• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶଙ୍ଖ ମଲମଲ ଗେଟ୍‌ । ଗେଟ୍‌ ଦେଖିଲେ ଆପଣ ବି ଭାବିବେ ମେଡିକାଲର ବାହାର ଯେମିତି ସୁନ୍ଦର ଭିତର ବି ସେମିତି ସୁନ୍ଦର ହୋଇଥିବ । ଆଉ ମେଡିକାଲକୁ ଆସୁଥିବେ ଶହଶହ ରୋଗୀ । ସକାଳୁ ସଂଜ ଅତ୍ୟାଧୁନିକ ଯନ୍ତ୍ରପାତିରେ ରୋଗୀଙ୍କର ହେଉଥିବ ଚିକିତ୍ସା । ହେଲେ ଏଭଳି ଚିନ୍ତାଧାରା ରଖିବା ସମ୍ପୂର୍ଣ୍ଣ ଭୁଲ । କଥାରେ ଅଛି ନା କେବେ ବାହାରୁ ଦେଖିକି ଭିତର କଥା ଅନୁମାନ ଲଗାଇବା ଭୁଲ । ଠିକ୍‌ ସେମିତି ଏହି ମେଡିକାଲ ଅବସ୍ଥା । ଏହି ମେଡିକାଲରେ ରୋଗୀଙ୍କୁ କେବଳ ଭଗବାନ ଭରସା ।

ଆମେ କହୁଛୁ ଗଞ୍ଜାମ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କଥା । ମେଡିକାଲ ଭିତରକୁ ପଶିବା ମାତ୍ରେ ଯେଉଁ କବାଟକୁ ଦେଖିବେ ସେଇଠି ଝୁଲୁଥିବ ତାଲା । କାରଣ ଅଧିକାଂଶ ବିଭାଗରେ କର୍ମଚାରୀ ନାହାନ୍ତି । ସବୁ ବିଭାଗର ଫଳକ ଲାଗିଛି, ସ୍ୱତନ୍ତ୍ର କୋଠରୀ ବି ରହିଛି । ହେଲେ ସବୁଠି ତାଲା ଝୁଲୁଛି । ଏ ଡାକ୍ତରଖାନା ଉପରେ ୫୦ ରୁ ଉର୍ଦ୍ଧ୍ୱ ଗାଁର ଲୋକ ନିର୍ଭର କରନ୍ତି। ପ୍ରତିଦିନ ଏଠାକୁ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସନ୍ତି । ହେଲେ ଚିକିତ୍ସା ନମିଳିବାରୁ ବାଧ୍ୟ ହୋଇ ବ୍ରହ୍ମପୁର ଓ ଭଂଜନଗର ଯାଆନ୍ତି ।

ସରକାରୀ ନିୟମ ଅନୁସାରେ, ଏଇ ମେଡିକାଲରେ ୧୨ ଜଣ ଡାକ୍ତର ରହିବା କଥା । ହେଲେ ଅଛନ୍ତି ମାତ୍ର ଜଣିଏ ଡାକ୍ତର । ଆଉ ଜଣେ ହେଲେ ବି ବିଶେଷଜ୍ଞ ନାହାନ୍ତି । ଆଉ ଯେଉଁ ଜଣିଏ ଡାକ୍ତର ଅଛନ୍ତି ଦିନରାତି ୨୪ ଘଂଟା ରୋଗୀ ଦେଖିବା ତାଙ୍କ ପକ୍ଷରେ ସମ୍ଭବ ହେଉନି । ଭେଷଜ, ସ୍ତ୍ରୀ ଓ ପ୍ରସୂତୀ, ସର୍ଜରୀ, ଶିଶୁ , ଚକ୍ଷୁ ବିଭାଗରେ ଜଣେ ବି ବିଶେଷଜ୍ଞ ନାହାନ୍ତି । ବର୍ତ୍ତମାନ ସମୟରେ ପାଞ୍ଚଟି ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି ଏଇ ମେଡିକାଲରେ । ସ୍ଥିତି ଏମିତି ହେଲାଣି ଯେ ରୋଗୀମାନେ ଭଲରେ ଚିକିତ୍ସା ନପାଇ ଔଷଧ ଦୋକାନୀଙ୍କ ପରାମର୍ଶରେ ମେଡିସିନ୍‌ ଖାଉଛନ୍ତି । ଯାହାକୁ ନେଇ ନାନା ଅସୁବିଧାର ସାମ୍ନା କରୁଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ ।

ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ଶତାଧିକ ଗର୍ଭବତୀ ମହିଳା ବି ଉପଯୁକ୍ତ ଡାକ୍ତରୀ ସେବା ନପାଇ ବହୁ ଯନ୍ତ୍ରଣା ଅନୁଭବ କରୁଛନ୍ତି । ପ୍ରସବ ସମୟରେ ଗୁରୁତର ହୋଇପଡିଲେ ଡାକ୍ତର ବ୍ରହ୍ମପୁର କିମ୍ବା ଭଞ୍ଜନଗର ମେଡିକାଲକୁ ସ୍ଥାନାନ୍ତରତ କରନ୍ତି । ଯାହା ଫଳରେ ମାଆ ଓ ଶିଶୁ ପ୍ରତି ବିପଦ ଦେଖାଦେଇଥାଏ । ଏମିତିକି ଦୁର୍ଘଟଣାର ଶିକାର ହୋଇ ଆସୁଥିବା ରୋଗୀଙ୍କୁ ମଧ୍ୟ ଜରୁରୀକାଳୀନ ସେବା ମିଳୁନଥିବା ଅଭିଯୋଗ ହୋଇଛି । ଡାକ୍ତର ନିଯୁକ୍ତି ଦେବା ପାଇଁ ବାରମ୍ବାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପରେ ବି ସେ କୌଣସି ପଦକ୍ଷେପ ନେଉନଥିବା କହିଛନ୍ତି କାର୍ଯ୍ୟରତ ଡାକ୍ତର ।

(ରିପୋର୍ଟ- ରାଜେଶ କୁମାର ପଣ୍ଡା, ଭଂଜନଗର)