• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଦୀର୍ଘ ୨୪ ବର୍ଷରେ ଯାହା ହୋଇପାରିଲା ନାହିଁ, ତାହା କରି ଦେଖାଇଛନ୍ତି ଜଣେ ଦାଦନ ଶ୍ରମିକ । ଦାଦନ ଖଟି ନିଜ ଗାଁକୁ ଯୋଗାଇଛନ୍ତି ପିଇବା ପାଣି । ଉତ୍କଟ ଜଳସଙ୍କଟ ଭିତରେ ପାହାଡ଼ ଶିଖରରୁ ଝରି ଆସୁଥିବା ବୁନ୍ଦା ବୁନ୍ଦା ଜଳକୁ ସଞ୍ଚୟ କରି ଗାଁ ଲୋକଙ୍କ ଶୋଷ ମେଣ୍ଟାଉଛନ୍ତି ଗଞ୍ଜାମ ସିନ୍ଧୁପଙ୍କ ଗାଁର ଭୀମ ବେହେରା ।

ଚାରିଆଡ଼େ ପାହାଡ଼...ଘେରିରହିଛି ଜଙ୍ଗଲ...ତାହାରି ଭିତରେ କେଉଁଠି ଲମ୍ବିଯାଇଛି ପାଇପ୍ ତ ଆଉ କେଉଁଠି ଥୁଆଯାଇଛି ପାଣି ଟାଙ୍କି । ପାହାଡ଼ ଶିଖରରେ ଓ ପାଦଦେଶରେ ରଖା ଯାଇଥିବା ପ୍ଲାଷ୍ଟିକ ଟାଙ୍କି ହିଁ ଉତ୍କଟ ଜଳସଙ୍କଟରୁ ଉଦ୍ଧାର କରୁଛି ଏଠିକାର ଜନଜାତିଙ୍କୁ । ଗଞ୍ଜାମ ପାତ୍ରପୁର ବ୍ଲକ ସିନ୍ଧୁପଙ୍କ ଗାଁରେ ଜଳ ଯୋଗାଣର ବ୍ୟବସ୍ଥା ନା ସରକାରଙ୍କର ନା କୌଣସି ଘରୋଇ ସଂସ୍ଥା କିମ୍ବା ସ୍ୱେଚ୍ଛାସେବୀଙ୍କର ।

ଜାଣି ଆଶ୍ଚର୍ଯ୍ୟ ହେବେ, ଏହା ହେଉଛି ଜଣେ ଦାଦନ ଶ୍ରମିକଙ୍କ ବୁଦ୍ଧି ଆଉ ଅଭିନବ ପରିକଳ୍ପନା । ଯାହାଙ୍କ ନାଁ ଭୀମ ବେହେରା । ୩୭ ବର୍ଷିୟ ଭୀମଙ୍କ କହିବା କଥା, ଯେହେତୁ ସରକାର ଶୁଣିଲେନି, ତେଣୁ ଦାଦନ ଖଟି ଯାହା କିଛି ଅର୍ଜିଥିଲେ, ସେହି ଟଙ୍କାରେ ଏହି ଜଳଯୋଗାଣ ବ୍ୟବସ୍ଥା କଲେ ।

କେରଳରେ ଦାଦନ ଖଟିଲେ ପରିବାରରେ ଚୁଳି ଜଳେ । ଦିନ ମଜୁରିଆ ଭାବେ ଦୈନିକ ୫ ଶହ ହିସାବରେ ମାସକୁ ରୋଜଗାର ପ୍ରାୟ ୧୫ ହଜାର ଟଙ୍କା । ଯାହା ରୋଜଗାର କରନ୍ତି, ତାକୁ ଘରକୁ ପଠାଇଲେ ଚଳନ୍ତି ୫ ପ୍ରାଣୀ କୁଟୁମ୍ବ । ସେଥିରୁ କିଛି ଖର୍ଚ୍ଚ କାଟ୍ କରି ଗ୍ରୀଷ୍ମବେଳେ ଜଳ ସଙ୍କଟରେ ଆଉଟୁପାଉଟୁ ଗ୍ରାମବାସୀଙ୍କ ପାଇଁ ଏବେ କରିଛନ୍ତି ଅଭିନବ ପାନୀୟ ଜଳ ବ୍ୟବସ୍ଥା ।

ଏ ବାବଦକୁ ଖର୍ଚ୍ଚ କରିଛନ୍ତି ୩୫ ହଜାର ଟଙ୍କା। ଗାଁ ଲୋକେ ବି କିଛି ସହଯୋଗ କରିଛନ୍ତି । ଆଉ ସେହି ସହଯୋଗରେ ବହୁ କଷ୍ଟ କରି ପାହାଡ଼ ଶିଖର ଝରଣାରୁ ପାଇପ୍ ପକାଇ ବିନ୍ଦୁ ବିନ୍ଦୁ ପାଣି ଆଣି ଶୋଷ ମେଣ୍ଟାଉଛନ୍ତି ଗ୍ରାମବାସୀଙ୍କର । ୨୪ ବର୍ଷ ହେଲା ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ୱ କରିଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କିନ୍ତୁ ବିକାଶଠୁ ଆଜି ବହୁଦୂରରେ ଭୀମ ବେହେରାଙ୍କ ସିନ୍ଧୁପଙ୍କ ଗାଁ । ଯେଉଁଠି ଗ୍ରୀଷ୍ମ ଆସିଲେ ମୁନ୍ଦାଏ ପାଣି ପାଇଁ ଯୁଝିବାକୁ ହୁଏ ଜନଜାତିଙ୍କୁ । ପ୍ରଶାସନକୁ କେତେ ଗୁହାରି ବି କରିଛନ୍ତି ଲୋକେ । ଅଥଚ କେହି ଆଡ଼ ଆଖିରେ ଚାହିନାହାଁନ୍ତି ଏହି ସମସ୍ୟାକୁ । ଶେଷରେ ସରକାର ପାରିଲେନି ବୋଲି ଭୀମ ପାଇପ୍ ରେ ୫ କିଲୋମିଟର ଦୂର ପାହାଡ଼ରୁ ପାଣି ଆଣି ଗାଁ ଲୋକଙ୍କ ଶୋଷ ମେଣ୍ଟାଉଛନ୍ତି ।

ସିନ୍ଧୁପଙ୍କ ଗାଁ ପ୍ରତି କାହିଁକି ଏଭଳି ଅଣଦେଖା, ସେନେଇ ପ୍ରଶାସନର ପ୍ରତିକ୍ରିୟା ମିଳିନାହିଁ । ହେଲେ ଦାଦନ ଶ୍ରମିକ ଭୀମଙ୍କ ଅବଦାନକୁ ଦେଖିଲେ ମନେହେଉଛି, ସେ ଦାଦନ ତ ନୁହଁନ୍ତି, ଗାଁ ଲୋକଙ୍କ ପାଇଁ ସତେ ଯେମିତି ସେ ଦେବଦୂତ ।