Advertisment

ସାପ ଉଦ୍ଧାର: ଅସିଦ୍ଧ ଗାଇଡଲାଇନକୁ ପ୍ରତ୍ୟାହାର କରି ନୂଆ ଗାଇଡଲାଇନ ଜାରି ପାଇଁ ଦାବି

ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ବନ୍ୟପ୍ରାଣୀଙ୍କୁ ଧରିବା କିମ୍ବା ମାରିବା ପାଇଁ ଅନୁମତି ଦେବା ପାଇଁ ଧାରା-୧୧ର ପ୍ରୟୋଗ କରାଯାଇଥାଏ । ତେଣୁ, ଏହି ଅସିଦ୍ଧ ଗାଇଡଲାଇନକୁ  ପ୍ରତ୍ୟାହାର କରି, ଆଇନଗତ ତ୍ରୁଟି ସଂଶୋଧନ କରି ଆଉ ଥରେ ନୂତନ ଗାଇଡଲାଇନ ଜାରି କରିବା ପାଇଁ ଦାବି ହୋଇଛି ।

author-image
Rajalaxmi Sahoo
Demands for issue new Guidelines Rescue and Release of Snakes

Demands for issue new Guidelines Rescue and Release of Snakes

ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସାପ ଉଦ୍ଧାର ଓ ଥଇଥାନ ନିମନ୍ତେ କରାଯାଇଥିବା ଗାଇଡଲାଇନରେ ଡିଏଫଓମାନେ ବନ୍ୟପ୍ରାଣୀ ଆଇନର ଧାରା-୧୧ ଅନୁଯାୟୀ ସାପଧରାଳିଙ୍କୁ ସାର୍ଟିଫିକେଟ ଦେବେ ବୋଲି ଲେଖା ଯାଇଛି । ଯାହା ସମ୍ପୂର୍ଣ୍ଣ ନିରାଧାର । ୧ ଏପ୍ରିଲ ୨୦୨୩ ରେ ସଂଶୋଧିତ ଆଇନ ଲାଗୁ ହେବା ଦିନ ଠାରୁ ଧଣ୍ଡ, ଢମଣା, ନାଗ, ତମ୍ପ, ଚନ୍ଦନ ବୋଡା, ଅଜଗର, ଅଲିଭ ଧଣ୍ଡ ଆଦି ସାପଙ୍କୁ ତଫସିଲ ୧ ତାଲିକାରେ ରଖା ଯାଇଛି । ଏଥି ନିମନ୍ତେ କେବଳ ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ହିଁ ଅନୁମତି ଦେବା ପାଇଁ କ୍ଷମତାପ୍ରାପ୍ତ ।

Advertisment

ସେହିପରି ବନ୍ୟ ପ୍ରାଣୀ ଆଇନର ଧାରା-୧୨ ର ଉପଧାରା (bb) ର (i) ଅନୁସାରେ ହିଁ ସାପ ଉଦ୍ଧାର ପାଇଁ ଅନୁମତି ଦିଆଯାଇ ପାରିବ ଏବଂ ତାହା କେବଳ ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ କ୍ଷମତା ଅନ୍ତର୍ଭୁକ୍ତ । ଯେହେତୁ ଡିଏଫଓମାନଙ୍କର ଆଇନଗତ କ୍ଷମତା ନାହିଁ ତେଣୁ ଗାଇଡଲାଇନଟି ଅସିଦ୍ଧ ହୋଇ ଯାଇଥିଲେ ମଧ୍ୟ ଗତକାଲି ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକଙ୍କ ଅଫିସରୁ ଏକ ଗଣମାଧ୍ୟମରେ ବିଜ୍ଞାପନ ଦିଆଯାଇଛି । ନିୟମ ଦୃଷ୍ଟିରୁ ପ୍ରଥମେ ପୁରୁଣା ଗାଇଡଲାଇନରେ ସଂଶୋଧନ କରି ଡିଏଫଓ ସ୍ଥାନରେ ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ଏବଂ ବନ୍ୟପ୍ରାଣୀ ଆଇନର ଧାରା-୧୧ ବଦଳରେ ଧାରା-୧୨ ଅନୁଯାୟୀ, ନୂତନ ଗାଇଡଲାଇନ ଜାରି କରି ଏହାକୁ କାର୍ଯ୍ୟକାରୀ କରିବା କଥା । 

ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ବନ୍ୟପ୍ରାଣୀଙ୍କୁ ଧରିବା କିମ୍ବା ମାରିବା ପାଇଁ ଅନୁମତି ଦେବା ପାଇଁ ଧାରା-୧୧ର ପ୍ରୟୋଗ କରାଯାଇଥାଏ । ତେଣୁ, ଏହି ଅସିଦ୍ଧ ଗାଇଡଲାଇନକୁ  ପ୍ରତ୍ୟାହାର କରି, ଆଇନଗତ ତ୍ରୁଟି ସଂଶୋଧନ କରି ଆଉ ଥରେ ନୂତନ ଗାଇଡଲାଇନ ଜାରି କରିବା ପାଇଁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ସ୍ନେକ ହେଲ୍‌ପ୍‌ ଲାଇନ୍‌ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ପୁନଃ ଦାବି ଜଣାଇଛନ୍ତି । 

Advertisment

ସୂଚନାଥାଉ କି, ସାପ ଉଦ୍ଧାର କାର୍ଯ୍ୟ ପାଇଁ ବନ ବିଭାଗରେ ଚାକିରି କରିଥିବା କର୍ମଚାରୀମାନେ ମଧ୍ୟ ସାପଧରାଳି ହେବା ପାଇଁ ଦରଖାସ୍ତ କରି ପାରିବେ ବୋଲି ଲେଖା ଯାଇଛି । ଯାହା ବନ୍ୟ ପ୍ରାଣୀ ଆଇନର ଧାରା-୬୦ ର ବିରୁଦ୍ଧାଚରଣ । ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ବନ କର୍ମଚାରୀଙ୍କ କର୍ତ୍ତବ୍ୟ । ଏଥିପାଇଁ ଆଇନ ଅନୁଯାୟୀ କାହାରି ଅନୁମତି ଆଦୌ ଆବଶ୍ୟକ ନାହିଁ ।

ସେହିପରି କେବଳ ସାର୍ଟିଫିକେଟ ପାଇଥିବା ସାପଧରାଳିମାନେ ହିଁ କେଉଁ ଲୋକଙ୍କ ଘରେ ସାପ ପଶିଲେ ଉଦ୍ଧାର କରି ପାରିବେ ବୋଲି ଯାହା ଲେଖା ଯାଇଛି, ତାହା ମଧ୍ୟ ଠିକ୍‌ ନୁହେଁ । କାରଣ ବନ୍ୟ ପ୍ରାଣୀ ଆଇନର ଧାରା ୧୧(୨) ରେ ଯେକୌଣସି ବନ୍ୟ ପ୍ରାଣୀ (ସାପ ଅନ୍ତର୍ଭୁକ୍ତ) କୁ ନିଜର ବା ଅନ୍ୟର ସୁରକ୍ଷା ପାଇଁ ମାରିଲେ ବା ଆଘାତ କରିଲେ ମଧ୍ୟ ଏକ ଅପରାଧ ହେବ ନାହିଁ । ସେହିପରି, ଧାରା ୩୯(୨) ରେ ସ୍ପଷ୍ଟ ଉଲ୍ଲେଖ ଅଛି, କୌଣସି ବ୍ୟକ୍ତି ଯଦି କେଉଁ ସାପ ଧରିବେ, ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା ଅଧିକୃତ କାର୍ଯ୍ୟାଳୟରେ ହସ୍ତାନ୍ତର କରିଦେଲେ ତାହା ଆଉ ଅପରାଧରେ ଗଣା ଯିବ ନାହିଁ ।

ସାପକୁ ଯେଉଁମାନେ ଧରିବା ପାଇଁ ଯିବେ, ସେମାନେ ମାଗଣାରେ କାମ କରିବେ, ଯାହା ସମ୍ପୂର୍ଣ ଭାବରେ ଅସମ୍ଭବ । ସେହିପରି ସାପ ଧରିବା ବେଳେ ଉପସ୍ଥିତ ଦେଖଣାହାରୀଙ୍କୁ ଯଦି ସାପ କାମୁଡ଼ିଲା, ତାଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇବା ଦାୟିତ୍ଵ ସାପ ଧରାଳିଙ୍କ ମୁଣ୍ଡରେ ଲଦିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଶୁଭେନ୍ଦୁ କହିଛନ୍ତି ।

Snakes
Advertisment
Advertisment