• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ରାଜ୍ୟରେ ୧୦ ବର୍ଷରେ ୨ ଗୁଣାରୁ ଅଧିକ ବଢିଛି ମୁଣ୍ଡପିଛା ଋଣ ଭାର । ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର କେତେ ଟଙ୍କାରେ ପହଞ୍ଚିବ ଓ ଗତ ୧୦ ବର୍ଷରେ ମୁଣ୍ଡପିଛା ଋଣ ଭାର କେତେରୁ କେତେ ବୃଦ୍ଧି ପାଇଛି ବୋଲି ଗୃହରେ ପ୍ରଶ୍ନ କରିଥିଲେ ବଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ୍ ଋଣର ପରିମାଣ ୧୨୨୯୧୭.୨୫ କୋଟି ଟଙ୍କା ହେବ ବୋଲି ୨୦୨୦-୨୧ ଆର୍ଥିକ ବର୍ଷରେ ଆକଳନ କରାଯାଇଛି । ଚଳିତ ଅର୍ଥ ବର୍ଷରେ ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ୨୩ ହଜାର ୭୬୧.୮୩ ଟଙ୍କା ରହିଛି । ତେବେ ୨୦୧୧-୧୨ରେ ଏହା ୯ ହଜାର ୧୪୪.୪୦ ଟଙ୍କା ଥିଲା ।

ପ୍ରାରମ୍ଭିକ ତଥ୍ୟ ଅନୁସାରେ ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୧୦୪୩୧୨.୧୨ ଟଙ୍କା ଅଟା, ଯାହା ରାଜ୍ୟର ସମସ୍ତ ଘରୋଇ ଉତ୍ପାଦର (GSDP)ର ୧୭.୮୦ ପ୍ରତିଶତ । ସେହିପରି ଗତ ୧୦ ବର୍ଷ ଭିତରେ ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ଦୁଇ ଗୁଣାରୁ ଅଧିକ ବଢ଼ିଛି । ଚଳିତ ଆଥିକ ବର୍ଷ ଶେଷ ସୁଦ୍ଧା ମୋଟ ଋଣର ପରିମାଣ ୧ ଲକ୍ଷ ୨୨ ହଜାର ୯୧୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି ।

ସେହିପରି ରାଜ୍ୟରେ କୋଭିଡ୍ ମୁକାବିଲା ଦିଗରେ କେତେ ଖର୍ଚ୍ଚ ହୋଇଛି ଏବଂ କେନ୍ଦ୍ର କେତେ ଅର୍ଥ ଦେଇଛି, ସେନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ । ବିଧାୟକ ମୌସୁଧି ବାଗ ପଚାରିଥିବା ଅଣତାରକା ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି, ରାଜ୍ୟରେ କୋଭିଡ୍ ମୁକାବିଲା ନେଇ ୨୦୨୦-୨୧ ଆର୍ଥିକ ବର୍ଷରେ ୧୪୬ କୋଟି ୪୪ ଲକ୍ଷ ଟଙ୍କା କେନ୍ଦ୍ର ଦେଇଛି ।

ସେହିପରି ୨୦୨୧-୨୨ ଆର୍ଥିକ ବର୍ଷ ଜୁଲାଇ ସୁଦ୍ଧା କେନ୍ଦ୍ର ସରକାର ୨୫୮ କୋଟି ୫୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ୨୦୨୧ ଅଗଷ୍ଟ ସୁଦ୍ଧା କୋଭିଡ୍ ପାଇଁ ୧ ହଜାର ୪୦ କୋଟି ୧୯ ଲକ୍ଷ ୨୭ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ସେଥିରୁ କେନ୍ଦ୍ର ସରକାର ୩୮ କୋଟି ୮୬ ଲକ୍ଷ ଟଙ୍କା ସହାୟତା ଦେଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।