Advertisment

ବିଜୁ ସ୍ୱାସ୍ଥ୍ୟ କାର୍ଡରୁ କେତେ ଉପକୃତ ହିତାଧିକାରୀ?

ଗୋଡ଼ ଅପରେସନ ପାଇଁ ଯାଇଥିବା ଅକୁଲଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ପ୍ରଥମେ ରୋକଠୋକ୍ ମନା କରିଦେଇଥିଲେ। ପରେ ଅସ୍ତ୍ରୋପଚାର ହୋଇଥିଲା ସତ ହେଲେ ଅଧା ଚିକିତ୍ସାରେ।

author-image
Chandan Shishu
 BSKY Card

BSKY Card

ଭୁବନେଶ୍ୱର: କିଡନୀ ରୋଗରେ ଆକ୍ରାନ୍ତ ପଂଚାନନଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି। ପାଖରେ ପଇସା ନଥିବାରୁ ରାଜ୍ୟ ସରକାର ଦେଇଥିବା ବିଜୁ ସ୍ବାସ୍ଥ୍ୟ କାର୍ଡ ଧରି ଧାଇଁ ଆସିଥିଲେ ରାଜଧାନୀର ଆପୋଲୋ ହସ୍ପିଟାଲ। ଭାବିଥିଲେ ବଡ ହସପିଟାଲରେ ମାଗଣାରେ ଚିକିତ୍ସା ହେବ। ହେଲେ ହସପିଟାଲରେ ଏ କାର୍ଡ କାମ କରିବନି ବୋଲି କୁହାଯାଇଥିବା ପଂଚାନନ ଅଭିଯୋଗ କରିଛନ୍ତି। ଆଉ କରିବେ କଣ, ନିରାଶ ହୋଇ ଘରକୁ ଫେରିଲେ। ସେହିପରି ମାଆଙ୍କୁ ନେଇ ରାଜଗାଙ୍ଗପୁରରୁ ରାଉରକେଲାର ହାଇଟେକ୍ ହସପିଟାଲ ଯାଇଥିବା ଅକୁଲ ଲାକ୍ରାଙ୍କ ସମସ୍ୟା ବି ଅଳ୍ପ ବହୁତ ପଂଚାନନଙ୍କ ଭଳି। ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ ନେଇ ମାଆଙ୍କ ଗୋଡ଼ ଅପରେସନ ପାଇଁ ଯାଇଥିବା ଅକୁଲଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ପ୍ରଥମେ ରୋକଠୋକ୍ ମନା କରିଦେଇଥିଲେ। ପରେ ଅସ୍ତ୍ରୋପଚାର ହୋଇଥିଲା ସତ ହେଲେ ଅଧା ଚିକିତ୍ସାରେ।

Advertisment

କର୍ତ୍ତୃପକ୍ଷ କହିଥିଲେ- କାର୍ଡରେ ଥିବା ପଇସା ସରିଗଲା ବଳକା ଚିକିତ୍ସା ଖର୍ଚ୍ଚ ନିଜେ ବହନ କରିଥିଲେ ଅକୁଲ। ସେପଟେ ବାଲେଶ୍ୱର ଖଇରା ବ୍ଳକ୍ କୁସୁନପୁର ଗାଁର ନକୁଲ ପ୍ରସାଦ ଘଡେଇ  ଘରୋଇ ମେଡିକାଲରେ ମାଗଣା ଚିକିତ୍ସା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ସରକାରଙ୍କ ନିୟମ ଅନୁସାରେ ସିଡିଏମଓଙ୍କ ଠାରୁ ଲିଖିତ ଭାବେ ଅନୁମତି ଆଣିବା ପରେ ବେସରକାରୀ ହସପିଟାଲରେ ଅପରେସନ୍ ହୋଇପାରିବ। ହେଲେ ଗୋଡ ଭାଙ୍ଗି ଯାଇଥିବାରୁ ସେ ଯାଇପାରୁନାହାଁନ୍ତି 

ଏପଟେ ରାଜ୍ୟ ସରକାରଙ୍କ BSKY ସ୍ମାର୍ଟ କାର୍ଡ ଯୋଜନା କେତେଦୂର କାର୍ଯ୍ୟକାରୀ ହେବ ସେନେଇ ଉଠିଛି ପ୍ରଶ୍ନ। କାରଣ, ବିଏସକେଓ୍ବାଇ ଯୋଜନାରେ ଆଉ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ସମ୍ଭବ ନୁହେଁ ବୋଲି ସଫା ସଫା କହିଦେଇଛି। ଘରୋଇ ମେଡିକାଲ ସଂଘର କହିବା ହେଉଛି, ସରକାର ବିଭିନ୍ନ ଚିକିତ୍ସାକୁ ନେଇ ଏକ ନିର୍ଦ୍ଦିଷ୍ଟ ଦେୟ ରଖିଛନ୍ତି, ତାହା ରୋଗୀଙ୍କୁ ଜଣାଯାଇନାହିଁ। ଯଦି କୌଣସି ଚିକିତ୍ସାରେ ଅଧିକ ଟଙ୍କା ଖର୍ଚ୍ଚ ହୁଏ,ତେବେ ସେ ଟଙ୍କା କିଏ ଭରଣା କରିବ ସେନେଇ କୌଣସି ସ୍ପଷ୍ଟତା ନାହିଁ।

Advertisment

ସେହିପରି ଅନେକ ଚିକିତ୍ସା ପାଇଁ ଯେତିକି ଅର୍ଥ ଦରକାର, ସରକାର କିନ୍ତୁ ଯଥେଷ୍ଟ କମ୍ ରାଶି ସ୍ଥିର କରିଛନ୍ତି। କେବଳ ସେତିକି ନୁହେଁ, ସରକାର କରିଥିବା ଚୁକ୍ତି ଅନୁସାରେ ୩୦ ଦିନ ମଧ୍ୟରେ ଚିକିତ୍ସା ଦେୟ ସରକାର ଭରଣା କରିବେ। ହେଲେ ୪ ମାସ ହେଲା ସରକାର ତାହା ଦେଉନାହାଁନ୍ତି। ଫଳରେ ଅନେକ ଘରୋଇ ହସପିଟାଲ ପରିଚାଳନା କରିବାରେ ସମସ୍ୟା ସୃଷ୍ଟି ହେଉଥିବା ସଂଘ ଅଭିଯୋଗ କରିଛି। ସଂଘର ପ୍ରତିବାଦ ପରେ ଯୋଜନାରେ ରହିଥିବା ଅସଂଗତିକୁ ଦୂର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ। ତୁରନ୍ତ ଘରୋଇ ଡାକ୍ତରଖାନା ସଂଘ ସହ ଆଲୋଚନା କରି ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି  

Bhubaneswar BSKY
Advertisment
Advertisment