• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

CDS ଜେନେରାଲ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚପର କ୍ରାସ୍‌ରେ ପ୍ରାଣ ହରାଇଥିବା ସମସ୍ତ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । ପୁଷ୍ପମାଲ୍ୟ ଦେଇ ବୀର ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ବୀର ଯୋଦ୍ଧାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସାନ୍ତ୍ୱନା ଦେଲେ । ପ୍ରଧାନମନ୍ତ୍ରୀଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ସେଠାରେ ପହଞ୍ଚି ସିଡିଏସ୍‌ ବିପିନ୍‌ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ୩ ସେନାର ମୁଖ୍ୟ ଜଣଙ୍କ ପରେ ଜଣେ ପୁଷ୍ପଗୁଚ୍ଛ ଦେଇ ସମ୍ମାନ ଜଣାଇଛନ୍ତି । ଦିଲ୍ଲୀ ପାଲମ ବିମାନବନ୍ଦରରେ ଶୋକାକୁଳ ପରିବେଶରେ ଦେଶର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଆଜି ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଦିଲ୍ଲୀ ପାଲମ ଏୟାର୍‌ବେସ୍‌ରେ ପହଞ୍ଚିଥିଲା ସିଡିଏସ୍‌ ବିପିନ୍‌ ରାୱତଙ୍କ ପାର୍ଥୀବ ଶରୀର । ତାଙ୍କ ସହ ଅନ୍ୟ ୧୨ ଜଣଙ୍କ ପାର୍ଥୀବ ଶରୀର ମଧ୍ୟ ଏଠାରେ ପହଞ୍ଚିଥିଲା । ବାୟୁସେନାର ସ୍ୱତନ୍ତ୍ର ବିମାନରେ ସମସ୍ତ ୧୩ ଜଣଙ୍କ ପାର୍ଥିବ ଶରୀରକୁ ସସମ୍ମାନେ ଆଣାଯାଇଥିଲା । ତାମିଲନାଡୁର ସୁଲୁର ବିମାନବନ୍ଦରରୁ ପାର୍ଥିବ ଶରୀର ଆସି ପହଞ୍ଚିଥିଲା । ଜେନେରାଲ ରାୱତଙ୍କ ଦୁଇ ଝିଅ ପାଲମ ବିମାନବନ୍ଦରରେ ଉପସ୍ଥିତ ରହିଛନ୍ତି । ଶୋକାକୁଳ ପରିବେଶରେ ପ୍ରଥମେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦୁଇ ଝିଅ ।

ଗତକାଲି ତାମିଲନାଡ଼ୁର କନ୍ନୁରରେ ବାୟୁ ସେନାର ହେଲିକପ୍ଟର MI17 V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ସିଡିଏସ୍‌ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ଓ ଅନ୍ୟ ୧୨ ଜଣ ଯାତ୍ରା କରୁଥିଲେ । ମୋଟ ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି । 

ଆସନ୍ତାକାଲି ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଜେନେରାଲ ରାଓ୍ୱତଙ୍କ ସହ ଅନ୍ୟମାନଙ୍କ ଶେଷକୃତ୍ୟ କରାଯିବ । ତା ପୂର୍ବରୁ ଆଜି ତାମିଲନାଡୁର ନୀଳଗିରି ଜିଲ୍ଲା ମାଡ୍ରାସ ରେଜିମେଣ୍ଟାଲ ସେଣ୍ଟରକୁ ଅଣାଯାଇଥିଲା ଜେନେରାଲ ବିପିନ ରାଓ୍ୱତଙ୍କ ସହ ଅନ୍ୟ ୧୨ ଜଣଙ୍କ ପାର୍ଥିବ ଶରୀର । ସେଠାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବକ୍ତି ଦିବଂଗତମାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ସେଠାରୁ ଏକ ଶୋଭାଯାତ୍ରାରେ ସୁଲୁର ବାୟୁସେନା ଘାଟି ଅଭିମୁଖେ ଅଣାଯାଇଥିଲା ସମସ୍ତଙ୍କ ମରଶରୀର । ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ରାସ୍ତାରେ ରୁଣ୍ଡ ହୋଇଥିଲେ । ହଜାର ହଜାର ଲୋକେ ଜେନରାଲ ରାଓ୍ୱତ, ତାଙ୍କ ପତ୍ନୀ ଓ ଅନ୍ୟମାନଙ୍କ ପାର୍ଥିବ ଶରୀର ଧରି ଆସୁଥିବା ଆମ୍ବୁଲାନ୍ସ ଉପରେ ଫୁଲହାର ଦେଇ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।