• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟରେ ମାଡ଼ିଚାଲୁଛି ଲମ୍ପି ଚର୍ମ ରୋଗ । ଗୃହପାଳିତ ପଶୁପକ୍ଷୀ, ବିଶେଷ କରି ଗୋରୁ ଗାଇ ଏହି ରୋଗରେ ସଂକ୍ରମିତ ହେଉଛନ୍ତି । ଫଳରେ ଗାଇ ଗୋରୁଙ୍କ ଶରୀରର ବିଭିନ୍ନ ସ୍ଥାନରେ ପ୍ରଥମେ ଆବୁ ସୃଷ୍ଟି ହେବା ସହ ଏହା କ୍ଷତରେ ପରିଣତ ହେଉଛି । ଏହାକୁ ନେଇ ଗୋପାଳକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି । ବିକଳରେ ଲୋକେ ଚିକିତ୍ସା କରିବା ବଦଳରେ କାଳିସୀର ଆଶ୍ରୟ ନେଇ ପୂଜାପାଠ କରୁଛନ୍ତି । 

ଏଭଳି ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅଞ୍ଚଳର । ରୋଗ ମାଡୁଥିବାରୁ କିଏ ଠାକୁରାଣୀ ମନ୍ଦିରକୁ ଯାଉଛନ୍ତି ତ ଆଉ କିଏ ଗଛମୂଳେ ପୂଜାପାଠ କରୁଛନ୍ତି । ଧରାକୋଟ ବ୍ଲକର ମୁଣ୍ଡମରାଇ, କୁଶରାବ, ବରିଗୁଡ଼ା, ତାଳପାଟଣା, ହରିପୁର, ପ୍ରତାପପୁର ଆଦି ଗାଁରେ ଦେଖିବାକୁ ମିଳିଛି ଲମ୍ପି ଭୂତାଣୁର ଆତଙ୍କ ।

କେବଳ ଧରାକୋଟ ନୁହଁ, ଗତ କିଛିଦିନ ତଳେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ବି ମାଡ଼ିଚାଲିଛି ଏହି ଲମ୍ପି ଭୂତାଣୁ । ଭଦ୍ରକ ଜିଲ୍ଳା ବାସୁଦେବପୁର, କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଗାଇଗୋରୁ ବ୍ୟାପକ ମାତ୍ରାରେ ସଂକ୍ରମିତ ହେଉଛନ୍ତି । କୃଷିମନ୍ତ୍ରୀଙ୍କ କହିବା କଥା, ମୟୁରଭଞ୍ଜ, ରାୟଗଡ଼ା ଏବଂ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ବି ସ୍ଥିତି ସଂଗୀନ ରହିଛି । 

ପଡ଼ୋଶୀ ରାଜ୍ୟରୁ ଗୋ-ଚାଲାଣ ଯୋଗୁଁ ଏହି ଭାଇରସ୍ ବ୍ୟାପୁଥିବା ଜଣାପ଼ଡିଛି । ସ୍ଥିତି ଉଦବେଗଜନକ ଥିବା ବେଳେ, ସଂକ୍ରମଣ ରୋକିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରୋଗର ପ୍ରତିକାର ପାଇଁ ୧୫ ଲକ୍ଷ ଟିକାକରଣ ଲକ୍ଷ୍ୟ ରଖାଯାଇଥିବା ବେଳେ, ୫ ଲକ୍ଷ ଟିକାକରଣ ସରିଥିବା କହିଛନ୍ତି କୃଷିମନ୍ତ୍ରୀ ।