• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଦ୍ୟୁତ ବିଭାଗର ଚରମ ଅବହେଳା ପାଇଁ ଯନ୍ତ୍ରଣାରେ ଛଟପଟ ହେଉଛି କୁନି ପୁଅ । ବିନା ଦୋଷରେ ମେଡିକାଲ ବେଡ୍‌ରେ ପଡ଼ିଛି । ବାରମ୍ବାର ହାତକୁ ଚାହୁଁଛି ଆଉ ସେଇ ଦୁର୍ଘଟଣା କଥାକୁ ସତେ ଯେମିତି ମନେ ପକାଉଛି । ଏତେ କୁନି ବୟସରେ ସେ କାହିଁକି ବା ଜାଣିବ ତାହା ଥିଲା ୧୧ କେଭି ବିଦ୍ୟୁତ ତାର । ହେଲେ ଏବେ ଦୁଇଟି ହାତ ହରାଇବା ପରେ ମେଡିକାଲ ବେଡ୍‌ରେ ପଡ଼ିଛି ।

ଘର ଛାତ ପାଖରେ ଓହଳି ରହିଥିଲା ୧୧ କେଭି ବିଦ୍ୟୁତ ତାର । ଛାତ ଉପରକୁ ଗଲେ ପ୍ରାଣ ଯେ, କେତେବେଳେ ଚାଲିଯିବ ତାହା କେହି ବି କହିପାରିବେ ନାହିଁ । ଦେବଗଡ ଜିଲା ରିଆମାଳର ଲକ୍ଷ୍ମୀପୁର ଗାଁରେ ବିଦ୍ୟୁତ ବିଭାଗର ଏଭଳି ଚରମ ଅବହେଳା ପାଇଁ କଷ୍ଟ ପାଉଛି କୁନି ପୁଅ ।

ଗାଁରେ ପବନୀ ବେହେରାଙ୍କ ନିର୍ମାଣାଧିନ ପ୍ରଧାନମନ୍ତ୍ରୀ ଆବାସ ଗୃହର ଛାତକୁ ଲାଗି ୧୧ କେଭି ବିଦ୍ୟୁତ ତାର ଝୁଲୁଥିଲା । ହେଲେ ଅଘଟଣ ଘଟିବାର ଆଶଙ୍କା ଥିବାରୁ ଅଧିକ ଉଚ୍ଚରେ ବିଦ୍ୟୁତ ତାର ଟାଣିବାକୁ ବିଦ୍ୟୁତ ବିଭାଗ କର୍ତୃପକ୍ଷଙ୍କ ନିକଟରେ ଏକାଧିକବାର ଅଭିଯୋଗ କରିଥିଲେ ପବନୀ । କିନ୍ତୁ ଅବନୀଙ୍କ ଗୁହାରୀ ଶୁଣିନଥିଲା ବିଜୁଳି ବିଭାଗ ।

ଛାତ ଉପରେ ଏତେ ପାୱାର ଫୁଲ ତାର ଝୁଲିଥିଲା, ଆଉ ନିଜର ଅଜାଣତରେ ସେଇ ତାର ସଂସ୍ପର୍ଶରେ ଆସିଯାଇଥିଲା କୁନି ପୁଅ ମୁନା ମାଝୀ । ଖେଳୁ ଖେଳୁ ତାରରେ ହାତ ଲାଗିଯିବା କାରଣରୁ ସେ ଚିତ୍କାର ବି କରିଥିଲା । ଫଳରେ ପରିବାର ଓ ଗାଁ ଲୋକ ଦଉଡ଼ି ଆସିବା ସହ ମୁନାକୁ ଛତାବର ଡାକ୍ତରଖାନାକୁ ନେଇଥିଲେ । ମାତ୍ର ବିଦ୍ୟୁତ ଅଘାତରେ ମୁନାଙ୍କ ୨ ହାତର ଅର୍ଦ୍ଧାଧିକ ପୋଡିଯାଇଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ।

କିନ୍ତୁ ମୁନାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ କଟକ ବଡ଼ ମେଡିକାଲ ଆଉ ତାପରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲା ମୁନା । କିନ୍ତୁ ଡାକ୍ତରଙ୍କ ଚିକିତ୍ସା ପରେ ତାର ଦୁଇ ପାପୁଲିକୁ କଟାଯାଇଛି । ତେବେ ପୁଅର ଏ ଅବସ୍ଥାକୁ ନେଇ ବିଜୁଳି ବିଭାଗ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ ବି କରିଥିଲେ ମୁନାଙ୍କ ବାପା । ହେଲେ ବିଦ୍ୟୁତ ବିଭାଗ କେବଳ ଖୁଂଟ ଘୁଂଚାଇ ଦେବା ସହ ତଦନ୍ତ ହେବ ବୋଲି କହି ଚୁପ ବସିଛି । ସେପଟେ ବିଦ୍ୟୁତ ବିଭାଗ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି କରିଛନ୍ତି ପଡୋଶୀ ଓ ପରିବାର ।

 

(ରିପୋର୍ଟ-ସିଦ୍ଧାର୍ଥ ଗୁରୁ)