• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ମହାପ୍ରଭୁଙ୍କ ଦୁଆରେ କୋଟି କୋଟିର ମହାଦୁର୍ନୀତି ଅଭିଯୋଗ । ଧର୍ମ ଦାଣ୍ଡରେ ଅଧର୍ମର ଖେଳ ! ମାତ୍ର କେଇ ଖଣ୍ଡ ବାଉଁଶ ବଲ୍ହା ଏବଂ କପଡ଼ାର ଛାମୁଣ୍ଡିଆ ଲଗାଇ ବ୍ୟାରିକେଡ୍ ନାଁରେ ବଡ଼ ଧରଣର ହରିଲୁଟ୍ ହୋଇଥିବା ଅଭିଯୋଗ । ହଜାରେ କି ଲକ୍ଷେ ନୁହେଁ, କେଇ ବର୍ଷ ଭିତରେ ଅସ୍ଥାୟୀ ବ୍ୟାରିକେଡ୍ ବାବଦକୁ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି ପୁରୀ ପୂର୍ତ୍ତ ଓ ନିର୍ମାଣ ବିଭାଗ । ସୂଚନା ଅଧିକାର ଆଇନ ବଳରେ ପଦାକୁ ଆସିଛି ଏହି ସତ । 

RTI ତଥ୍ୟ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚ କରାଯାଇଛି କୋଟିଏ ୬୦ ଲକ୍ଷ ଟଙ୍କା । ଶୁଣିଲେ ମୁଣ୍ଡ ଗୋଲ୍ ହୋଇଯାଉଛି । ଆଶ୍ଚର୍ଯ୍ୟର କଥା ହେଉଛି, କରୋନା ସମୟରେ ଅର୍ଥାତ ୨୦୧୯-୨୦ରେ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ବ୍ୟାରିକେଡ୍ ପାଇଁ ଖର୍ଚ୍ଚ ହୋଇଥିଲା ୩୫ ଲକ୍ଷ ୫୫ ହଜାର ଟଙ୍କା । ଆଉ ତା’ର ଠିକ୍ ପରବର୍ଷ ଅର୍ଥାତ ୨୦୨୦-୨୧ରେ ଏମିତି କ’ଣ ହୋଇଗଲା କେଜାଣି ଏହା ୨୧ ଲକ୍ଷକୁ ଖସିଆସିଥିବାବେଳେ ୨୦୨୨-୨୦୨୩ରେ ଖର୍ଚ୍ଚ ହୋଇଥିଲା ୧ କୋଟି ୧୧ ଲକ୍ଷ ଟଙ୍କା। ଆଉ ଗତ ୨୪ ବର୍ଷର ରେକର୍ଡ ଭାଙ୍ଗି ଏଥର କୋଟିଏ ୬୦ ଲକ୍ଷ ଟଙ୍କାର ବ୍ୟାରିକେଡ୍ ଲଗାଯାଇଥିବା RTI ତଥ୍ୟରେ ଉଲ୍ଲେଖ କରିଛି ପୂର୍ତ୍ତ ବିଭାଗ । ଯାହାକୁ ନେଇ ଆପତ୍ତି ଉଠାଇ ଏହା ପଛରେ ପ୍ରଶାସନିକ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ RTI କର୍ମୀ ।

ଭକ୍ତଙ୍କ ପାଇଁ, ବିଭିନ୍ନ ଯାନି ଯାତ୍ରା ସମୟରେ ଏବଂ ନୂଆବର୍ଷ ବେଳେ ନିର୍ମାଣ କରାଯାଇଥାଏ ଏଭଳି ଅସ୍ଥାୟୀ ବ୍ୟାରିକେଡ୍ । ଏଥିପାଇଁ ଆବଶ୍ୟକ ବାଉଁଶ ବଲ୍ହା ଏବଂ କପଡ଼ାର ଛାମୁଣ୍ଡିଆକୁ ଭଡ଼ାରେ ଅଣାଯାଏ । ଆଉ ଏ ହେଉଛି ସେହି କୋଟିଏ ୬୦ ଲକ୍ଷରେ ନିର୍ମିତ ବ୍ୟାରିକେଡ୍ । ଯାହା ଏହି ନୂଆବର୍ଷ ସମୟରେ ଲଗାଯାଇଥିଲା । ମାତ୍ର ମାସ ୨ଟାରେ ହୋଇଗଲାଣି ଛିନଛତ୍ର। ଚିରା ଫଟା ଅବସ୍ଥାରେ ପବନରେ ଉଡୁଛି ଏଣେତେଣେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ ଏବଂ ସେବାୟତ । 

କରୋନା ବେଳେ ଦର୍ଶନ ବ୍ୟବସ୍ଥାରେ କଟକଣା ଥିବା ସତ୍ତ୍ବେ କାହା ସ୍ବାର୍ଥରେ ବ୍ୟାରିକେଡ୍ ବାବଦକୁ ଖର୍ଚ୍ଚ କରାଯାଇଥିଲା ଲକ୍ଷ ଲକ୍ଷ ଟଙ୍କା ? ତା’ର ପରବର୍ତ୍ତୀ ବର୍ଷ ୨୦୨୧-୨୨, ୨୦୨୨-୨୩ ଏବଂ ଚଳିତ ବର୍ଷ ୨୦୨୩-୨୪ରେ ଖର୍ଚ୍ଚ ପରିମାଣ ହଠାତ୍ ଶୀର୍ଷକୁ ଛୁଇଁଲା କେମିତି ? ବ୍ୟାରିକେଡ୍ ବାବଦକୁ ଏଭଳି ପାଣି ପରି ଖର୍ଚ୍ଚ ପଛରେ ରହିଛି କି ପ୍ରଶାସନ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ? କେତେଦିନ ଚାଲିବ ଭଡ଼ା ସରଞ୍ଜାମରେ ଅସ୍ଥାୟୀ ବ୍ୟାରିକେଡର ଭିତିରିଆ ଖେଳ ? ଏଭଳି ପ୍ରଶ୍ନ ଉଠୁଥିବାବେଳେ ପୁରୀ ଜିଲ୍ଲାପାଳ କହିଛନ୍ତି, ଏ ସଂପର୍କରେ ସଂପୃକ୍ତ ବିଭାଗ ସହ ଆଲୋଚନା କରି ଆକ୍ସନ ନିଆଯିବ । ତେବେ ପୂର୍ତ୍ତ ଓ ନିର୍ମାଣ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । 

  • Reported by:
  • MADHUSUDAN MISHRA