• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ଥମୁନି ଛକାପଞ୍ଛା । ଆଇନଶୃଙ୍ଖଳା ଦୃଷ୍ଟିରୁ ଆସନ୍ତାକାଲି ପୁରୀରେ ହେବାକୁ ଥିବା ଉଭୟ ସପକ୍ଷ ଓ ବିପକ୍ଷବାଦୀଙ୍କ ଶୋଭାଯାତ୍ରା ଓ ଦୀପଦାନ କାର୍ଯ୍ୟରେ ପ୍ରଶାସନ ରୋକ୍ ଲଗାଇଥିଲେ ବି ଭିତରେ ଭିତରେ ଜାରି ରହିଛି ବାଦବିବାଦ ସ୍ଥିତି । ଐତିହ୍ୟ କରିଡର ନାଁରେ ଶ୍ରୀମନ୍ଦିର ଚାରିପାଖେ ବେଆଇନ୍ ଖନନକୁ ବିରୋଧ କରି ଶରଧାବାଲିରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯିବାକୁ ସଜବାଜ ହୋଇଥିବା ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ଆଇନଶୃଙ୍ଖଳାକୁ ସମ୍ମାନ ଜଣାଇ ଆସନ୍ତାକାଲିର ଶୋଭାଯାତ୍ରାକୁ ସ୍ଥଗିତ ରଖିଛି ।

ହେଲେ ପରବର୍ତ୍ତୀ ସମୟରେ ପଦଯାତ୍ରା ହୋଇପାରେ ବୋଲି କହିଛନ୍ତି ଅଭିଯାନର ଆବାହକ । ତେଣେ ପୂର୍ବରୁ ଚର୍ଚ୍ଚା ହେଉଥିଲା, ଆସନ୍ତାକାଲି ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ପକ୍ଷରୁ ହେବାକୁ ଥିବା ରାଲିରେ ସାମିଲ ହୋଇଥାନ୍ତେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ହେଲେ ଆଜି ପୁରୀ ପ୍ରଶାସନ ରାଲିକୁ ଅନୁମତି ନଦେବା ପରେ ଅପରାଜିତା ନିଜେ ଆଜି ଏକ ଟ୍ୱିଟ୍ କରି ଜଗନ୍ନାଥଙ୍କ ଆଶିର୍ବାଦ ନେବାକୁ ସେ ଆସନ୍ତାକାଲି ପୁରୀ ଯିବେ ବୋଲି ଲେଖିଛନ୍ତି ।

ସେପଟେ ଆସନ୍ତାକାଲିର ଶୋଭାଯାତ୍ରାକୁ ବିରୋଧ କରି ପୁରୀ ମାର୍କେଟ୍ ଛକରେ ସମୂହ ଦୀପଦାନର ଆୟୋଜନ କରିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସୁରକ୍ଷାମଞ୍ଚକୁ ବି ଅନୁମତି ନମିଳିବା ପରେ, ମଞ୍ଚ କହିଛି ଯେ ଦୀପଦାନ ନହେଲେ ନାହିଁ ବରଂ ଜଗନ୍ନାଥଙ୍କ ପ୍ରକଳ୍ପ କାମ ସୁରୁଖୁରୁରେ ଶୀଘ୍ର ଶେଷ ହେଉ ।

ସେପଟେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସୋସିଆଲ୍ ମିଡିଆରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରଖିଛନ୍ତି କଡ଼ା ପ୍ରତିକ୍ରିୟା । ସମ୍ବିତ୍ ଲେଖିଛନ୍ତି-କଳାପାହାଡ଼ ମାନସିକତା ଆମ ଓଡ଼ିଆ ଅସ୍ମିତା ପ୍ରତି କ୍ଷତି ପହଞ୍ଚାଇବ । ଜିଦ୍ ଓ ଅହଂକାର କେବଳ ବିନାଶ ଆଡ଼କୁ ନିଏ । ରାଜନୀତି ନକରି ASI କଣ କହୁଛି, ସେଯାଏଁ ଅପେକ୍ଷା କରିବା ଦରକାର । ହାଇକୋର୍ଟଙ୍କ ନିର୍ଦ୍ଦେଶ ନଆସିବା ଯାଏ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିବା ଉଚିତ ବୋଲି ମତ ଦେଇଛନ୍ତି ସମ୍ବିତ୍ ।

ଗୋଟିଏ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଜଟିଳ ହେଉଥିବାବେଳେ ଆରଟିଆଇ ବଳରେ ମିଳିଥିବା ଏଏସ୍ଆଇର ଏକ ସଦ୍ୟ ତଥ୍ୟ, ପୁଣି ଉଠାଇଛି ପ୍ରଶ୍ନ । କେନ୍ଦ୍ରାପଡ଼ାର କ୍ଷୀତିଶ ସିଂହ ନାମକ ସୂଚନା ଅଧିକାରକର୍ମୀଙ୍କ ପାଖକୁ ଆସିଥିବା ଚିଠିରେ ସ୍ପଷ୍ଟ ଭାବେ ଏଏସ୍ଆଇ ଲେଖିଛି, ଶ୍ରୀଜଗନ୍ନାଥ ଐତିହ୍ୟ ପ୍ରକଳ୍ପର ନିର୍ମାଣ କାମ ପାଇଁ ଏଏସ୍ଆଇ ଭୁବନେଶ୍ୱର ସର୍କଲ ପକ୍ଷରୁ କୌଣସି ଅନୁମତି ଦିଆଯାଇ ନାହିଁ । ଏମିତିକି କୌଣସି ପ୍ରକାର ଉପଦେଶ କି ଗାଇଡ୍‌ଲାଇନ୍ ବି ପ୍ରକଳ୍ପ ପାଇଁ ଦିଆଯାଇନି ।

ତେଣୁ ପ୍ରଶ୍ନ ଉଠୁଛି, ଯଦି ଏଏସ୍ଆଇ ଅନୁମତି ଦେଇନାହିଁ, ତାହାଲେ କେମିତି ହେଉଛି ପ୍ରକଳ୍ପ କାମ ? କାହିଁକି ବେଆଇନ୍ ଖନନକୁ ବନ୍ଦ କରୁନି ଏଏସ୍ଆଇ ? କାହିଁକି ଗତ ୨୧ତାରିଖରେ ହାଇକୋର୍ଟରେ ଶୁଣାଣି ସମୟରେ ତଥ୍ୟ ଦେବାକୁ ସମୟ ମାଗିଲା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ? ଏସବୁ ଉପରେ ASI ଚୁପ୍ କାହିଁକି ?