Advertisment

ଲଗାତାର ସଂଘର୍ଷ ଓ ଉଦ୍ୟମ ଯୋଗୁଁ ଦିବ୍ୟାଙ୍ଗଙ୍କ ପାଇଁ ସାହାରା ବନିଲେ ସୃତି

ସଂଘର୍ଷ ହେଉଛି ତାଙ୍କ ଜୀବନର ମାପକାଠି। ଅବିରତ ସଂଘର୍ଷରୁ କେମିତି ସଫଳତା ଲାଭ କରିହୁଏ ତା’ର ଏକ ବଡ ଉଦାହରଣ ହେଉଛନ୍ତି ଡ. ସୃତି ମହାପାତ୍ର। ୨୩ ବର୍ଷ ବୟସରେ ସେ ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିଲେ। କିନ୍ତୁ ଏକ ଦୁର୍ଘଟଣା ସବୁକିଛି ଓଟଲପାଲଟ କରିଦେଲା। ତା’ପରେ କ’ଣ ହେଲା ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Constant struggles make her a support for the disabled

Constant struggles make her a support for the disabled

ଜୀବନର ଘଡିସନ୍ଧି ମୁହୂର୍ତ୍ତରେ ସଠିକ୍ ନିଷ୍ପତି, ବଦଳାଇ ଦେଇପାରେ ଜୀବନର ମୋଡ, ସୃଷ୍ଟି କରିପାରେ ନୂଆ ଆଶା ଓ ସମ୍ଭାବନା। ପରିବର୍ତ୍ତିତ ପରିସ୍ଥିତିରେ ପାଦଥାପି ନାରୀ ନିଜକୁ ପ୍ରତିଷ୍ଠିତ କରିବା ସହିତ ସୁଖ୍ୟାତି ଅର୍ଜନ କରିବାର ଅନେକ ଉଦାହରଣ ରହିଛି ଆମ ସମାଜରେ। ସେହିମାନଙ୍କ ମଧ୍ୟରୁ ଏମିତି କେତେକ ନାରୀ ଅଛନ୍ତି ଯେଉଁମାନେ କି ଅନ୍ୟର ମଙ୍ଗଳ ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି, ସେବା ପାଇଁ ସୁଯୋଗର ହାତଛଡା କରି ନ ଥାନ୍ତି। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା।

Advertisment

ସଂଘର୍ଷ ହେଉଛି ତାଙ୍କ ଜୀବନର ମାପକାଠି। ଅବିରତ ସଂଘର୍ଷରୁ କେମିତି ସଫଳତା ଲାଭ କରିହୁଏ ତା’ର ଏକ ବଡ ଉଦାହରଣ ହେଉଛନ୍ତି ଡ. ସୃତି ମହାପାତ୍ର। ୨୩ ବର୍ଷ ବୟସରେ ଯେତେବେଳେ ସେ ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିଲେ, ଲାଗିଲା ଯେମିତି ଜୀବନରେ ସବୁକିଛି ମିଳିଗଲା। କିନ୍ତୁ ଏକ ଦୁର୍ଘଟଣା ସବୁକିଛି ଓଟଲପାଲଟ କରିଦେଲା। ତାଙ୍କର ସବୁସ୍ୱପ୍ନ ଭାଙ୍ଗି ଚୁରମାର୍ ହୋଇଗାଲ। କିନ୍ତୁ ପରିସ୍ଥିତି ଆଗରେ ସେ କେବେବି ମୁଣ୍ଡ ନୁଆଁଇ ନାହାଁନ୍ତି ବରଂ ଏହାକୁ ଏକ ସୁଯୋଗ ଭଳି ଉପଯୋଗ କରିଛନ୍ତି ଆହୁରି ସଫଳତା ପାଇଛନ୍ତି।

ବାପା ଓ ମାଙ୍କ ପ୍ରେରଣାରେ ଆଗକୁ ବଢିଛନ୍ତ ସୃତି। ପରିବାର ଲୋକଙ୍କ ଆନ୍ତରିକ ସହଯୋଗ ତାଙ୍କୁ ଭିତରୁ ମଜବୁତ କରିଛି। ମାନସିକଭାବେ ପ୍ରସ୍ତୁତ ହୋଇ ସେ ପୁଣିଥରେ ନୂଆ ସ୍ୱପ୍ନ ଦେଖିଛନ୍ତି। ପିଏଚଡି ଲାଭ କରିଛନ୍ତି, ଓଡିଶା ଆଇ.ଏ.ଏସ୍ ଷ୍ଟଡି ସର୍କଲରେ ଟ୍ରେନିଂ ଦେଇ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିଛନ୍ତି, ନ୍ୟାସ୍‌ନାଲ୍‌ ୟଙ୍ଗ୍ ସାଇଣ୍ଟିଷ୍ଟ୍ ଆଓ୍ୱାର୍ଡ ବି ଜିତିଛନ୍ତି। ହେଲେ ଏସବୁ ପାଇଁ ସୃତିଙ୍କୁ କିଛି କମ୍ ସଂଘର୍ଷ କରିବାକୁ ପଡି ନାହିଁ।

Advertisment

ସ୍ୱାଭିମାନୀ ଝିଅ ସୃତି ମହାପାତ୍ରଙ୍କ କଠୋର ପରିଶ୍ରମ ତାଙ୍କୁ ସଫଳତା ଦେଇଛି। ସେ ଅନେକଙ୍କୁ ସଶକ୍ତ ହେବାର ମନ୍ତ୍ର ଶିଖାଇଛନ୍ତି ଆଉ ସ୍ୱରହୀନଙ୍କ ପାଇଁ ସ୍ୱର ହୋଇ ଛିଡାହୋଇଛନ୍ତି। ଦିବ୍ୟାଙ୍ଗମାନଙ୍କ ଅଧିକାର ପାଇଁ ଲଢେଇ କରିଛନ୍ତି। ଦିବ୍ୟାଙ୍ଗ ଭାଇଭଉଣୀଙ୍କ ପାଇଁ ସୃତିଙ୍କ ନିରନ୍ତର ପ୍ରଚେଷ୍ଟା ଯୋଗୁଁ ଦେଶର ଆଇନରେ ପରିବର୍ତ୍ତନ ଆସିଛି। ସୂଚନା ଶକ୍ତି ବଳରେ ସେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛନ୍ତି।

ହେଲେ ଏହି ପରିବର୍ତ୍ତନ ଦିନେ କି ଦୁଇଦିନରେ ଆସି ନାହିଁ। ଏଥିପାଇଁ ତାଙ୍କୁ ଦୀର୍ଘ ବର୍ଷ ପରିଶ୍ରମ କରିବାକୁ ପଡିଛି। ଲଗାତାର ପ୍ରୟାସ କରିଛନ୍ତି, ଘାତ ପ୍ରତିଘାତ ସହିଛନ୍ତି, ଶେଷରେ ସଂଘର୍ଷରୁ ଜନ୍ମ ନେଇଛି ସୃତିଙ୍କର ମାନସ ସନ୍ତାନ ସ୍ୱାଭିମାନ। ଆଜି ହଜାର ହଜାର ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ସମ୍ମାନର ସହ ଜିଇଁବାର ବାଟ ଦେଖାଇଛି ସୃତିଙ୍କ ଏହି ସଂଗଠନ।

ଦିବ୍ୟାଙ୍ଗଙ୍କ ଅଧିକାର ହେଉଛି ମାନବ ଅଧିକାର। ଏହା କେବଳ ଭିନ୍ନକ୍ଷମ ଦିବସରେ ସୀମିତ ହୋଇରହିବା ଉଚିତ ନୁହେଁ। ସବୁପିଲା କେମିତି ଏକାଠି ପାଠ ପଢିବେ, ଏକାଠି ଖେଳିବେ, ଏମିତିକି ପରସ୍ପର ମଧ୍ୟରେ ଭାବ ବିନିମୟ କରିପାରିବେ, ତାହା ହିଁ ସୃତିଙ୍କର ଉଦ୍ଦେଶ୍ୟ। ଯାହା ପାଖରେ ଯେଉଁ କଳା ବା ପ୍ରତିଭା ରହିଛି, ତାହା ବିକଶିତ ହେବା ଉଚିତ। ଏମିତି କିଛି ଚିନ୍ତାଧାରା ସହିତ ଜନ୍ମନିଏ ସୃତିଙ୍କ ନୂଆ ଅନୁଷ୍ଠାନ ‘ଅଞ୍ଜଳି’।

ବଦଳିଛି ସମୟ, ହଟିଯାଇଛି ଦୁଃଖର ସେହି କଳାବାଦଲ। ସମାଜ ସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଛନ୍ତି ଡ. ସୃତି ମହାପାତ୍ର। ଏବେ ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଜଣେ ସମର୍ପିତ ବ୍ୟକ୍ତି ହୋଇପାରିଛନ୍ତି ସେ। ସମାଜରେ ଅନେକ କିଛି ପରିବର୍ତ୍ତନ ଆଣିପାରେ ନାରୀ, ତା’ର ଏକ ସଫଳ ଉଦାହରଣ ହୋଇଛନ୍ତି ଡ. ସୃତି ମହାପାତ୍ର। ନାରୀଙ୍କ ପ୍ରତି ସମସ୍ତଙ୍କର ସହଯୋଗ, ସ୍ନେହ ଓ ଶ୍ରଦ୍ଧା ଓ ଭଲପାଇବା ରହିଲେ ସେ ବନିପାରେ ପ୍ରେରଣା ବୋଲି ସେ ପ୍ରମାଣିତ କରିଦେଇଛନ୍ତି।

Inspirational Story
Advertisment
Advertisment