• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଡେକଚିରେ ଭରି ହୋଇ ରହିଛି କାଜୁ । ଯିଏ ଯେମିତି ପାଇଲା ସିଏ ସେମିତି ବିକିଲା । ଜରିରେ ପୂରାଇ କିଏ ଅଧକିଲେ କାଜୁ ନେଉଛି ତ ଆଉ କିଏ କିଲେ କାଜୁ ନେଇଯାଉଛି । ଆଉ ଏତେ ମାତ୍ରାରେ କାଜୁ ଫଳୁଛି ଯେ, ରାସ୍ତା କଡ଼ରେ ବିକ୍ରି ହେଉଛି କାଜୁ । ସାରା ଦେଶରେ କାଜୁ ଉତ୍ପାଦନ ପାଇଁ ଓଡ଼ିଶାର ସ୍ଥାନ ଦ୍ୱିତୀୟ ରହିଛି । ସେଇଥିପାଇଁ ତ କୋରାପୁଟରେ କଫି ପରେ ସବୁଠୁ ଅଧିକ ହେଉଛି କାଜୁ ଚାଷ । ଆଉ ଏଠାକାର କାଜୁକୁ ଯିଏ ଖାଇଛି ସିଏ ତାହାର ସ୍ୱାଦ ଜାଣିଛି । ହେଲେ କାଜୁ ବିକ୍ରୀର ସଠିକ ବଜାର ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାଜୁ ଚାଷୀ ।

କୋରାପୁଟର ପାଣିପାଗ କାଜୁ ଚାଷକୁ ବେଶ ସୁହାଉଛି । ସେଇଥିପାଇଁ ତ ପ୍ରତିବର୍ଷ ହଜାର ହଜାର ହେକ୍ଟର ଜମିରେ ହେଉଛି କାଜୁ ଚାଷ । ଆଉ ଏଠାରୁ ଉତ୍ପାଦନ ହେଉଥିବା କାଜୁ, ପଡୋଶୀ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଚେନ୍ନାଇ ସହ ଆନ୍ଧ୍ରକୁ ପ୍ରବଳ ମାତ୍ରାରେ ରପ୍ତାନୀ ହୁଏ ।

ବର୍ତ୍ତମାନ ସମୟରେ କାଜୁକୁ ଏଠାକାର ଚାଷୀ ରାସ୍ତା କଡ଼ରେ ବସି କିଲୋ ପିଛା ୫୦୦ ଟଙ୍କାରେ ବିକ୍ରି କରୁଛନ୍ତି । ହେଲେ ବେପାରୀ ସେମାନଙ୍କଠାରୁ କମ୍‌ ଟଙ୍କାରେ କିଣି ଅଧିକ ଟଙ୍କାରେ ଅନ୍ୟତ୍ର ବିକ୍ରି କରୁଥିବା ନେଇ ବି କୁହାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚାଷୀଙ୍କୁ ଉପଯୁକ୍ତ ଟ୍ରେନିଂ ଦିଆଯାଉନଥିବା କାରଣରୁ ଜିଲ୍ଲାରେ ଧୀରେ ଧୀରେ କମିଲାଣି କାଜୁ ଚାଷ । ଖାଲି ଏତିକି ନୁହେଁ ବରଂ ଖାଲି ଚାରା ଯୋଗାଇ ଦେଇ ନିଗମ ଚୁପ ହୋଇ ବସୁଛି ବୋଲି ଅଭିଯୋଗ ବି ହୋଇଛି ।

ଚାଷୀଙ୍କ କହିବା କଥା ଜିଲ୍ଲାରେ ଗୋଟିଏ ହେକ୍ଚର ଜମିରୁ ପ୍ରାୟ ୫୦୦ କେଜି କାଜୁ ଅମଳ ହେଉଛି । କିନ୍ତୁ ଉପଯୁକ୍ତ ତାଲିମ ସହ ସରକାରୀ ସହଯୋଗ ମିଳିଲେ ବହୁ ଅଧିକ କାଜୁ ଉତ୍ପାଦନ ହେବା ସହ କଫି ପରି କୋରାପୁଟିଆ କାଜୁର ଗୋଟିଏ ନିଆରା ବ୍ରାଣ୍ଡ ହୋଇପାରନ୍ତା ବୋଲି ଚାଷୀ କହିଛନ୍ତି ।

ଜିଲ୍ଲାରେ ଏତେ ପରିମାଣରେ କାଜୁ ଚାଷ ହେଉଛି ସତ ହେଲେ ଏ ପର୍ଯ୍ୟନ୍ତ କାଜୁ ପ୍ରକ୍ରିୟାକରଣ ୟୁନିଟ୍‌ ହୋଇନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ତୁରନ୍ତ ଜିଲ୍ଲାରେ ପ୍ରକ୍ରିୟାକରଣ ୟୁନିଟ୍‌ ସହ ଶୀତଳଭଣ୍ଡାର ନିର୍ମାଣ କରିବା ପାଇଁ ଜୋର ଧରିଲାଣି ଦାବି ।

 

 

(ରିପୋର୍ଟ- ସୂର୍ଯ୍ୟନାରାୟଣ ପଣ୍ଡା)