• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ହାଇକୋର୍ଟଙ୍କ ବଡ଼ ରାୟ

  • କହିଲେ, ପାର୍କିଂ ଫି' ନେବା ବେଆଇନ

ଗ୍ରାହକଙ୍କ ଠାରୁ ପାର୍କିଂ ଫି ଆଦାୟ ବେଆଇନ । କେରଳ ହାଇକୋର୍ଟ ଏକ ମାମଲାର ବିଚାର କରି ଏହି ଆଦେଶ ଦେଇଛନ୍ତି । ଶପିଂ ମଲ୍ ଗୁଡିକ ଦ୍ୱାରା ପାର୍କିଂ ଫି ଆଦାୟ ଆଇନତଃ ବେଆଇନ ବୋଲି ହାଇକୋର୍ଟ କହିଛନ୍ତି । ଯଦି ପାର୍କିଂ ଫି ଆଦାୟକୁ ଅନୁମତି ଦିଆଯିବ, ତେବେ ଶପିଂ ମଲ୍ ଗୁଡିକ ଲିଫ୍ଟ ସର୍ଭିସ ପାଇଁ ମଧ୍ୟ ଫି ଆଦାୟ କରିବେ ବୋଲି ହାଇକୋର୍ଟ କହିଛନ୍ତି ।

କୋଚିର ଲୁଲୁ ଇଣ୍ଟରନ୍ୟାସନାଲ ଶପିଂ ମଲରେ ଗ୍ରାହକମାନଙ୍କ ଠାରୁ ପାର୍କିଂ ଫି ଆଦାୟ କରାଯାଉଥିବା ନେଇ ବସ୍କୋ ଲୁଇସ୍ ଓ ପଉଲି ଭଡକାନ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ଏହି ପାର୍କିଂ ଫି ଆଦାୟକୁ ବନ୍ଦ କରାଯିବାକୁ ସେମାନେ ପ୍ରାର୍ଥନା କରିଥିଲେ ।

ଲୁଲୁ ମଲର ଓକିଲ ହାଇକୋର୍ଟଙ୍କୁ ଜଣାଇଥିଲେ ଯେ, ବସ୍କୋ ଲୁଇସ୍ ଏହି ମଲକୁ କେବେ ବି ଆସନ୍ତି ନାହିଁ । ତେଣୁ ପାର୍କିଂ ଫି ଆଦାୟ ନେଇ ତାଙ୍କ ସହ କୌଣସି ସଂପର୍କ ନାହିଁ । ବ୍ୟକ୍ତିଗତ ଭାବେ ତାଙ୍କର କୌଣସି ଅଭିଯୋଗ ନାହିଁ ବୋଲି ସେ କହିଥିଲେ । ତେବେ ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ । ହାଇକୋର୍ଟ କହିଥିଲେ, ସେ ଏକ ଜନସ୍ୱାର୍ଥ ସମ୍ୱଳିତ ପ୍ରସଙ୍ଗ ଉଠାଇଛନ୍ତି ।

ଏହି ମାମଲାରେ ମୁମ୍ୱାଇସ୍ଥିତ ଶପିଂ ସେଣ୍ଟର୍ସ ଆସୋସିଏସନ ଅଫ୍ ଇଣ୍ଡିଆ ପକ୍ଷଭୁକ୍ତ ହେବାକୁ ଏକ ଆବେଦନ କରିଥିଲେ । ହାଇକୋର୍ଟ ତାଙ୍କୁ ପକ୍ଷଭୁକ୍ତ କରି ତାଙ୍କର ଯୁକ୍ତି ଶୁଣିଥିଲେ । ଲୁଲୁ ମଲ୍ ଉପରେ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ଆଧାର କରି ସାରା ଦେଶରେ ଗ୍ରାହକମାନେ ପାର୍କିଂ ଫି ଦେଉନାହାନ୍ତି । ହାଇକୋର୍ଟ କହିଥିଲେ ଯେ, ବିଲ୍ଡିଂ ରୁଲ୍ ଅନୁସାରେ ବିଲ୍ଡିଂ ନିର୍ମାଣ ପାଇଁ ଯଥେଷ୍ଟ ପାର୍କିଂ ଏରିଆ ଦରକାର । ପାର୍କିଂ ଅଞ୍ଚଳ ବିଲ୍ଡିଂର ଏକ ଅଂଶ । ତେଣୁ ମାଲିକ ପାର୍କିଂ ଫି ଆଦାୟ କରିପାରିବ ନାହିଁ । ମଲ୍ ରେ ପାର୍କିଂ ଫି ବେଆଇନ ବୋଲି ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ।

ଏହା ପରେ ଶପିଂ ସେଣ୍ଟରର ଓକିଲ କହିଥିଲେ ଯେ, ଗୋଟିଏ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ମଧ୍ୟ ପାର୍କିଂ ଏରିଆର ଆବଶ୍ୟକତା ରହିଛି । ଏହା ଲେକମାନଙ୍କୁ ବିକ୍ରି କରିଦିଆଯାଇଛି । ବିଚାରପତି ଜଷ୍ଟିସ ପିଭି କୁନହିକ୍ରିଷ୍ଣନ କହିଥିଲେ ଯେ, ଆପାର୍ଟମେଣ୍ଟ ହେଲେ ବି ଆମକୁ ନିଷ୍ପତ୍ତି ନେବାକୁ ପଡିବ । ଯେ କୌଣସି ବହୁତଳ ପ୍ରାସାଦ ପାଇଁ ପାର୍କିଂ ଏରିଆ ରହିବା ଜରୁରୀ । ଏହା ହିଁ ବିଲ୍ଡିଂ ରୁଲର ଉଦ୍ଦେଶ୍ୟ ।

ଆସୋସିଏସନ ପକ୍ଷରୁ କୁହାଯାଇଥିଲା ଯେ, ମଲ୍ ମଝିରେ ଥିବା ପାର୍କିଂ ଏରିଆ ପ୍ରତ୍ୟେକ ମଲ୍ ଅପରେଟରଙ୍କର ଘରୋଇ ସଂପତ୍ତି । ତେଣୁ ମଲ୍ ମାଲିକମାନଙ୍କୁ ମାଗଣା ପାର୍କିଂ ପାଇଁ ବାଧ୍ୟ କରାଯାଇପାରିବ ନାହିଁ । ପାର୍କିଂ ଏରିଆରେ ଗାଡି ରଖି ଲୋକମାନେ ପାର୍କିଂ ଫି ଦେବାକୁ ଅମଙ୍ଗ ହୁଅନ୍ତି ବୋଲି ଆସୋସିଏସନ ପକ୍ଷରୁ ଦର୍ଶାଯାଇଥିଲା । ପାର୍କିଂ ଏରିଆରେ ସିକ୍ୟୁରିଟି ଗାର୍ଡ ନିୟୋଜନ ସହ ଅନ୍ୟାନ୍ୟ ସୁବିଧାସୁଯୋଗ ମଧ୍ୟ ଦିଆଯାଇଥାଏ । ଏଥିପାଇଁ ଅର୍ଥ ବ୍ୟୟ ହୋଇଥାଏ । ପାର୍କିଂ ଏରିଆ ପାଇଁ ପ୍ରପର୍ଟି ଟ୍ୟାକ୍ସ ଦେବାକୁ ପଡିଥାଏ ବୋଲି ଯୁକ୍ତି ଦର୍ଶାଯାଇଥିଲା ।

କେବଳ ସେତିକି ନୁହେଁ, ବିମାନ ବନ୍ଦର, ରେଳ ଷ୍ଟେସନ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଗରେ ପାର୍କିଂ ଫି ଆଦାୟ କରାଯାଉଥିବା ବେଳେ ଜାତୀୟ ରାଜପଥରେ ଟୋଲଗେଟରେ ୟୁଜର ଫି ଆଦାୟ କରାଯାଉଛି । ଶପିଂ ମଲ ପାଇଁ ଏଭଳି ଆଦେଶ ଦିଆଯିବା ଉଚିତ ନୁହେଁ ବୋଲି ଆସୋସିଏସନ ପକ୍ଷରୁ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ 21 ତାରିଖରେ କରାଯିବାକୁ ସ୍ଥିର ହୋଇଛି ।