• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମହାଲଢ଼େଇ ପୂର୍ବରୁ ମୈଦାନକୁ ଓହ୍ଲାଇଲେ ମହାଯୋଦ୍ଧା । ଗୋଟିଏ ଦିନରେ ଦେଖିବାକୁ ମିଳିଲା ରାଜ୍ୟର ପୁଳା ପୁଳା ହେଭିୱେଟଙ୍କ ପାୱାର ଶୋ' । ମୁଖ୍ୟମନ୍ତ୍ରୀ ନବୀନଙ୍କଠୁ ଆରମ୍ଭ କରି ବିଜେପିର ଅନେକ ବରିଷ୍ଠ ନେତା ଆଜି ଭରିଛନ୍ତି ନାମାଙ୍କନ । ଏଇଠୁ ବାଜିଛି ଯୁଦ୍ଧାରମ୍ଭର ବିଗୁଲ୍ ।

ରାଜ୍ୟରେ ଉପରମୁହାଁ ପଲିଟିକାଲ୍ ପାରା... ପାୱାରଫୁଲ୍ ନେତାଙ୍କ ପାୱାର ଶୋ'... ନାମାଙ୍କନ ଭରିଲେ ହେଭିୱେଟ୍ ନେତା । ବିଜେଡି ସୁପ୍ରିମୋଙ୍କଠୁ ଆରମ୍ଭ କରି ବିଜେପିର ବଡ଼ ନେତା ଆଜି ଭରିଛନ୍ତି ପ୍ରାର୍ଥିପତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ଆସନ ଭାବେ କଣ୍ଟାବାଞ୍ଜିରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରୁ ହେଲିକପଟର ଯୋଗେ ଟିଟିଲାଗଡ଼ ପହଞ୍ଚିଥିଲେ । ସେଠାରୁ ଏକ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ ଅଫିସ୍ ଯାଇ ଭରିଥିଲେ ନାମାଙ୍କନ । ଏହି ସମୟରେ ବରିଷ୍ଠ ବିଜେଡି ନେତା ଏ.ୟୁ. ସିଂହଦେଓଙ୍କ ସହ ବିଜେଡିର ଅନ୍ୟ ନେତାମାନେ ଉପସ୍ଥିତ ରହିଥିଲେ ।

ନବୀନ ଦିନକ ତଳେ ହିଞ୍ଜିଳିରୁ ବି ନାମାଙ୍କନ ଭରିଥିଲେ । ସେପଟେ ବିଜେପିର ବହୁ ହେଭିୱେଟ୍ ନେତା ବି ଆଜି ରଣାଙ୍ଗନକୁ ଓହ୍ଲାଇଛନ୍ତି । ସୁନ୍ଦରଗଡ଼ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ସିଟିଂ MP ଜୁଏଲ ଓରାମ୍ । ହଜାର ହଜାର ସମର୍ଥକ ଓ କର୍ମୀଙ୍କ ମେଳରେ ଶୋଭାଯାତ୍ରାରେ ଆସି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ଜୁଏଲ୍ ।

ସେହିପରି ବିଜେପିର ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ କୁସୁମ ଟେଟେ ବି ଭରିଛନ୍ତି ନାମାଙ୍କନ । ସମ୍ବଲପୁରରେ ମଧ୍ୟ ଦେଖିବାକୁ ମିଳିଥିଲା ପାୱାର ଶୋ' । ଏଠାରେ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିରାଟ ପଟୁଆରରେ କର୍ମୀ ଓ ସମର୍ଥକଙ୍କ ଗହଣରେ ଆସି ଦାଖଲ କରିଛନ୍ତି ପ୍ରାର୍ଥିପତ୍ର ।

ପୁରୀରେ ପାଟ ପଟୁଆର ସହ ଏଭଳି ଢଙ୍ଗରେ ନାଚି ନାଚି ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ ବିଧାୟକ ପ୍ରାର୍ଥୀ ତଥା ସିଟିଂ ଏମ୍ଏଲ୍ଏ ଜୟନ୍ତ ଷଡ଼ଙ୍ଗୀ । ଗୁଣ୍ଡିଚା ମନ୍ଦିର ନିକଟରୁ ବାହାରିଥିବା ବିରାଟ ଶୋଭାଯାତ୍ରାରେ ଜୟନ୍ତଙ୍କ ସହ ସାମିଲ ହୋଇଥିଲେ ଦଳର ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ।

ବିଜେଡିର ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ମଧ୍ୟ ବିରାଟ ଶୋଭାଯାତ୍ରାରେ ଯାଇ ପୁରୀ ଜିଲ୍ଲାପାଳଙ୍କ ଅଫିସରେ ଦାଖଲ କରିଥିଲେ ପ୍ରାର୍ଥିପତ୍ର । ଟିଟିଲାଗଡ଼ରେ ଟୁକୁନି ସାହୁ ପ୍ରାର୍ଥିପତ୍ର ଭରିଥିବା ବେଳେ ବଲାଙ୍ଗିର ଲୋକସଭା ଆସନ ପାଇଁ କଂଗ୍ରେସ୍ ପ୍ରାର୍ଥୀ ତଥା ଅଭିନେତା ମନୋଜ ମିଶ୍ର ଏବଂ ବଲାଙ୍ଗିର ବିଧାନସଭା ଲାଗି କଂଗ୍ରେସ୍ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।