Advertisment

ଋଷ ବିରୋଧରେ ଲଢ଼ିବା ପାଇଁ ଯୁକ୍ରେନ୍‌ ସେନାରେ ଯୋଗ ଦେଲେ ତାମିଲନାଡୁ ପୁଅ

ଫେବୃଆରୀ ୨୬ ତାରିଖରେ ଆରମ୍ଭ ହୋଇଥିଲା ଅପରେସନ୍ ଗଙ୍ଗା।

author-image
Chandan Shishu
Russia Ukraine War

Russia Ukraine War

ୟୁକ୍ରେନ୍‌ର ଉତ୍ତର ପୂର୍ବ ସୀମାବର୍ତ୍ତୀ ସହର ସୁମିରୁ ଉଦ୍ଧାର ହେଲେ ସବୁ ଭାରତୀୟ ଛାତ୍ରଛାତ୍ରୀ। ସମସ୍ତ ୬୯୪ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବସ୍ ଯୋଗେ ଦକ୍ଷିଣକୁ ଥିବା ଆଉ ଏକ ୟୁକ୍ରେନୀୟ ସହର ପୋଲଟାଭାକୁ ଅଣାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂ ପୁରୀ।  ସେଠାରୁ ସେମାନେ ୟୁକ୍ରେନ୍‌ର ପଶ୍ଚିମ ସୀମା ଅତିକ୍ରମ କରି ଭାରତ ଫେରିବେ। ଅପରେସନ୍ ଗଙ୍ଗାରେ ଏବେ ସୁଦ୍ଧା ୧୯ହଜାରରୁ ଅଧିକ ଭାରତୀୟଙ୍କୁ ୟୁକ୍ରେନ୍‌ରୁ ଉଦ୍ଧାର କରାଯାଇଥିବା ବେଳେ, ସେମାନଙ୍କ ମଧ୍ୟରୁ ପ୍ରାୟ ୧୭ ହଜାର ଭାରତ ଫେରିସାରିଲେଣି ଓ ଅନ୍ୟମାନେ ପଡ଼ୋଶୀ ଦେଶରେ ସୁରକ୍ଷିତ ଅଛନ୍ତି।

Advertisment

ତେବେ କେନ୍ଦ୍ର ସରକାରଙ୍କ ଚିନ୍ତା ଥିଲା, ଘନଘନ ବୋମା ବର୍ଷୁଥିବା ସୁମି ସହରକୁ ନେଇ। ସୁମି ଠାରୁ ୟୁକ୍ରେନ୍‌ର ପଶ୍ଚିମ ସୀମା ୧୫ଶହ କିଲୋମିଟର ଦୂର ହୋଇଥିବାରୁ, ଛାତ୍ରଛାତ୍ରୀମାନେ ଏତେବାଟ ଅତିକ୍ରମ କରିବା ସମ୍ଭବ ନଥିଲା। ଟ୍ରେନ୍ସେବା ମଧ୍ୟ ବନ୍ଦ ଥିଲା। ଏଭଳି ସ୍ଥିତିରେ ଗତକାଲି ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍. ତିରୁମୂର୍ତ୍ତି ଉଦବେଗ ପ୍ରକାଶ କରିଥିଲେ ଯେ, ସୁମିରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ଲାଗି ସେଫ୍ କରିଡର୍ ବା ନିରାପଦ ଗଳି ଯୋଗାଇଦେବାକୁ ଉଭୟ ୟୁକ୍ରେନ୍ ଓ ଋଷକୁ ବାରମ୍ବାର ଅନୁରୋଧ କରାଗଲେ ବି ତାହା ସମ୍ଭବ ହୋଇପାରୁନାହିଁ। ଏହାପରେ ନୂଆଦିଲ୍ଲୀ ସ୍ଥିତ ଋଷୀୟ ଦୂତାବାସ ଟୁଇଟ୍ କରିଥିଲା ଯେ, ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ଭାରତୀୟ ସମୟ ଦିନ ସାଢ଼େ ୧୨ଟାରେ ଯୁଦ୍ଧ ବିରତି ହେବ।

ଫେବୃଆରୀ ୨୬ ତାରିଖରେ ଆରମ୍ଭ ହୋଇଥିଲା ଅପରେସନ୍ ଗଙ୍ଗା। ଯାହା ଅଧୀନରେ ଗତ ୧୧ ଦିନ ଭିତରେ ଏୟାର୍ ଇଣ୍ଡିଆ ସମେତ ବିଭିନ୍ନ ବେସାମରିକ ବିମାନ ଓ ବାୟୁସେନା ବିମାନ ସହାୟତାରେ ହଜାର ହଜାର ଭାରତୀୟଙ୍କୁ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରୁ ଭାରତ ଫେରାଇ ଆଣିବା ସମ୍ଭବ ହୋଇଛି। ଗତକାଲି ବାୟୁସେନା ବିମାନରେ ୟୁକ୍ରେନ୍‌ରୁ ପୋଲାଣ୍ଡ୍ ଦେଇ ସ୍ୱଦେଶ ଫେରିଥିଲେ ଏକାଧିକ ଗୁଳିମାଡ଼ରେ ଗୁରୁତର ହୋଇଥିବା ଭାରତୀୟ ଛାତ୍ର ହରଜୋତ୍ ସିଂ। ଯୁଦ୍ଧର ଘନଘଟା ଭିତରେ ରୋଡ୍ ବ୍ଲକ୍, ଟ୍ରାଫିକ୍ ଜାମ୍ ଓ ଇନ୍ଧନ ଅଭାବ ସତ୍ତ୍ୱେ ହରଜୋତଙ୍କୁ ଦୀର୍ଘ ୭ଶହ କିଲୋମିଟର ଆମ୍ବୁଲାନ୍ସରେ ଆଣିଥିବା ୟୁକ୍ରେନୀୟ ଡ୍ରାଇଭରଙ୍କୁ ଧନ୍ୟବାଦ ଜଣାଇଛି ଭାରତୀୟ ଦୂତାବାସ।

Advertisment

ସେପଟେ ୟୁକ୍ରେନ୍‌ରେ ବୋମାବର୍ଷଣ ବେଳେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତଦେହ ଠାବ ହୋଇଛି। ତାହା ଏବେ ୟୁକ୍ରେନ୍‌ର ଏକ ଶବଗୃହରେ ରଖାଯାଇଛି ଏବଂ ସେଠାରେ ବୋମାବର୍ଷା ଥମିଲେ ମୃତଦେହ ଭାରତ ଅଣାଯିବ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏହି ସୂଚନା ଦେଇଥିବା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ।

ତେବେ ଯୁଦ୍ଧ ବିଭୀଷିକା ଭିତରୁ ବାହାରି, ସ୍ୱଦେଶ ଫେରିବାକୁ ବ୍ୟଗ୍ର ନୁହଁନ୍ତି ୟୁକ୍ରେନ୍‌ରେ ଥିବା ସବୁ ଭାରତୀୟ। ୟୁକ୍ରେନ୍‌ ଡୋନବାସ୍‌ରେ ୧୫ ବର୍ଷ ଧରି ଡାକ୍ତର ଭାବେ କାମ କରୁଥିବା ଆନ୍ଧ୍ର ପ୍ରଦେଶର କୁମାର ବନ୍ଦି, ନିଜ ପୋଷା କଲରାପତରିଆ ବାଘ ଓ ବ୍ଲାକ୍ ପାନ୍ଥରକୁ ଛାଡ଼ି ଭାରତ ଫେରିବାକୁ ଚାହୁଁନାହାନ୍ତି। ତେଣେ ହରିୟାଣାର ଆଉ ଏକ ମେଡିକାଲ୍ ଛାତ୍ର ସାହିଲ ନିଜେ ୟୁକ୍ରେନ୍ ଛାଡ଼ିବା ପୂର୍ବରୁ ପ୍ରଥମେ ନିଜ ପୋଷା କୁକୁରକୁ ଘରକୁ ପଠାଇ ଦେଇଛନ୍ତି।

ଆଉ ଏକ ଚର୍ଚ୍ଚା ହେଉଛି ଯେ, ତାମିଲନାଡ଼ୁର ୨୧ ବର୍ଷୀୟ ଛାତ୍ର ସାଇନିକେଶ ରବିଚନ୍ଦ୍ରନ୍ ଋଷ ବିରୋଧରେ ଲଢ଼ିବା ପାଇଁ ୟୁକ୍ରେନ୍ ପାରାମିଲିଟାରି ଫୋର୍ସରେ ଯୋଗ ଦେଇଛନ୍ତି। ସେ ଖାରକିଭ୍ ସ୍ଥିତ ନ୍ୟାସନାଲ ଏରୋସ୍ପେଶ୍ ୟୁନିଭର୍ସିଟିରେ ପଢ଼ୁଥିଲେ ଏବଂ ଆସନ୍ତା ଜୁଲାଇରେ ପାଠପଢ଼ା ସରିଥିଲେ ଘରକୁ ଫେରିଥାନ୍ତେ।

Russia Ukraine Crisis Ukraine Crisis Ukraine Russia War
Advertisment
Advertisment