Advertisment

ରାଜ୍ୟରେ ବଢିଚାଲିଛି ଭିକାରି ସଂଖ୍ୟା

ରୀବ ଓ ଅନାଥଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା । ହେଲେ ସବୁ ବାଟବଣା। ବଢୁଥିବା ଭିକାରିଙ୍କ ସ୍ଥିତିକୁ ଦେଖିଲେ ଏହା ହିଁ କୁହାଯିବ। ରାଜଧାନୀରୁ ରାଜ୍ୟବ୍ୟାପି ସଂଖ୍ୟା ଛୁଇଁବାକୁ ବସିଛି ୭ ହଜାର ପାଖାପାଖି।

author-image
Pramod Behera
Increasing Beggar in state

Increasing Beggar in state

ଭୁବନେଶ୍ୱର : ରାଜ୍ୟରେ ଗରୀବ ଓ ଅନାଥଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା । ହେଲେ ସବୁ ବାଟବଣା। ବଢୁଥିବା ଭିକାରିଙ୍କ ସ୍ଥିତିକୁ ଦେଖିଲେ ଏହା ହିଁ କୁହାଯିବ। ରାଜଧାନୀରୁ ରାଜ୍ୟବ୍ୟାପି ସଂଖ୍ୟା ଛୁଇଁବାକୁ ବସିଛି ୭ ହଜାର ପାଖାପାଖି। ବଡ଼ କଥା ହେଉଛି, ୨ ବର୍ଷରେ ଭିକ୍ଷୁକଙ୍କ ସଂଖ୍ୟା ୫୮୦ ବଢ଼ିଛି । ଗୃହରେ ଏଭଳି ତଥ୍ୟ ରଖିଛନ୍ତି ରାଜ୍ୟ ସରକାର। କେବଳ ସିଲ୍‌ଭର୍ ସିଟି କଟକରେ ସରକାରୀ ଭାବେ ହଜାରେ ଉପରେ ରହିଛନ୍ତି ଭିକାରି। କଟକ ଭଳି ଭୁବନେଶ୍ୱରରେ ବି ସଂଖ୍ୟା କିଛି କମ୍ ନୁହଁ। ତେବେ ବହୁ ଯୋଜନା ଆଉ କାର୍ଯ୍ୟକ୍ରମ ସତ୍ତ୍ୱେ କାହିଁକି ଭିକାରିମୁକ୍ତ ହୋଇପାରୁନି ଓଡ଼ିଶା ? ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

Advertisment

ବାଟବଣା ହୋଇଛି କି ରାଜ୍ୟ ସରକାରଙ୍କ ଭିକାରୀମୁକ୍ତ ଯୋଜନା? ସହାୟ ଯୋଜନା ହୋଇଯାଇଛି କି ଅସହାୟ? ଏନେଇ ଦେଖାଦେଇଛି ରାଜଧାନୀଠୁ ରାଜ୍ୟବ୍ୟାପି ମାଳ ମାଳ ଭିକାରି। କେଉଁଠି ପରିଣତ ବୟସରେ ପୁଅବୋହୂ ପର କରିଦେବା ପରେ କିଏ ପର ହାତଟେକାରେ ଜୀବନ ଜୀଉଁଛନ୍ତି ତ ଆଉ କିଏ ଅଭାବୀ ପେଟକୁ ଦାନା ଯୋଗାଣ ପାଇଁ ଭିକ୍ଷାଥାଳ ଧରିଛନ୍ତି। ସେମିତି ଜଣେ ହେଲେ କଟକର ରମା ବେହୁରା। ସେ ଦୀର୍ଘ ୩୫ ବର୍ଷ ହେଲା ଭିକ ମାଗି ଚଳୁଛନ୍ତି। ଦୁଇ ପୁଅ ଅକାଳରେ ଆରପାରିକୁ ଚାଲିଯିବା ପରେ ଅନ୍ୟ ଜଣେ ପୁଅ ପରିବାର ଚଳାଇବାକୁ ଅସମର୍ଥ। ସେହିପରି ଆଉ ଜଣେ ହେଲେ କଟକ ଚଣ୍ଡୀ ମନ୍ଦିର ଆଗରେ ୧୦ ବର୍ଷ ହେଲା ଭିକ୍ଷାବୃତ୍ତି କରୁଥିବା ବାସନ୍ତୀ ନାୟକା। ଗୋଟିଏ ବୋଲି ପୁଅ ଆଉ ବୋହୂ ଆଡ଼ ଆଖିରେ ବି ଚାହିଁଲେନି। ଘରଦ୍ୱାର ହରାଇବା ପରେ ଏବେ ବେସାହାରା ହୋଇ ଭିକ ମାଗୁଛନ୍ତି।

କେବଳ କଟକ ନୁହଁ, ରାଜ୍ୟବ୍ୟାପୀ ଭିକାରୀଙ୍କ ସଂଖ୍ୟା ପହଞ୍ଚିଲାଣି ୭ ହଜାର ପାଖାପାଖି। ଗୃହରେ ଏଭଳି ଉତ୍ତର ରଖିଛନ୍ତି ଖୋଦ୍ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା। ବିଜେପି ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନରେ ମନ୍ତ୍ରୀ ତଥ୍ୟ ରଖି କହିଛନ୍ତି, ରାଜ୍ୟବ୍ୟାପି ୬,୯୭୦ ଜଣ ଭିକାରି ଥିବାବେଳେ ପୁରୁଷ ୪,୧୨୮ ଓ ମହିଳା ୨, ୮୪୨ ରହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨ ବର୍ଷରେ ଭିକ୍ଷୁକଙ୍କ ସଂଖ୍ୟା ୫୮୦ ବଢ଼ିଛି।

Advertisment

କଟକ ସହରରେ ସର୍ବାଧିକ ୧୦୬୦ ଥିବାବେଳେ ବରଗଡ, ବଲାଙ୍ଗୀର ଓ ଗଞ୍ଜାମରେ ସଂଖ୍ୟା ୫୦୦ରୁ ଅଧିକ। ଖୋର୍ଦ୍ଧା ଜିଲ୍ଲାରେ ୪୧୮ ଥିବାବେଳେ ରାଜଧାନୀରେ ବି ସଂଖ୍ୟା କିଛି କମ୍ ନୁହଁ । ସର୍ବନିମ୍ନ ସଂଖ୍ୟା ରହିଛି ବୌଦ୍ଧ, ଦେବଗଡ ଓ କେନ୍ଦ୍ରାପଡ଼ାରେ।

ତେବେ କଟକରେ ଭିକାରୀଙ୍କ ଥଇଥାନ ପାଇଁ ବେଗାର୍ ହୋମ୍ ଆରମ୍ଭ ହେବ ବୋଲି କହିଛନ୍ତି ସିଏମ୍‌ସି କମିଶନର। ଏପଟେ ବିଏମ୍‌ସି ସହ ମିଶି କାମ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ବିକାଶ କହିଛି, ଭୁବନେଶ୍ୱରରେ ବେଗାର୍ ଫ୍ରି ଅଭିଯାନ ଜରିଆରେ ଏବେ ସୁଦ୍ଧା ୩୦୦ ଭିକ୍ଷୁକଙ୍କୁ ଉଦ୍ଧାର କରାଯାଇଛି। ସରକାର ଅଧିକ ସଂଖ୍ୟା ପାଇଁ ଅନୁମତି ଦେଲେ ସେହି ଅନୁଯାୟୀ, କାମ କରିବୁ ବୋଲି କହିଛି ଏହି ସଂସ୍ଥା।

ବିଧାନସଭାରେ ପଚରା ଯାଇଥିବା ୨ଟି ପୃଥକ ପୃଥକ ପ୍ରଶ୍ନରେ ଅଲଗା ଅଲଗା ତଥ୍ୟ ଦର୍ଶାଇଛନ୍ତି ମନ୍ତ୍ରୀ। ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନରେ ୬୯୭୦ ଏବଂ ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନରେ ୬, ୭୯୩ ଭିକ୍ଷୁକ ଥିବା ଦର୍ଶାଯାଇଛି। ସେପଟେ ରାଜ୍ୟରେ ଭିକ୍ଷୁକଙ୍କ ସଂଖ୍ୟା ବଢ଼ିବାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ। ଏନେଇ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା କିମ୍ବା ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

Odisha
Advertisment
Advertisment