• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡି ପ୍ରତିଶ୍ରୁତି ଦେଇଥିଲା, ଆମ କାଉନସିଲର ଓ ଚେୟାରମ୍ୟାନକୁ ଭୋଟ ଦିଅ । ଘର ଭଙ୍ଗା ହେବ ନାହିଁ । ଏବେ ପୁଣି ନୋଟିସ କାହିଁକି ? ଖଚାଖଚ ଲୋକଙ୍କ ମେଳି ଭିତରେ ବରିଷ୍ଠ ବିଜେଡି ନେତା କଲିକେଶ ସିଂଦେଓଙ୍କୁ ସାଧାରଣ ଲୋକଙ୍କର ଥିଲା କିଛି ଏମିତି ପ୍ରଶ୍ନ । ରାଜପ୍ରସାଦ ଭିତରେ ଲାଗିଥିଲା ଲୋକଙ୍କ ମେଳି । ମଝିରେ ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂଦେଓ ବସିଥିଲେ । ତାଙ୍କ ଦୁଇପଟେ ବଲାଙ୍ଗିର ପୌରପାଳିକା ଅଧ୍ୟକ୍ଷା ଲିକା ସାହୁ ଓ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ମଧ୍ୟ ଉପସ୍ଥିତ ଥିଲେ ।

କଳିକେଶଙ୍କୁ ଲୋକେ ହାତଯୋଡି ଗୁହାରି କଲେ । ଆଉ ସମସ୍ତଙ୍କର ଗୋଟିଏ ଅଭିଯୋଗ ଥିଲା । ପ୍ରଶାସନ ଆମ ଘରକୁ ଉଚ୍ଛେଦ କରୁଛି, ଆମକୁ ରକ୍ଷା କରନ୍ତୁ । ଆଉ ଏହି ଉଚ୍ଛେଦ ପାଇଁ ବିଧାୟକଙ୍କୁ ଦାୟୀ ବି କରୁଛନ୍ତି ଲୋକେ । ସମସ୍ତଙ୍କର ଗୋଟିଏ ଅଭିଯୋଗ ପ୍ରଶାସନ ସେମାନଙ୍କ କଥା ଶୁଣୁନି, ଘର ଭାଙ୍ଗି ଦେଉଛି । ଏବେ ଆମେ ରହିବୁ କେଉଁଠି ?

ଦୀର୍ଘ ୨୫ ବର୍ଷ ଧରି ବଲାଙ୍ଗିରର ବିଧାୟକ ଥିଲେ ଅନଙ୍ଗ ଉଦୟ ସିଂଦେଓ । ୨୦୧୪ରେ ଅନଙ୍ଗ ସିଂଦେଓଙ୍କୁ ଓ ୨୦୧୯ରେ ଅର୍କେଶ ନାରାୟଣ ସିଂଦେଓଙ୍କୁ ପରାଜିତ କରି ଲାଗ ଲାଗ ଦୁଇଥର ବିଧାୟକ ନିର୍ବାଚିତ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ହେଲେ ନରସିଂହ ଓ ସିଂହଦେଓ ପରିବାର ଭିତରେ ରାଜନୈତିକ ତିକ୍ତତା ପାଖାପାଖି ଅର୍ଦ୍ଧଶତାଦ୍ଦୀର କହିଲେ ଅତ୍ୟୁକ୍ତି ହେବନି। ତେଣୁ ବଲାଙ୍ଗିରର ପ୍ରତି କଥାରେ ଉଭୟ ପରିବାରର ରାଜନୈତିକ ପ୍ରତିଦ୍ୱନ୍ଦିତା ବି ରହେ ।

ଏବେ ଉଚ୍ଛେଦକୁ ନେଇ ଦୁଇ ପରିବାର ମୁହାଁମୁହିଁ । ତେବେ ସହରର କିଛି ଅଂଚଳରେ ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ପୌରପାଲିକା ପକ୍ଷରୁ ପ୍ରସ୍ତାବ ଗୃହିତ ହୋଇଥିଲେ ବି ପ୍ରଶାସନ ମାନୁନଥିବା ଅଧ୍ୟକ୍ଷା ଅଭିଯୋଗ କରିଛନ୍ତି । ସେପଟେ ବିଧାୟକଙ୍କୁ ନିଶାନା କରି ଉଚ୍ଛେଦ ପାଇଁ ଦାୟୀ କରିଛନ୍ତି କଲିକେଶ । ହେଲେ ନରସିଂହଙ୍କ ଟାର୍ଗେଟରେ ରହିଛନ୍ତି ମୁଖ୍ୟମନ୍ତ୍ରୀ । ରୋକଠୋକ ଉତ୍ତର.. ପୌରପାଲିକା ବିଜେଡିର, ରାଜ୍ୟ ସରକାର ବିଜେଡିର । ଉଚ୍ଛେଦ ପାଇଁ ମୁଁ କାହିଁକି ଦାୟୀ ହେବି ?

ସବୁବେଳେ ଭୋଟ୍‌ ସମୟରେ ଦୁଇ ପରିବାର ମୁହାଁମୁହିଁ ହୁଅନ୍ତି, ହେଲେ ଏବେ ଉଚ୍ଛେଦକୁ ନେଇ ନରସିଂହ ଓ କଳିକେଶଙ୍କ ମଧ୍ୟରେ ଦେଖାଦେଇଛି ବିବାଦ ।