• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଉତ୍ସବମୁଖର ଜଗନ୍ନାଥ ଧାମ। ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଦିନ ଗୋଟାଏରୁ ସାଢ଼େ ଗୋଟାଏ ମଧ୍ୟରେ ରହିଛି ଶୁଭଲଗ୍ନ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରକଳ୍ପ ଲୋକାର୍ପଣ ପରେ ଗଜପତିଙ୍କ ଦ୍ୱାରା ଯଜ୍ଞରେ ଦିଆଯିବ ପୂର୍ଣ୍ଣାହୁତି। ତା ପରେ ସର୍ବସାଧାରଣଙ୍କ ପାଇଁ ଖୋଲିବ ପରିକ୍ରମା ମାର୍ଗ । ତେବେ ମହାଯଜ୍ଞ ସ୍ଥଳକୁ ଛଡ଼ା ଯାଉନଥିବାରୁ ସାଧୁସନ୍ଥ ଓ ଭକ୍ତଙ୍କ ମନରେ ପ୍ରକାଶ ପାଇଛି କ୍ଷୋଭ।

ସରି ଆସୁଛି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପ୍ରତୀକ୍ଷା। ପାଖେଇ ଆସୁଛି ମହାଯଜ୍ଞରେ ପୂର୍ଣ୍ଣାହୂତି ମୂହୁର୍ତ୍ତ। ଆସନ୍ତାକାଲି ବୁଧବାର, ପୌଷ ଶୁକ୍ଳ ସପ୍ତମୀ ଅପରାହ୍ନ ଗୋଟାଏ ୧୫ରୁ ସାଢ଼େ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ତା’ର ଠିକ୍ ପରେ ପରେ ସାଢ଼େ ଗୋଟାଏରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ସଂପନ୍ନ ହେବ ତ୍ରିଦିନାତ୍ମକ ଯଜ୍ଞରେ ପୂର୍ଣ୍ଣାହୂତି । ହୋମଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ଧରି ଚାଲିବ ନାମ ସଂକୀର୍ତ୍ତନ ଶୋଭାଯାତ୍ରା। ଆଜି ଯଜ୍ଞର ଦ୍ୱିତୀୟ ଦିନରେ ପଞ୍ଚକର୍ମ, ଶାଳା ପ୍ରବେଶ ଓ ନୂତନ ନିର୍ମାଣ ସ୍ଥଳରେ ସଂସ୍କାରିତ ଜଳ ସିଞ୍ଚନ ହୋଇଛି । କାଲିଭଳି ଆଜି ବି ଚାରିଦ୍ୱାରରେ ଚାଲିଛି ବେଦ ପାଠ । ସେପଟେ ଲୋକାର୍ପଣ ଉତ୍ସବ ପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ କେନ୍ଦ୍ରାଞ୍ଚଳ ଆଇଜି ଦର୍ଶନରୁ ସୁରକ୍ଷା ଯାଏଁ ସବୁକୁ ପ୍ରତ୍ୟକ୍ଷ ଅନୁଧ୍ୟାନ କରୁଛନ୍ତି। ତେଣେ ସୁରକ୍ଷା ବ୍ଲାଙ୍କେଟରେ ରହିଛି ସାରା ପୁରୀ ସହର। ଶ୍ରୀସେତୁରୁ ଶ୍ରୀମାର୍ଗ ଯାଏଁ ସବୁଠି ସରିଛି ପରୀକ୍ଷାମୂଳକ ଯାତାୟାତ।

ଗୋଟିଏ ପଟେ ଶ୍ରୀମନ୍ଦିର ବାହ୍ୟ ପରିବର୍ତ୍ତନକୁ ଦେଖି ଭକ୍ତ ଓ ବୁଦ୍ଧିଜୀବୀ ଖୁସି ବ୍ୟକ୍ତ କରୁଛନ୍ତି ସତ ହେଲେ ଶ୍ରୀମନ୍ଦିର ସେବାପୂଜା ସହ ଗଭୀର ସଂପର୍କ ରଖୁଥିବା ଐତିହ୍ୟ ସମ୍ପନ୍ନ ମଠ ମନ୍ଦିରକୁ ଯେଉଁଭଳି ଧୂଳିସାତ୍ କରାଗଲା, ପ୍ରତିଶ୍ରୃତି ମୁତାବକ ତା’ର ପୁନଃରୁଦ୍ଧାର କରାଯାଇନଥିବାରୁ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏମଆର ମଠର ପୁନରୁଦ୍ଧାର ସହ ରଘୁନନ୍ଦନ ଲାଇବ୍ରେରୀ କୁଆଡ଼େ ଗଲା ବୋଲି ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି। ତା ସହ ପରିକ୍ରମା ପ୍ରକଳ୍ପ ଭିତରେ ଥିବା କିଛି ମଠର କେବଳ ବାହ୍ୟ ପାର୍ଶ୍ୱକୁ ଯେଉଁଭଳି ଉପରଠାଉରିଆ ସୌନ୍ଦର୍ଯ୍ୟକରଣ କରାଯାଇଛି, ତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଖୋଦ୍ ମହନ୍ତ। ସେପଟେ ମହାଯଜ୍ଞ ଦର୍ଶନ ପାଇଁ ଭକ୍ତ, ସାଧୁସନ୍ଥଙ୍କୁ ବାରଣ କରାଯାଉଥିବାରୁ ବଢିଛି କ୍ଷୋଭ।

ସେପଟେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅବସରରେ ଶିଳ୍ପୀଙ୍କ ଆଖିରେ ଶ୍ରୀଜଗନ୍ନାଥ ଶୀର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରିଥିଲା ଲଳିତକଳା ଏକାଡେମୀ।

 

  • Reported by:
  • PRADEEP MAHANTY , MADHUSUDAN MISHRA