ୍ ଖାଇବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ। ହେଲେ ୩ ମାସ ହେଲା ପୁଅର ଚିକିତ୍ସା ପାଇଁ ତାଙ୍କୁ ଏମ୍ସରେ ଭର୍ତ୍ତି କରିଛନ୍ତି’...କୋହ ସମ୍ଭାଳି ନପାରି ଭୋ ଭୋ ହୋଇ କାନ୍ଦି ଏଭଳି କିଛି କହିଛନ୍ତି ଢେଙ୍କାନାଳ ଜିଲ୍ଲା ନାଧରା ପଞ୍ଚାୟତର ସରପଞ୍ଚ ମନସ୍ୱିନୀ ପୃଷ୍ଟି। ଗାଁର ୨୧ ବର୍ଷୀୟ ମେଧାବୀ ଛାତ୍ର ସୌମ୍ୟରଞ୍ଜନ ବାରିକଙ୍କ ପାଇଁ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କଠୁ ନେଇ ଗାଁର ଆବାଳ ବୃଦ୍ଧବନୀତା ଏବେ କାନ୍ଦୁଛନ୍ତି। କାରଣ ସୌମ୍ୟ ଏବେ ଭୁବନେଶ୍ୱର ଏମ୍ସରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।
ପ୍ରାୟ ୩ ମାସ ପୂର୍ବେ ସୌମ୍ୟଙ୍କ ଲିଭର୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଡାକ୍ତରଙ୍କ କହବା ଅନୁସାରେ, ଶୀଘ୍ର ଲିଭର୍ ପ୍ରତିରୋପଣ ନହେଲେ ସୌମ୍ୟଙ୍କୁ ବଞ୍ଚାଇବା କଷ୍ଟକର। ହେଲେ ଏଥିପାଇଁ ୩୫ରୁ ୪୦ ଲକ୍ଷ ଟଙ୍କା ଆବଶ୍ୟକ ରହିଛି। ସୌମ୍ୟଙ୍କ ବାପା ତରଣୀସେନ ଜଣେ ଦିନ ମଜୁରିଆ। ପୁଅର ଚିକିତ୍ସା ପାଇଁ ସେ ଏତେ ଟଙ୍କା କେଉଁଠୁ ବା ଆଣିବେ ? ଯାହା କିଛି ସଞ୍ଚିତ ଅର୍ଥ ତାଙ୍କ ପାଖରେ ଥିଲା ତାକୁ ବିକି ଭାଙ୍ଗି ପୁଅର ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି। ଏବେ ସେ ସମ୍ପୂର୍ଣ୍ଣ ନିରାଶ୍ରୟ। ଏଭଳି ପରିସ୍ଥିତିରେ ସୌମ୍ୟଙ୍କୁ ସହାୟତା ଲାଗି ଆଗେଇ ଆସିଛନ୍ତି ସୌମ୍ୟଙ୍କ ଜନ୍ମମାଟି ନାଧରାର ଆବାଳ ବୃଦ୍ଧ ବନୀତା।
ସୌମ୍ୟଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ହସ୍ପିଟାଲ୍ ନେବାକୁ ପଡିବ। ଏଥିପାଇଁ ୪୦ଲକ୍ଷ ଟଙ୍କା ଆବଶ୍ୟକ ରହିଛି। ଦିନ ରାତି ଏକ କରି ସମସ୍ତେ ଲାଗିଛନ୍ତି ଟଙ୍କା ଯୋଗାଡ଼ କରିବାରେ। ଏପରିକି ସୌମ୍ୟଙ୍କ ପାଇଁ ନାଧରା ପଞ୍ଚାୟତର ମହିଳା ସରପଞ୍ଚ ମନସ୍ୱିନୀ ପୃଷ୍ଟି , ସୌମ୍ୟଙ୍କୁ ଶିକ୍ଷାଦାନ କରିଥିବା ହାଇସ୍କୁଲ ଶିକ୍ଷକ ଓ ଗାଁ ଲୋକେ ହାତରେ ବ୍ୟାନର ଧରି ମାଇଲ୍ ମାଇଲ୍ ରାସ୍ତା ବୁଲି ବୁଲି ସୌମ୍ୟଙ୍କ ଚିକିତ୍ସା ପାଇଁ ଭିକ୍ଷା ମାଗୁଛନ୍ତି। ମୋଟ ଆବଶ୍ୟକ ୪୦ଲକ୍ଷ ଟଙ୍କାରୁ ଏଯାଏ ୫ ଲକ୍ଷ ଟଙ୍କା ଯୋଗାଡ଼ ହୋଇଥିବା ବେଳେ ଆହୁରି ୩୦ ଲକ୍ଷରୁ ୩୫ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି।
ସୌମ୍ୟ ବାପାମା’ଙ୍କର ଏକମାତ୍ର ସନ୍ତାନ ଓ ଆଉ ସେ ଖୁବ୍ ଭଲ ସ୍ୱଭାବର ପିଲା। ଘରର ଏକମାତ୍ର ପୁଅକୁ ଭଲ କରିବା ପାଇଁ ରାଜ୍ୟବାସୀ ଓ ରାଜ୍ୟ ସରକାରଙ୍କୁ ସୌମ୍ୟଙ୍କ ବାପାମା’ ଓ ଗ୍ରାମବାସୀ ନିବେଦନ କରିଛନ୍ତି। ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ସୌମ୍ୟ ପୁଣିଥରେ କେବଳ ଗାଁକୁ ଫେରିବ ତାହା ନୁହେଁ ବରଂ ମା’ର କୋଳକୁ ତା ପୁଅ ଫେରି ଆସିବ ଏଥିରେ ସନ୍ଦେହ ନାହିଁ। ତେଣୁ ତାଙ୍କୁ ଆର୍ଥିକ ସହାୟତା ଦେବାକୁ ଗାଁ ଲୋକେ ଅନୁରୋଧ କରିଛନ୍ତି। ଏଥିପାଇଁ ସୋସିଆଲ୍ ମିଡିଆରେ ଆକାଉଣ୍ଟ ନମ୍ବର ମଧ୍ୟ ଦିଆଯାଇଛି। ଯେଉଁ ନମ୍ବରରେ ଲୋକମାନେ ସୌମ୍ୟଙ୍କ ଚିକିତ୍ସା ପାଇଁ ସହାୟତା କରିପାରିବେ।
(ଢେଙ୍କାନାଳରୁ ରାଜଶ୍ରୀ ଶତପଥୀଙ୍କ ରିପୋର୍ଟ)