• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚୀନ୍‌ରେ ରାଷ୍ଟ୍ରପତି ଜିନପିଙ୍ଗକୁ ପ୍ରବଳ ବିରୋଧ । ବିରୋଧରେ ବ୍ୟାପୁଛି ପ୍ରତିବାଦର ନିଆଁ । ସରକାରଙ୍କ ଜିରୋ କୋଭିଡ୍ ପଲିସିକୁ ନେଇ ତାତିଛନ୍ତି ଆନ୍ଦୋଳନକାରୀ । ଚୀନ୍‌ର ଉତ୍ତର ପଶ୍ଟିମରେ ଥିବା ଜିନ୍‌ଜିଆଙ୍ଗ ସହରରେ ଉଗ୍ର ହୋଇଛି ଆନ୍ଦୋଳନ । ସରକାରଙ୍କ ବିରୋଧରେ ତେଜିଛି ଗଣବିକ୍ଷୋଭ । ଆନ୍ଦୋଳନକାରୀ ଏକ ଆପାର୍ଟମେଣ୍ଟକୁ ଜାଳିଦେଇଛନ୍ତି । ଫଳରେ ୧୦ଜଣଙ୍କ ପ୍ରାଣହାନୀ ହୋଇଥିବା ଆଶଙ୍କା କରାଯାଉଛି ।

ଦେଶରେ ପୁଣି କରୋନା ସଂକ୍ରମଣ ବଢୁଥିବା ବେଳେ ସରକାରଙ୍କ ଦ୍ୱାରା ଜାରି କଡା କଟକଣାକୁ ନେଇ କ୍ଷୁବ୍ଧ ଅଛନ୍ତି ଜନତା । ଦୀର୍ଘ ସମୟ ଧରି ଜାରି ରହିଥିବା ଲକଡାଉନ୍ ହଟାଇବାକୁ ଲୋକେ ଦାବି କରୁଛନ୍ତି । ଏହାରି ଭିତରେ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଲଗାତର ତୃତୀୟ ଦିନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍ କରିଛି । ମଙ୍ଗଳବାର ଚୀନରେ ଚିହ୍ନଟ ହୋଇଛନ୍ତି ୩୫ ହଜାର ୧୮୩ ନୂଆ ଆକ୍ରାନ୍ତ ।

ଚୀନରେ ଏବେ କରୋନା କଲାଣି କଲବଲ । ସଂକ୍ରମଣ ବଢୁଥିବା କାରଣରୁ ଲକଡାଉନ୍‌ ଘୋଷଣା କରିଛନ୍ତି ସରକାର । ଆଉ ଏଥିପାଇଁ କମ୍ପାନୀରୁ ଲୁଚି ଘରକୁ ପଳାଉଛନ୍ତି କର୍ମଚାରୀ । ଚୀନର ଝାଙ୍ଗଝୋଇ ସହରରେ ଥିବା ଆଇଫୋନ୍ ଷ୍ଟ୍ରିଟ୍ ତଥା ଫ୍ୟାକ୍ଟ୍ରିରେ ଏଭଳି ଆତଙ୍କ ଖେଳିଯାଇଛି । ସଂକ୍ରମଣ ଭୟଙ୍କର ଭାବରେ ବଢୁଥିବାରୁ ଅନେକ ସ୍ଥାନରେ ପ୍ରଶାସନ ପକ୍ଷରୁ ଲକଡାଉନ୍‌ ଓ ସଟଡାଉନ୍‌ ଘୋଷଣା କରାଯାଉଛି। ଲକଡାଉନ୍ ଖବର ଶୁଣି ଆପଲ୍‌ କମ୍ପାନୀର ଶତାଧିକ ଶ୍ରମିକ କାରଖାନା ଛାଡି ଜୀବନ ବିକଳରେ ପଳାୟନ କରିଛନ୍ତି ।

ବର୍ତ୍ତମାନ ସଂକ୍ରମଣ ବଢୁଥିବାରୁ ଭିଡ ସ୍ଥାନ ଗୁଡିକ ସହିତ ରେଷ୍ଟୁରାଂଟ୍‌, ମଲ୍‌, ଧାର୍ମିକ ସ୍ଥାନ ଆଦିରେ କଟକଣା ଲଗାଇଛି ପ୍ରଶାସନ । କେବଳ ଏତିକି ନୁହେଁ ବରଂ ବିନା କରୋନା ଟେଷ୍ଟରେ ଲୋକଙ୍କୁ ଘରୁ ବାହାରିବା ଉପରେ କଟକଣା ଲଗାଯାଇଛି। ହୁ ହୁ ହୋଇ ସଂକ୍ରମଣ ବଢୁଥିବାରୁ ଲୋକମାନେ ପୁଣି ଥରେ ଗୃହବନ୍ଦୀ ଭାବରେ ଘରେ ରହୁଛନ୍ତି । ମୋଟ୍‌ ଉପରେ ଚୀନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାର ପ୍ରଭାବ କାରବାର ଉପରେ ମଧ୍ୟ ପଡିବାରେ ଲାଗିଛି ।