• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ସରୁ ହୋଇଯାଉଛି ଗରୁଡ଼ ସ୍ତମ୍ଭ। ଆଉ ଛୁଇଁବେନି ଭକ୍ତ। କୋଟି ଓଡ଼ିଆଙ୍କ ଆସ୍ଥା ସ୍ତମ୍ଭର ସ୍ଥାୟିତ୍ୱକୁ ନେଇ ଶଙ୍କା। ରୂପା ଛାଉଣୀ କରି ସୁରକ୍ଷିତ ରଖିବାକୁ ପ୍ରସ୍ତାବ।ନିଜେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେଇଥିବା ପ୍ରସ୍ତାବ ଭିତ୍ତିକ ଏ ଚିଠିରେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି, ନାଟମଣ୍ଡପରେ ମହାପ୍ରଭୁଙ୍କ ବାହନ ବିରାଜିତ ଗରୁଡ଼ ସ୍ତମ୍ଭ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଭକ୍ତମାନେ ଏହାକୁ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ପତଳା ହେଉଛି ସ୍ତମ୍ବ। ଯେହେତୁ ଏଏସ୍ଆଇର ପୂର୍ବତନ ନିର୍ଦ୍ଦେଶକ ଏ.କେ. ପଟେଲ କହିଥିଲେ- ଗରୁଡ଼ ସ୍ତମ୍ଭ ଚନ୍ଦନ କାଠ ଜୀବାଶ୍ମରେ ନିର୍ମିତ।

ତେଣୁ ଏହାକୁ ଭକ୍ତଙ୍କ ପ୍ରତ୍ୟକ୍ଷ ସ୍ପର୍ଶରୁ ନିବୃତ୍ତ ରଖିବା ଦରକାର। ତେଣୁ ଏହାର ସୁରକ୍ଷା ପାଇଁ ସ୍ତମ୍ଭ ଚାରିପାଖେ ବୃତ୍ତାକାର ଫ୍ରେମ୍ ଉପରେ ରୁପା ଚାଦର ଆଚ୍ଛାଦନ କରି ସୁରକ୍ଷିତ ରଖିବାକୁ ପ୍ରସ୍ତାବ ରଖାଗଲା। ଏଥିପାଇଁ ୧ କୋଟି ୩୦ ଲକ୍ଷ ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି ଓ ପଶ୍ଚିମବଙ୍ଗର ଜଣେ ଦାତା ଏ କାର୍ଯ୍ୟ ସଂପାଦନ ପାଇଁ ରାଜି ହୋଇଛନ୍ତି। ଉକ୍ତ ପ୍ରସ୍ତାବକୁ ଆଲୋଚନା କରି ଅନୁମୋଦନ ପାଇଁ ଉପସ୍ଥାପନ କରାଗଲା।

ଗତ ୧୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଓ ବରିଷ୍ଠ ସେବାୟତଙ୍କୁ ନେଇ ବୈଠକରେ ଏଭଳି ପ୍ରସ୍ତାବ ଆସିଥିଲେ ବି ମ୍ୟାନେଜିଂ କମିଟି ମେମ୍ବର କହିଛନ୍ତି-ପ୍ରଥମେ ଗରୁଡ଼ ସ୍ତମ୍ଭ କେଉଁଥିରେ ତିଆରି ତାହା ଅନୁଧ୍ୟାନ ହେଉ ଏବଂ ଭକ୍ତଙ୍କ ଭାବାବେଗକୁ ଆଖିରେ ରଖି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଉ।

ରୂପାରେ ଛାଉଣୀ ହୋଇଯିବ ଗରୁଡ଼ ସ୍ତମ୍ଭ। ଆଉ ମିଳିବନି କୁଣ୍ଢେଇବାକୁ ସୁଯୋଗ। ଏକଥା ଶୁଣି ଉଭୟ କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଭକ୍ତ ତାଜୁବ୍। ଯେଉଁ ଗରୁଡ଼ ସ୍ତମ୍ଭକୁ ଆଲିଙ୍ଗନ କରିଦେଲେ ମହାପ୍ରଭୁଙ୍କୁ ରତ୍ନ ସିଂହାସନରେ ଆଲିଙ୍ଗନର ଅନୁଭବ ହୁଏ, ସେଥିରୁ ଭକ୍ତଙ୍କୁ ଆଦୌ ବଞ୍ଚିତ କରାନଯିବାକୁ ଉଠିଲାଣି ମତ। ସେମିତି ଗରୁଡ଼ ସ୍ତମ୍ଭ ମହାପ୍ରଭୁ ଜଗନ୍ନାଥଙ୍କ ବିରାଜମାନ କାଳରୁ ହିଁ ନାଟମଣ୍ଡପରେ ଅବସ୍ଥାନ କରିଥିବା କହିଛନ୍ତି ସଂସ୍କୃତି ଗବେଷକ। ଶହ ଶହ ବର୍ଷ ଧରି ଗରୁଡ଼ ସ୍ତମ୍ଭକୁ ଭକ୍ତ ମାନେ ସ୍ପର୍ଶ କରି ମହାପ୍ରଭୁଙ୍କ ପରୋକ୍ଷ ସାନିଧ୍ୟ ପାଉଛନ୍ତି। ତେଣୁ ଏଥିରୁ ଭକ୍ତଙ୍କୁ ଅନ୍ତର କରିବା ଅର୍ଥ, ମହାପ୍ରଭୁଙ୍କଠୁ ସେମାନଙ୍କୁ ଅଲଗା କଲା ଭଳି ମନେ ହେବ। ତେଣୁ ଉଭୟ ଗରୁଡ଼ ସ୍ତମ୍ଭର ସୁରକ୍ଷା ଓ ଭକ୍ତଙ୍କ ଭବନାକୁ ଦୃଷ୍ଟିରେ ରଖି ଭାବିଚିନ୍ତି ନିଷ୍ପତ୍ତି ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରିଛନ୍ତି ଭକ୍ତ, ସେବାୟତ ଓ ସଂସ୍କୃତି ଗବେଷକ।

ମହାପ୍ରଭୁଙ୍କ ବାହନ ଗରୁଡ଼ ବିରାଜମାନ କରିଥିବା ସ୍ତମ୍ଭଟି ପ୍ରକୃତରେ କେଉଁଥିରେ ତିଆରି ? ତାହା ଅଦ୍ୟାବଧି ଅସ୍ପଷ୍ଟ ଏହା କାଠ, ପଥର ନା ଧାତବ ? କେହି ଠିକ୍‌ରେ କହିପାରୁ ନାହାନ୍ତି। ଯଦିଓ କେହି କେହି ଏହାକୁ ଉଦମ୍ବର ବୃକ୍ଷର କାଠ ବୋଲି କହୁଛନ୍ତି, ପୁଣି କିଏ ଜୀବାଶ୍ମ ବୋଲି ମତ ଦେଇଛନ୍ତି। ତେବେ ଚୈତନ୍ୟ ଚରିତାମୃତରେ ନିଜେ ଚୈତନ୍ୟ ମହାପ୍ରଭୁ ଗରୁଡ଼ ସ୍ତମ୍ଭରୁ ଥାଇ ପ୍ରଭୁଙ୍କୁ ଦର୍ଶନ କରୁଥିବାର ପ୍ରାମାଣିକ ତଥ୍ୟ ରହିଛି। ତେବେ ସ୍ତମ୍ଭ ଉପର ମୋଟେଇ ୪୩ ଇଞ୍ଚ ଓ ତଳ ବି ୪୩ ଇଞ୍ଚ ଥିବାବେଳେ ମଝି ଭାଗ ୩୬ ଇଞ୍ଚ ରହିଛି। ଯାହା ଭକ୍ତମାନଙ୍କ ବାରମ୍ବାର ସ୍ପର୍ଶ ଯୋଗୁଁ ପତଳା ହୋଇଥିବା କୁହାଯାଉଥିଲେ ବି ଆରମ୍ଭରୁ କିନ୍ତୁ ଏହାର ନିର୍ମାଣ ଶୈଳୀ ଏମିତି ଥିଲା କି ନାହିଁ। ତାହା ମଧ୍ୟ ଅନୁଧ୍ୟାନ ସାପେକ୍ଷ।

(ପୁରୀରୁ ପ୍ରଦୀପ ମହାନ୍ତି ଓ ମଧୁସୂଦନ ମିଶ୍ର)

OTV is now on Whatsapp

Join and get latest news update delivered to you via whatsapp

Join Now