Advertisment

ଭିନ୍ନକ୍ଷମ କମିଶନଙ୍କ ଅଧ୍ୟକ୍ଷ କାହିଁକି ହେବେନି ଦିବ୍ୟାଙ୍ଗ?

ଶେଷଥର ପାଇଁ ୨୦୧୯ରେ ସୁଲୋଚନା ଦାସଙ୍କୁ ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷ କରିଥିଲେ ରାଜ୍ୟ ସରକାର।

author-image
Chandan Shishu
Disable Association Demand

Disable Association Demand

ଭିନ୍ନକ୍ଷମଙ୍କ ପାଇଁ କମିଶନ, ସେଥିରେ ଜଣେ ଭିନ୍ନକ୍ଷମ କାହିଁକି ହେବେନି ଅଧ୍ୟକ୍ଷ? ସୋସିଆଲ୍ ମିଡିଆରେ ଆନ୍ଦୋଳନ ମୁହାଁ ଏ ଦାବି। ଭିନ୍ନକ୍ଷମତାର ଆତ୍ମ-ଅନୁଭବ ବିନା, ସେମାନଙ୍କ ସମସ୍ୟାକୁ କିଭଳି ସଠିକ୍ ଢଙ୍ଗରେ ବୁଝିପାରିବେ ଅନ୍ୟ କେହି? ହେଲେ ରାଜ୍ୟରେ ଭିନ୍ନକ୍ଷମ କମିଶନ ଗଠନ ହେବା ଦିନଠୁ ଅଣଦେଖା ଏ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଆଉ ଅଣଦେଖା ନ କରିବାକୁ ଏ ମିଳିତ ସ୍ୱର। ପ୍ରଶ୍ନ ଉଠିଛି, ଯଦି ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଜଣେ ମହିଳା, ସଂଖ୍ୟାଲଘୁ ଆୟୋଗର ନେତୃତ୍ୱ ଜଣେ ସଂଖ୍ୟାଲଘୁଙ୍କ ହାତରେ, ପଛୁଆ ଶ୍ରେଣୀ ଆୟୋଗ, ଜଣେ ପଛୁଆ ଶ୍ରେଣୀ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ, ତାହେଲେ ଭିନ୍ନକ୍ଷମଙ୍କ କ୍ଷେତ୍ରରେ ଏହାର ବିପରୀତ ନିୟମ କାହିଁକି?

Advertisment

ନିକଟରେ ୟୁନାଇଟେଡ୍ ଭଏସ୍ ଫର୍ ଆପଏଣ୍ଟମେଣ୍ଟ ଅଫ୍ ଏସସିପିଡି ଇନ୍ ଓଡ଼ିଶା, ଭୁବନେଶ୍ୱରରେ ଏନେଇ ପ୍ରେସମିଟ୍ କରି ଦାବି ରଖିବା ପରେ ଏହା ଏକ ଅଭିଯାନରେ ପରିଣତ ହୋଇଛି। ବହୁ ସେଲିବ୍ରିଟି ଏଇ ଦାବିପ୍ରତି ସମର୍ଥନ ଜଣାଇ ଭିଡିଓ ଅପଲୋଡ୍ କରୁଥିଲା ବେଳେ ରାଜଦୀପ ଶରଦେଶାଇଙ୍କ ଭଳି ଜାତୀୟସ୍ତରର ସାମ୍ବାଦିକ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଚି ଆକର୍ଷଣ କରିଛନ୍ତି।

ରାଜ୍ୟରେ ଭିନ୍ନକ୍ଷମ କମିଶନ୍ ଗଠନ ହେବା ପରଠୁ ଅର୍ଥାତ୍ ୨୦୧୦ରୁ ଏପର୍ଯ୍ୟନ୍ତ ୪ ଜଣ ଅଧ୍ୟକ୍ଷ ପଦରେ ରହିଥିଲେ ମଧ୍ୟ ସେଭିତରୁ କେହି ଜଣେ ବି ଦିବ୍ୟାଙ୍ଗ ନୁହନ୍ତି। କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ମଧ୍ୟ ଜଣେ ଭିନ୍ନକ୍ଷମଙ୍କୁ ଏ ପଦରେ ନିଯୁକ୍ତି ଦେବା ସପକ୍ଷରେ ଥିଲା ବେଳେ ଓଡ଼ିଶାରେ କେବଳ ରାଜନୈତିକ ସଂପୃକ୍ତି ଥିବା ବ୍ୟକ୍ତିଙ୍କୁ ହିଁ ଅଧ୍ୟକ୍ଷ ପଦରେ ଥଇଥାନ କରାଯାଉଥିବାରୁ ଭିନ୍ନକ୍ଷମମାନେ ଅବହେଳାର ଶିକାର ହୋଇ ଆସୁଥିବା ଅଭିଯୋଗ ହେଉଛି।

Advertisment

ଶେଷଥର ପାଇଁ ୨୦୧୯ରେ ସୁଲୋଚନା ଦାସଙ୍କୁ ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷ କରିଥିଲେ ରାଜ୍ୟ ସରକାର। ଏହା ଭିତରେ ସେ ଭୁବନେଶ୍ୱର ମେୟର ଭାବେ ନିର୍ବାଚିତ ହୋଇଥିବାରୁ ଏ ପଦଟି ଖାଲି ପଡ଼ିଛି। ତେଣୁ ତାଙ୍କ ସ୍ଥାନରେ କୌଣସି ରାଜନୈତିକ ବ୍ୟକ୍ତିଙ୍କୁ ଥଇଥାନ କରା ନଯାଇ, ଜଣେ ସୁଦକ୍ଷ ଦିବ୍ୟାଙ୍ଗକୁ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିବାକୁ ଭିନ୍ନକ୍ଷମ ସାମ୍ମୁଖ୍ୟର ଏ ଦାବିକୁ ସରକାର କିଭଳି ଗ୍ରହଣ କରୁଛନ୍ତି ଏବେ ତା ଉପରେ ନଜର।

ରିପୋର୍ଟ: ସୌମ୍ୟରଞ୍ଜନ ସାହୁ ଓ ନିରଞ୍ଜନ ରେଡ୍ଡୀ

Disable Association
Advertisment
Advertisment