• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଘର ଗଲା, ଜମି ଗଲା । ପ୍ରତିବଦଳରେ ଟଙ୍କା ତ ମିଳିଲା, ହେଲେ ସବୁଦିନ ପାଇଁ ଶାନ୍ତି ଚାଲିଗଲା । ଏମିତିକି ଏପର୍ଯ୍ୟନ୍ତ ପ୍ରକଳ୍ଫ ଲୋକାର୍ପଣ ପାଇଁ ନିମନ୍ତ୍ରଣ ପତ୍ରଟିଏ ମିଳିଲାନି, କି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବାକୁ ପରିଚୟ ପତ୍ର ବି ମିଳିଲାନି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ଆଉ ମଝିରେ ମାତ୍ର ୬ ଦିନ ଥିଲାବେଳେ ଆଜି ଏମିତି କ୍ଷୋଭ ବାଢ଼ିଛନ୍ତି ପରିକ୍ରମା ପ୍ରକଳ୍ପ ବିସ୍ଥାପିତ । ତେବେ ବଡ଼ କଥା ହେଉଛି ବିସ୍ଥାପିତଙ୍କ ଏ କ୍ଷୋଭକୁ ନେଇ ତୁଣ୍ଡ ଖୋଲିଲାନି ପ୍ରଶାସନ ।

ସିଂହଦ୍ୱାର ଗୁମୁଟରେ ରଙ୍ଗ ମରା ଚାଲିଛି... ଯଜ୍ଞ ଘର ବନା ହେଉଛି... ଆସିବାକୁ ଥିବା ଅତିଥିଙ୍କ ପାଇଁ ଟେଣ୍ଟ ଲାଗୁଛି... ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସଜେଇ ହେଉଛି, ପ୍ରସ୍ତୁତ ହେଉଛି, ଖୁସିରେ ଉଛୁଳି ଆସୁଛି ଶ୍ରୀକ୍ଷେତ୍ର... ହେଲେ ଏପଟେ କିନ୍ତୁ ଗୁମୁରି କାନ୍ଦୁଛି ପ୍ରକଳ୍ପ ପାଇଁ ଭିଟାମାଟି ଛାଡ଼ି ଥିବା ବିସ୍ଥାପିତଙ୍କ ମନପ୍ରାଣ...

ଖାଲି ବସନ୍ତ ମଞ୍ଜରୀ କି ସସ୍ମିତା ନୁହଁନ୍ତି, ଏ ଦୁଃଖ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବାସ ହରାଇଥିବା ପ୍ରତିଟି ମଣିଷର । ପରିକ୍ରମା ପ୍ରକଳ୍ପ ପାଇଁ ଭିଟାମାଟି ଯିବା ପରେ ଟଙ୍କା ମିଳିଲା... ମନ୍ଦିର ପାଖରୁ ଘର ଓ ଦୋକାନ ଉଚ୍ଛେଦ ପରେ ମିଳିଥିବା ଟଙ୍କାରେ ବସନ୍ତମଂଞ୍ଜରୀଙ୍କ ଭଳି କିଏ ଛପନ ଛକରେ ପୁଣି ଘର ବସେଇ ରହିଛନ୍ତି, ତ କିଏ ସସ୍ମିତାଙ୍କ ଭଳି ଲୋକନାଥ ରୋଡରେ ନୂଆ ବାସ ତୋଳି ରହୁଛନ୍ତି । ହେଲେ ଏମାନଙ୍କ ପାଇଁ ନିଇତି ଜଗା ଦର୍ଶନ କରି ନପାରିବାର ଅବସୋସ ବାଦେ ଯାହା ସବୁଠୁ ବେଶି ଦୁଃଖ ଦେଉଛି ତାହା ହେଲେ ପ୍ରଶାସନର ଏମାନଙ୍କ ତ୍ୟାଗକୁ ପାସୋରାପଣ ।

ଏସବୁ ପରିବାରଙ୍କ ଅଭିଯୋଗ, ଯେଉଁ ପରିକ୍ରମା ପ୍ରକଳ୍ପ ପାଇଁ ଆମେ ବାସହରା ହେଲୁ ସେହି ପ୍ରକଳ୍ପରେ କେଉଁଠି ବି ଆମ ନାଁ ନାହିଁ । ସବୁ ବିସ୍ଥାପିତଙ୍କୁ ପରିଚୟପତ୍ର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ବି ମିଳିଲାନି । ଏମିତିକି ୧୭ ତାରିଖରେ ଲୋକାର୍ପଣ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ଏଯାଏଁ ନିମନ୍ତ୍ରଣପତ୍ରଟିଏ ବି ମିଳିଲାନି । ତେବେ ପୂର୍ବରୁ ଶିଳାନ୍ୟାସ ସମୟରେ ନିମନ୍ତ୍ରଣ ଓ ସମ୍ମାନ ଦିଆଯାଇଥିବାରୁ, ଉତ୍ସବକୁ ଆହୁରି ୬ଦିନ ଥିବାରୁ ଆଶା ବି ଛାଡ଼ି ନାହାନ୍ତି ବିସ୍ଥାପିତ । ହେଲେ ବିସ୍ଥାପିତଙ୍କ କ୍ଷୋଭ ଭରା ଏସବୁ ଦାବି ସଂପର୍କିତ ପ୍ରଶ୍ନକୁ କିନ୍ତୁ ଏଡ଼ାଇ ଯାଇଛନ୍ତି ଜିଲ୍ଲାପାଳ ।

ଏପଟେ ପରିକ୍ରମା ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଓବିସିସି ସଂସ୍ଥା ସବୁ କାମ ସାରି ଆସନ୍ତାକାଲି ପ୍ରଶାସନକୁ ପରିକ୍ରମାସ୍ଥଳୀ ହସ୍ତାନ୍ତର କରିବ । ତା’ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା ସହ ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହା ପରେ ଲୋକାର୍ପଣ ଉତ୍ସବ ପାଇଁ ପୁରୀକୁ 60ଟି ବସ୍ ଗଡ଼ିବ ବୋଲି ସୂଚନା ଦେଇଛନ୍ତି ସୁରେଶ ମହାପାତ୍ର ।

  • Reported by:
  • PRADEEP MAHANTY , MADHUSUDAN MISHRA