କୋରାପୁଟ: ବିଜୁ ଗାଁ ଗାଡ଼ି। ନଗଡ଼ି ରାସ୍ତା କଡ଼ରେ ହାମୁଡ଼ିଛି। ବାଲେଶ୍ୱର ଔପଦାର ମେଡିକାଲ ପାଚେରୀ କଡ଼ରେ ଅକାମୀ ଅବସ୍ଥାରେ ପଡିଥିବା ଏ ଗାଡ଼ିଟି ୨୦୧୮ରେ ଔପଦାରୁ ନୀଳଗିରି ପର୍ଯ୍ୟନ୍ତ ଚାଲୁଥିଲା। ଗାଁକୁ ଗାଁ ବୁଲି ଲୋକ ନେବା ଆଣିବା କରୁଥିଲା। ହେଲେ ପାଖାପାଖି ୨ବର୍ଷ ହେଲାଣି ଏଇଠି ଆଣ୍ଠେଇଛି। ପରମିଟ୍ କଟିଯିବା ପରେ ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ। ତେବେ କାହିଁକି ଦୁର୍ଗମ ଅଞ୍ଚଳରେ ବିଜୁ ଗାଁ ଗାଡ଼ି ଚଳାଇବାକୁ ହୋଇଥିଲା ନିଷ୍ପତ୍ତି। ବୁଝେଇବା ଏଇଥିପାଇଁ ଦରକାର ନାହିଁ, କାରଣ ଆଜି ବି ସମାନ ସ୍ଥିତି ଜାରି ରହିଛି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଯେମିତି ଜୀବନକୁ ବାଜି ଲଗାଇ ଚାଲିଛି ଯାତ୍ରୀ ପରିବହନ। କେଉଁଠି ଟ୍ରାକ୍ଟରରେ ବେଧଡ଼କ୍ ମଣିଷ ବୁହା ଚାଲିଛି ତ, କେଉଁଠି ବସ୍ତା ଲଦିଲା ଭଳି ଅଟୋ ଓ ଜିପ୍ରେ ଯାଉଛନ୍ତି ଯାତ୍ରୀ।
ଏମିତି ବିପଜ୍ଜନକ ଯାତ୍ରାରୁ ଲୋକଙ୍କୁ ମୁକ୍ତି ଦେବାକୁ ସାତ ବର୍ଷ ତଳେ ଅର୍ଥାତ୍ ୨୦୧୪ରେ ରାଜ୍ୟ ସରକାର ବିଜୁ ଗାଁ ଗାଡ଼ି ଯୋଜନା ଆରମ୍ଭ କରିଥିଲେ। ସରକାରଙ୍କ ସହାୟତାରେ ପ୍ରାଇଭେଟ୍ ମାଲିକ ଗାଡ଼ି ଚଳାଉଥିଲେ। କେବଳ କୋରାପୁଟ ଜିଲ୍ଲାରେ ୧୨୭ଟି ଗାଡ଼ି ଚାଲିଥିଲା, ହେଲେ ସେଥିରୁ ଏବେ ଅଛି ମାତ୍ର ଗୋଟିଏ ପଚାରିବାରେ ଏହାର ପରିଚାଳନା ଦାୟିତ୍ୱରେ ଥିବା ଆରଟିଓ କଥା ବୁଲେଇ ବଙ୍କେଇ ସିଧା ନେଇ ଗାଡ଼ି ମାଲିକଙ୍କ ଫାଇନାନ୍ସ ଓ କିସ୍ତି ପୈଠ ଅବହେଳା ପାଖରେ ପହଞ୍ଚାଇଛନ୍ତି। ସେମିତି ଖଣି ଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ତ ବିଜୁ ଗାଁ ଗାଡ଼ି ପୁରା ଅଦୃଶ୍ୟ ଲୋକେ କହିଲେଣି ସରକାରଙ୍କ ଯୋଜନା ସିନା ମାଳମାଳ ହେଲେ କାର୍ଯ୍ୟ କିନ୍ତୁ ଦୁର୍ବଳ।
ପ୍ରଥମେ ୧୪, ତାପରେ ଆଉ ୫। ଏମିତି ରାଜ୍ୟର ୧୯ଟି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ଗମାନଗମନ ସୁବିଧା ଯୋଗାଇବାକୁ ୨୦୧୪ ମସିହାରୁ ଆରମ୍ଭ ବିଜୁ ଗାଁ ଗାଡ଼ି ଯୋଜନା କିଛି ବର୍ଷ ଠିକଠାକ ଚାଲିଲା ହେଲେ ଲୋକେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେଲା ବେଳକୁ ଗାଡ଼ି ସବୁ ଅଦୃଶ୍ୟ ହୋଇ ଚାଲିଲା। ଏମିତିକି କୋଭିଡ୍ ସମୟରେ ଗାଡ଼ି ଲଗାଇଥିବା ବହୁ ମାଲିକ କିସ୍ତି ଓ ଟିକସ ପୈଠ କରିବାରେ ଅସମର୍ଥ ହୋଇଗଲେ।
ତେଣୁ ପ୍ରଶ୍ନ ଉଠିଲା କାହିଁକି ବାଟବଣା ହେଲା ବିଜୁ ଗାଁ ଗାଡ଼ି? କାହିଁକି ରାସ୍ତାକଡ଼ରେ ପଡ଼ି ଖତ ଖାଉଛି ? କଣ ଗାଡ଼ିରେ ଯାଆସ ପାଇଁ ଲୋକ ହେଉନାହାନ୍ତି ନା ସରକାର ଠିକ୍ରେ ସହାୟତା ଦେଲେନି ? ଏସବୁ ଯାବତୀୟ ପ୍ରଶ୍ନ ଜନତାଙ୍କ ମନରେ ଉଙ୍କି ମାରୁଥିବାବେଳେ ପରିବହନମନ୍ତ୍ରୀ ସିଧା ଏଥିପାଇଁ କୋଭିଡ୍ କଟକଣା ସାଙ୍ଗକୁ ଲକଡାଉନ୍ ଓ ସଟଡାଉନ୍କୁ ଦାୟୀ କରିଛନ୍ତି। ତାସହ ରକ୍ଷଣାବେକ୍ଷଣ ଅଭାବକୁ ବି ଅନ୍ୟ କାରଣ ଭାବେ ଦର୍ଶାଇଛନ୍ତି। ତେବେ ଏ ଯୋଜନା ଚାଲୁ ରଖିବାକୁ ସରକାରଙ୍କ ପକ୍ଷରୁ ଯେଉଁସବୁ ପ୍ରୋତ୍ସାହନ ଆବଶ୍ୟକ, ତାହା ଜାରି ରହିଥିବା କହିଛନ୍ତି। ଏତେ ସବୁ ଆପତ୍ତି ଅଭିଯୋଗ ସତ୍ତ୍ୱେ ସାଧାରଣ ଲୋକଙ୍କ ଇଚ୍ଛା, ଆଗଭଳି ପୁଣି ଚାଲୁ ଗାଁ ଗାଡ଼ି।
ରିପୋର୍ଟ: ସୂର୍ଯ୍ୟନାରାୟଣ ପଣ୍ଡା, ସୁନୀଲ ପଣ୍ଡା, ନିରଞ୍ଜନ ବେହେରା