• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କିଶୋରଙ୍କ ପରେ ଏବେ ପିଲାଙ୍କୁ ମିଳିବ କରୋନା କବଚ । ୫ରୁ ୧୨ ବର୍ଷ ବୟସ ବର୍ଗଙ୍କ ଲାଗି ଦୁଇଟି କୋଭିଡ୍ ଟିକାକୁ ଅନୁମୋଦନ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ- DCGI । ୬ରୁ ୧୨ ବର୍ଷ ବୟସର ପିଲାଙ୍କ ଲାଗି ଭାରତ ବାୟୋଟେକ୍‌ର କୋଭିଡ୍ ଟିକା- କୋଭାକ୍ସିନ୍‌ର ଜରୁରୀ ବ୍ୟବହାରକୁ ସବୁଜ ସଙ୍କେତ ଦେଇଛି DCGI ।

ସେହିପରି ହାଇଦ୍ରାବାଦ୍‌ସ୍ଥିତ ବାୟୋଲୋଜିକାଲ-ଇ କମ୍ପାନିର କୋର୍ବେଭାକ୍ସ ଟିକାକୁ ୫ରୁ ୧୨ ବର୍ଷ ବୟସର ପିଲାଙ୍କ ବ୍ୟବହାର ପାଇଁ DCGI ଅନୁମତି ଦେଇଛି । ଏନେଇ ଟ୍ୱିଟ୍ କରି ଜଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡର ମନସୁଖ୍ ମାଣ୍ଡଭୀୟ । ସେହିଭଳି ୧୨ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗଙ୍କ ଲାଗି ଜାଇଡସ୍ କାଡିଲାର ଜାଇକୋଭ୍-ଡି ଟିକାକୁ ମଧ୍ୟ DCGI ଅନୁମୋଦନ କରିଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଏପଟେ ପିଲାଙ୍କ ପାଇଁ ଦୁଇ ଦୁଇଟି କରୋନା କବଚକୁ ଅନୁମତି ଦିଆଯିବାକୁ ସ୍ୱାଗତ କରିଛନ୍ତି ଅଭିଭାବକ ।

ଶିଶୁରୋଗ ବିଶେଷଜ୍ଞ କହିଛନ୍ତି, ସଭିଏଁ ନିଜ ପିଲାଙ୍କ ଟିକାକରଣ ପାଇଁ ଆଗେଇ ଆସନ୍ତୁ । କୋଭିଡ୍ ବିରୋଧୀ ଲଢ଼େଇରେ ସାମିଲ ହୁଅନ୍ତୁ । ମନେ ରଖନ୍ତୁ କୋଭିଡ୍ ଟିକାରେ ସାମାନ୍ୟତମ ପାର୍ଶ୍ୱପ୍ରତିକ୍ରିୟା ରହିପାରେ । ଶରୀରର ଟିକା ନେଇଥିବା ସ୍ଥାନ ଲାଲ ହୋଇପାରେ, ସାମାନ୍ୟ ଜ୍ୱର କିମ୍ବା ପୀଡ଼ା ହୋଇପାରେ  କିନ୍ତୁ ଏନେଇ ଭୟଭୀତ ହେବାର ନାହିଁ । ବଡ଼ କଥା ହେଉଛି, ଟିକା ନେଇଥିଲେ, ଆପଣଙ୍କ ପିଲା କୋଭିଡ୍‌ରେ ଗୁରୁତର ହେବନି ବୋଲି ବିଶେଷଜ୍ଞ କହିଛନ୍ତି ।

 

ଏବେ ଦେଶରେ ପୁଣି ବଢ଼ିଚାଲିଛି କରୋନା ସଂକ୍ରମଣ । ସଭିଙ୍କ ମନରେ ଚତୁର୍ଥ ଲହର ଭୟ । ଟିକା ଗବେଷଣାକାରୀଙ୍କ ମତ, ଯେପଯର୍ୟନ୍ତ ସାରା ଦେଶର ଲୋକଙ୍କୁ ଟିକା ଦ୍ୱାରା ସୁରକ୍ଷା ଯୋଗାଇ ଦିଆନଯିବ, କରୋନା ଭୂତାଣୁ ତାର ରୂପ ବଦଳାଇ ଡରାଇ ଚାଲିଥିବ । ଆମେ ସମସ୍ତେ ଟିକାକରଣରେ ସାମିଲ ହେଲେ ହିଁ ସଂକ୍ରମଣ ହାର କମିବ, ନୂଆ ମ୍ୟୁଟେସନ ଭୟ ବି ରହିବନି ।

ଓଡ଼ିଶାରେ ୫ରୁ ୧୨ ବର୍ଷ ବୟସ ବର୍ଗରେ ପ୍ରାୟ ୫୦ ଲକ୍ଷ ପିଲା ଅଛନ୍ତି । କେନ୍ଦ୍ର ସରକାରଙ୍କ ଠାରୁ ସବିଶେଷ ଗାଇଡ୍‌ଳାଇନ୍ ଆସିଲେ, ଏ ବୟସ ବର୍ଗର ପିଲାଙ୍କ ଲାଗି ରାଜ୍ୟରେ ଆରମ୍ଭ ହେବ ଟିକାକରଣ ।