ସାଲେପୁର( ମନୋଜ ଆଚାର୍ଯ୍ୟ) : ଖଡ଼ି ଧରାଇ ପାଠ ଶିଖାନ୍ତି । ନିରୀହ ଆଖିକୁ ସ୍ୱପ୍ନ ଦେଖିବାର ଇନ୍ଧନ ଯୋଗାନ୍ତି । ବିନା ପାରିଶ୍ରମିକରେ ବର୍ଷ ବର୍ଷ ଧରି ପାଠ ପଢ଼ାଉଛନ୍ତି ଭିନ୍ନକ୍ଷମ ଶିକ୍ଷକ । ଆଉ ଚାଳିଶି ବର୍ଷର ଚାଟଶାଳୀରେ ଦିନ ରାତି ସାଧନା ଜାରି ରଖିଛନ୍ତି । ଶହ ଶହ ପିଲା ତାଙ୍କ ଚାଟଶାଳୀର ପାଠ ପଢ଼ି ମଣିଷ ହୋଇଛନ୍ତି । ହେଲେ ତାଙ୍କର ନା କିଛି ଅଭିଯୋଗ ଅଛି ନା ଅଭିମାନ । ନିଜର ବୋଲି ବି କେହି ନାହାନ୍ତି । ତାଙ୍କୁ ଶିକ୍ଷା ଦୁନିଆର ରାଜା କହିଲେ ଅତ୍ୟୁକ୍ତି ହେବ ନାହିଁ । କେବଳ ଛାତ୍ରଛତ୍ରୀ ମାନେହିଁ ତାଙ୍କର ଆପଣାର ଆଉ ନିଜର । ଏଭଳି ଜଣେ ଭିନ୍ନକ୍ଷମ ଶିକ୍ଷକ ହେଲେ କଟକ ଜିଲ୍ଲା ସାଲେପୁର ବ୍ଲକ କାଳିକାପୁରେ ଗାଁର ଗୋବିନ୍ଦ ଚନ୍ଦ୍ର ପତି ଗୁରୁଜୀ।
ସମସ୍ତଙ୍କର ଅତି ପ୍ରିୟ ଆଉ ଆପଣାର ଗୋବିନ୍ଦ ଗୁରୁଜୀ । ଜନ୍ମରୁ ପୋଲିଓ ଗ୍ରସ୍ତ । ନିତ୍ୟକର୍ମ ସାରିବା ପରେ ଘୁଷୁରୀ ଘୁଷୁରୀ ପ୍ରତିଦିନ ଘରୁ ବାହାରି ଆସି ଦାଣ୍ଡ ପିଣ୍ଡାରେ ବସନ୍ତି । ଆଉ ଗାଁ ରାସ୍ତାକୁ ଲାଗି ତାଙ୍କର ଛୋଟିଆ କୁଡ଼ିଆ ଘର ଆଗରେ ଚାଟଶାଳୀ ଆରମ୍ଭ ହୁଏ । ସେଇଠି ଦିନକୁ ଦୁଇ ଓଳି ପାଠ ପଢା । ସକାଳେ ଆଉ ସନ୍ଧ୍ୟାରେ । ଆଖପାଖ ୪ ଖଣ୍ଡ ମୌଜାରୁ ପିଲାମାନେ ଆସନ୍ତି ଗୋବିନ୍ଦ ଗୁରୁଜୀଙ୍କ ପାଖକୁ । ଅନେକ ଅଭିଭାବକ ମଧ୍ୟ ସେମାନଙ୍କ ଛୋଟ ଛୋଟ ପିଲାଙ୍କୁ ସାଙ୍ଗରେ ଆଣି ଗୋବିନ୍ଦ ଗୁରୁଜୀଙ୍କ ପାଖରେ ପାଠ ପଢିବା ପାଇଁ ଛାଡ଼ି ଯାଆନ୍ତି । ଗୁରୁଜୀ ମଧ୍ୟ ବେଶ ଆଦର ସହ ପିଲା ମାନଙ୍କୁ ପାଠ ପଢ଼ାନ୍ତି ।
ଆନନ୍ଦ ପାଇଁ ପିଲାଙ୍କୁ ପାଠ ପଢ଼ାଏ । ଖାଲି ବସିବା ଅପେକ୍ଷା ପିଲାଙ୍କୁ ପାଠ ପଢ଼ାଇବାକୁ ଭଲ ଲାଗେ । ମନରେ ଅନେକ ଉତ୍ସାହ ଆସେ । ଏବେ ପ୍ରାୟ ୨୦୦ ପିଲା ପାଠ ପଢ଼ୁଛନ୍ତି । ଅନେକ ପିଲା ମଣିଷ ହୋଇଛନ୍ତି । ମୋତେ କୌଣସି ପାରିଶ୍ରମିକ ନଦେଲେ ବି ମନରେ ଟିକିଏ ଦୁଃଖ ନାହିଁ । ପୁରୁଣା ପିଲା ଦେଖା ହେଲେ ସାର୍ ବୋଲି କହି ଆସି ନମସ୍କାର ହୁଅନ୍ତି । ତାହା ହିଁ ମୋ ପାଇଁ ଅସଲ ପାରିଶ୍ରମିକ । ମୋର ଆଉ କ’ଣ ହେବ ବୋଲି ସେ କହନ୍ତି ।
ଶହ ଶହ ପିଲା ଗୁରୁଜୀଙ୍କ ଠାରୁ ପାଠ ପଢି ଗଲେଣି । ହେଲେ ଆଜିଯାଏଁ କେବେ ସେ ଏଥିପାଇଁ କୌଣସି ବେତନ ନେଇନାହାନ୍ତି । ବାସ ଯାହା କିଛି ଗାଁ ଲୋକେ ଖୁସିରେ ଖାଇବା ରହିବା ପାଇଁ ଦିଅନ୍ତି ସେଇଥିରେ ଗୁଜୁରାଣ ମେଣ୍ଟେ । ଗୋବିନ୍ଦ ଗୁରୁଜୀଙ୍କ କେବଳ ଏକମାତ୍ର ନିଶା ପିଲାଙ୍କୁ ପାଠ ପଢ଼ାଇବା । ଆଉ ସେଇଥିରେ ତାଙ୍କୁ ମିଳେ ଅନେକ ଆତ୍ମତୃପ୍ତି । ଶିକ୍ଷକତାକୁ ବ୍ରତ କରି ସମଗ୍ର ଜୀବନ ଜୀଉଥିବା ଏହି ବ୍ୟକ୍ତି କେବେ ହେଲେ ସମାଜରୁ ସ୍ୱୀକୃତି ଚାହାନ୍ତି ନାହିଁ । କାରଣ ଛାତ୍ରଛାତ୍ରୀମାନେ ହିଁ ତାଙ୍କର ସବୁଠୁ ବଡ଼ ସମ୍ପତ୍ତି ।