• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ହାଇକୋର୍ଟ ଛାଟ ସତ୍ତ୍ୱେ ବାଲି ଉଠେଇବାକୁ ଫନ୍ଦିଫିକର କରୁଥିଲେ ରାଜ୍ୟ ସରକାର । ରୋକ୍ ଲଗେଇଦେଲେ ଅଦାଲତ । ତା’ସହ ରହିତାଦେଶ ସତ୍ତ୍ୱେ ଗଳାବାଟ ଦେଇ ବାଲି ଉଠାଣ ପାଇଁ ଗତ ୨୧ ତାରିଖରେ ଖଣିବିଭାଗ ଯେଉଁ ବିଜ୍ଞପ୍ତି କରିଥିଲା, ତା’ଉପରେ ବି ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । କଟକ ବାଲିଘାଟକୁ ଉଦାହରଣ ଭାବେ ନେବା ସହ ରାଜ୍ୟବ୍ୟାପି ବାଲି ଉଠାଣ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଫେବ୍ରୁୟାରୀ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବାବେଳେ ୪ ବର୍ଷରେ ୨୪୩ କୋଟିର ଦୁର୍ନୀତି ଅଭିଯୋଗ ଏବେ ସାମ୍ନାକୁ ଆସିଛି ।

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପୁଣି ବାଲି ଛାଟ । ବାଲି ଉଠାଣକୁ ନେଇ ପୁଣି ବର୍ଷିଲେ । ମେସିନ୍ ଜରିଆରେ ବାଲି ଉଠାଣ ଉପରେ ରୋକ ଲଗାଇଲେ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ପୁଣି ଜାରି କଲେ ସ୍ଥଗିତାଦେଶ । କଟକ ଜିଲ୍ଲାର ବାଲିଘାଟ ଗୁଡ଼ିକୁ ଉଦାହରଣ ଭାବେ ନେଇ ରାଜ୍ୟବ୍ୟାପି ବାଲିଉଠାଣ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । କେବଳ ଏତିକି ନୁହେଁ, ଗତ ୨୧ ତାରିଖରେ ଯେଉଁ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ, ତା’ଉପରେ ବି କ୍ଷୁବ୍ଧ ହେବା ସହ ସ୍ଥଗିତାଦେଶ ଜାରି କରିଛନ୍ତି ।

୨୯ ନଭେମ୍ବର, ୨୦୨୩ । ବାଲି ଉଠାଣ ପ୍ରସଙ୍ଗରେ ସ୍ଥଗିତା ଦେଶ ଜାରି କରିଥିଲେ ହାଇକୋର୍ଟ । ମେସିନ ସହାୟତାରେ ବାଲି ଉଠାଣ ବନ୍ଦ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତା’ସହ କଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ପାଇଁ ନୋଟିସ କରିଥିଲେ । ଏହାପରେ ଡିସେମ୍ବର ୨୧ରେ ମାମଲାର ଶୁଣାଣିବେଳେ ୧୪ଟି ବାଲି ଖାଦାନକୁ ବନ୍ଦ କରିବା ସହ ଅନ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାନେଇ କୋର୍ଟଙ୍କୁ ଅବଗତ କରିଥିଲେ ରାଜ୍ୟ ସରକାର ।

କିନ୍ତୁ ସେଦିନ ହିଁ ସରକାର ଏକ ବିଜ୍ଞପ୍ତି ଜାରି କରିଥିଲେ । ନିର୍ଦ୍ଦିଷ୍ଟ ବାଲିଘାଟର ଅବସ୍ଥିତି, ସେଠାରେ ବାଲିର ପରିମାଣ, ନଦୀଶଯ୍ୟା ଏବଂ ନିକଟସ୍ଥ ଚାଷପଯୋଗୀ ଜମିକୁ ବିଚାରକୁ ନେଇ ମେସିନ ସାହାଯ୍ୟରେ ବାଲି ଉଠାଯାଇପାରିବ ବୋଲି ବିଜ୍ଞପ୍ତିର ଧାରା-୪, ଉପଧାରା (G)ରେ ଦର୍ଶାଇଥିଲେ । ଏହାର ଆଜି ଶୁଣାଣି କରି ୨୧ ଡିସେମ୍ବରର ବିଜ୍ଞପ୍ତି ଉପରେ ଜାରି କରିଛନ୍ତି ରହିତାଦେଶ । ଆବେଦନକାରୀ ଏହି ବିଜ୍ଞପ୍ତି ବିରୋଧରେ କୋର୍ଟଙ୍କୁ ଯିବା ସହ ୪ ବର୍ଷରେ ୨୪୩ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଦର୍ଶାଇଛନ୍ତି । ଏହା ଉପରେ ୧୦ ଦିନ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏବେ ଦେଖିବା ରାଜ୍ୟବ୍ୟାପି କେମିତି ଖୁଲମଖୁଲ୍ଲା ଚାଲିଛି ବେଆଇନ ବାଲି ଉଠାଣ, କେମିତି ହରଣଚାଲ୍ ହେଉଛି କୋଟି କୋଟି ଟଙ୍କାର ରାଜସ୍ୱ । ଏ ହେଉଛି କେନ୍ଦୁଝର ଆନନ୍ଦପୁର ଉପଖଣ୍ଡର ଦୃଶ୍ୟ । ଲଘୁଖଣିଜ ଆଇନର ଖୋଲା ଉଲ୍ଲଂଘନ କରି ବାଲିଘାଟ ଗୁଡ଼ିକରୁ ମୋଟର ବୋଟ୍ ଯୋଗେ କମ୍ପ୍ରେସର ଦ୍ୱାରା ଉଠାଯାଉଛି ବାଲି । ଅଥଚ ନୀରବ ଖଣି ଓ ରାଜସ୍ୱ ବିଭାଗ । ରାତି ତମାମ ବଡ଼ବଡ଼ ମେସିନ ଦ୍ୱାରା ବାଲି ଉଠାଯାଇ ହାଇୱା ମାଧ୍ୟମରେ ବିନା ପରମିଟରେ କରାଯାଉଛି ଓଭରଲୋଡ୍ ପରିବହନ ।

ଆଉ ଏ ଚିତ୍ର ବାଲି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଥିବା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତହସିଲ ଇଲାକା । ବିନା ଲିଜରେ ରୁଷିକୁଲ୍ୟା ନଦୀ ଅବବାହିକାରୁ ବୁହା ଚାଲିଛି ଟ୍ରକ୍ ଟ୍ରକ୍ ବାଲି । ଏସବୁ ତ ଭାତ ହାଣ୍ଡିରୁ ଗୋଟିଏ । ରାଜ୍ୟବ୍ୟାପ ନଦୀ ଗର୍ଭରୁ ଚାଲିଛି ବାଲି ଚୋରାଚାଲାଣ । ଅଥଚ ନିଦାବିଷ୍ଣୁ ସାଜି ରାଜ୍ୟ ସରକାର ମାଫିଆଙ୍କ ପାଇଁ ଗଳାବାଟ ତିଆରି କରୁଥିବା ଅଭିଯୋଗ ହୋଇଛି ।

ରାଜ୍ୟର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଲମ୍ବିଥିବା ଏଭଳି ବାଲି ଚୋରାଚାଲାଣ ଉପରେ ପ୍ରଶ୍ନ ଉଠୁଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ହାଇକୋର୍ଟଙ୍କ ବାଲି ଛାଟକୁ ନେଇ ନାନା ଚର୍ଚ୍ଚା ଲାଗିରହିଛି । ଅପେକ୍ଷା ଆସନ୍ତା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହେବାକୁ ଥିବା ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣିକୁ ।