• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭୁବନେଶ୍ୱର : ପରଲୋକଗତ ବୀରପୁତ୍ର ସିଡିଏସ୍ ଜେନେରାଲ୍ ବିପିନ୍ ରାଓ୍ୱତଙ୍କର ରହିଛି ସ୍ମୃତିଭରା ଓଡ଼ିଶା ଲିଙ୍କ୍। ମହାପ୍ରଭୁ ଜଗନ୍ନାଥଙ୍କର ବି ସେ ଜଣେ ପରମଭକ୍ତ ଥିଲେ ବୋଲି ବଖାଣିଛନ୍ତି। ତାଙ୍କୁ ଦୁଇ ଦୁଇ ଥର ଠାକୁର ଦର୍ଶନ କରାଇଥିବା ଡିଫେନ୍ସ ପଣ୍ଡା ତା ସହ କହିଛନ୍ତି କିଛିଦିନ ତଳେ ଆଉଥରେ ପୁରୀ ଆସିବାକୁ ରାଓ୍ୱତ୍‌ଙ୍କୁ ସେ ନିମନ୍ତ୍ରଣ ଦେଇଥିଲେ, ଯାହା ଅଧୁରା ରହିଗଲା। ସେପଟେ ୨ବର୍ଷ ତଳେ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ କଲର୍ସ ସମ୍ମାନ ପ୍ରଦାନ ଉତ୍ସବରେ ଯୋଗଦେବାକୁ ଆସିଥିବା ସମୟରେ କେମିତି ସମସ୍ତଙ୍କ ମନକିଣି ନେଇଥିଲେ ଜେନେରାଲ୍ ରାଓ୍ୱତ, ସେ କଥା ଆଜି ବି ତାଜା, ତାଙ୍କ ସହ ମିଶିଥିବା ମଣିଷ ମାନଙ୍କର ସେ ଥିଲେ ଅଦମନୀୟ ଯୋଦ୍ଧା, ଜଣେ ପିପୁଲ୍ସ ଜେନେରାଲ୍। ଶେଷ ଥର ପାଇଁ ଦୁଇ ବର୍ଷ ତଳେ ଓଡ଼ିଶା ଆସିଥିଲେ ବୀରପୁତ୍ର ବିପିନ୍ ରାଓ୍ୱତ୍।

୨୦୧୯ ସେପ୍‌ଟେମ୍ବର ୨୮ ଗଂଜାମ ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ଆୟୋଜିତ କଲର୍ସ ସମ୍ମାନ ପ୍ରଦାନ ଉତ୍ସବରେ ହୋଇଥିଲେ ଅତିଥି। ୨୫ବର୍ଷର ଉଲ୍ଲେଖନୀୟ ସେବା ଲାଗି ବାୟୁ ପ୍ରତିରକ୍ଷା ବାହିନୀକୁ ସେତେବେଳେ ଏହି ସମ୍ମାନ ପ୍ରଦାନ କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ୱାଗତ ପାଇଁ ଆଗୁଆ ଆସି ବ୍ରହ୍ମପୁରରେ ପହଞ୍ଚିଥିଲେ ରାଓ୍ୱତ୍। ସେତେବେଳେ ଥିଲେ ଦେଶର ସ୍ଥଳସେନା ମୁଖ୍ୟ। ଉତ୍ସବର ଦିନକ ପୂର୍ବରୁ ବ୍ରହ୍ମପୁର ୟୁନିଭର୍ସିଟି ନିକଟ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ରେ ହେଲିକପ୍ଟରୁ ଓହ୍ଲାଇ ସିଧା କାର୍‌ରେ ଯାଇଥିଲେ। ଆର୍ମି ଏୟାର ଡିଫେନ୍ସ କଲେଜ ସେତେବେଳେ ତାଙ୍କୁ ଓଡ଼ିଶା ମାଟିରେ ମିଳିଥିଲା ଭବ୍ୟ ସ୍ୱାଗତ ସାମୟିକ ରହଣୀ ଭିତରେ ସ୍ଥାନୀୟ ଏସ୍ପି ହୁଅନ୍ତୁ କି ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ସମସ୍ତଙ୍କୁ ଯେମିତି ଆପଣାର କରି ନେଇଥିଲେ ରାଓ୍ୱତ୍। କାହା ସହ ହାତ ମିଳାଇଥିଲେ ତ କାହା ସହ ଦୁଇ ପଦ କଥା ହୋଇଥିଲେ। ସେହି ଅଭୁଲା ଅନୁଭବ ଆଜି ବି ମନରେ ତାଜା ଅଛି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କର।

ମହାପ୍ରଭୁ ଜଗନ୍ନାଥଙ୍କର ବି ପରମ ଭକ୍ତ ଥିଲେ ସିଡିଏସ୍ ବିପିନ ରାଓ୍ୱତ୍। ପ୍ରତିରକ୍ଷା ବିଭାଗ ପଣ୍ଡା ରାମଚନ୍ଦ୍ର ପୁରାଣ ପଣ୍ଡାଙ୍କ ସୂଚନା ଅନୁସାରେ ବିପିନ ରାଓ୍ୱତ ଦୁଇଥର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ସାନିଧ୍ୟ ନେଇଥିଲେ। ୨୦୧୫ରେ ପ୍ରଥମ ଥର ପୁରୀ ଆସିଥିବାବେଳେ ଓ ଶେଷଥର ପାଇଁ ୨୦୧୭ ନଭେମ୍ବର ୨୫ରେ ସପତ୍ନୀକ ଶ୍ରୀକ୍ଷେତ୍ର ଆସିଥିଲେ। ସବୁଥର ବୀରପୁତ୍ର ବିପିନ୍ ରାଓ୍ୱତ୍ ଓ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ୍ ମହାପ୍ରଭୁଙ୍କୁ ଦର୍ଶନ କରି ନିଜ ପାଇଁ କମ୍ ବରଂ ଫୌଜୀ ଭାଇ ଓ ସେମାନଙ୍କ ପରିବାର ପାଇଁ ଅଧିକ ଆଶିଷ ମାଗିଛନ୍ତି ବୋଲି କହିଛନ୍ତି ପୁରାଣ ପଣ୍ଡା।

ଏମିତିକି ବିପିନ୍ ରାଓ୍ୱତ୍‌ଙ୍କ ସହ ସେ ଉଠାଇଥିବା ଫଟୋକୁ ଦେଖାଇ ଭାବ ବିହ୍ୱଳ ହୋଇପଡ଼ିଥିଲେ। ରାମଚନ୍ଦ୍ର ପୁରାଣ ପଣ୍ଡା କହିଥିଲେ ଗତକାଲିର ଦୁର୍ଘଟଣା ଖବର ତାଙ୍କୁ ସ୍ତମ୍ଭୀଭୁତ କରିଛି। କିଛି ଦିନ ତଳେ ସେ ରାଓ୍ୱତ୍‌ଙ୍କ ସହ ଫୋନ୍‌ରେ କଥା ହୋଇ ଆଉ ଥରେ ପୁରୀ ଆସିବାକୁ ନିମନ୍ତ୍ରଣ ଦେଇଥିଲେ। ହେଲେ ତାହା ଅଧୁରା ରହିଗଲା।

ସେମିତି ବିପିନ୍ ରାଓ୍ୱତ୍‌ଙ୍କ ପୁରୀ ଆଗମନ ସମୟରେ, ସେତେବେଳେ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅଧିକାରୀ ଦାୟିତ୍ୱରେ ଥିବା ସୁଦୀପ୍ତ ଚାଟାର୍ଜୀ ମଧ୍ୟ ବଖାଣିଛନ୍ତି ରାଓ୍ୱତଙ୍କ ସହ କିଛି ଅଭୁଲା ଅନୁଭୁତି। ସେ କହିଛନ୍ତି ବିପିନ୍ ରାଓ୍ୱତ୍ ତାଙ୍କଠାରୁ ଜଗନ୍ନାଥ ମନ୍ଦିରର ଇତିହାସ ଓ ଜଗନ୍ନାଥ ଦାରୁବ୍ରହ୍ମରୂପୀ ସାକ୍ଷାତ ବିଷ୍ଣୁ ବୋଲି ଜାଣିବା ପରେ ଗଦ୍‌ଗଦ୍ ହୋଇ ଯାଇଥିଲେ।

କେବଳ ଜଣେ ଉଚ୍ଚକୋଟୀର ସେନା ନାୟକ ନୁହଁନ୍ତି, ଜଣେ ଭଲ ମଣିଷ ଥିଲେ ଜେନେରାଲ୍ ରାଓ୍ୱତ। ତେଣୁ ତାଙ୍କ ସହ କ୍ଷଣକ ପାଇଁ ମିଶିଥିବା ଓଡ଼ିଶା ଲୋକେ ବି ଆଜି ତାଙ୍କୁ ଝୁରୁଛନ୍ତି।