• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବ୍ରେକ୍‌ଲେସ୍‌ ଯୁଦ୍ଧ। ଯୁଦ୍ଧରେ ବିରାମ ନାହିଁ, ଆଟାକ୍ ପରେ ଆଟାକ୍ କରି ଚାଲିଛି ଶକ୍ତିଶାଳୀ ରୁଷିଆ ା ହେଲେ ସେହି ଶକ୍ତିଶାଳୀ ରାଷ୍ଟ୍ରର ରଣନୀତିକୁ ନେଇ ଏବେ ବିଶ୍ୱରେ ଚର୍ଚ୍ଚା। ପାୱାରଫୁଲ୍‌ ପୁଟିନ୍‌ଙ୍କ ୱାର୍‌ ଷ୍ଟ୍ରାଟେଜୀଜିକୁ ନେଇ ଆଲୋଚନା ହେଉଛି। କୁହାଯାଉଛି, ୟୁକ୍ରେନ୍‌ରେ ଯୁଦ୍ଧ ନେଇ ପୁଟିନ୍‌ଙ୍କୁ ମିସ୍‌ଲିଡ୍‌ କରାଯାଉଛି। ଭୟରେ ତାଙ୍କର  ପରାମର୍ଶଦାତା ତାଙ୍କୁ ଯୁଦ୍ଧ ସମ୍ବନ୍ଧରେ ଭୁଲ୍‌ ଖବର ଦେଉଛନ୍ତି। ‌ଆମେରିକା ସହ UK ଏବଂ ୟୁରୋପୀୟ ରାଷ୍ଟ୍ରମାନେ ଏପରି ସାଂଘାତିକ ଅଭିଯୋଗ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏଠାରେ ପ୍ରଶ୍ନ ଉଠୁଛି ମିସ୍‌ଲିଡ୍‌ ହେଉଛନ୍ତି କି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ? ପୁଟିନଙ୍କୁ ଭୁଲ ତଥ୍ୟ ଦେଉଛନ୍ତି କି ତାଙ୍କ ପରାମର୍ଶଦାତା ? ମାସେ ପରେ ହେଲାଣି ଋଷ-ୟୁକ୍ରେନ୍ ଯୁଦ୍ଧ। ୟୁକ୍ରେନ୍‌ର ଅନେକ କ୍ଷତି ଘଟାଇ ସାରିଲାଣି ଋଷ୍‌। ହେଲେ ୟୁକ୍ରେନକୁ ପରାସ୍ତ କରିପାରିନି ରୁଷିଆ। ଅତି ଅଳ୍ପ ସମୟ ଭିତରେ ୟୁକ୍ରେନକୁ ନିଜ ନିୟନ୍ତ୍ରଣକୁ ନେବାକୁ ଭାବି ନେଇଥିଲା ଋଷ୍‌। ହେଲେ ତାହା ହୋଇ ନାହିଁ। ଆଟାକ୍ କରି ୟୁକ୍ରେନକୁ ଡରାଇ  ନିଜ ଲକ୍ଷ୍ୟ ପୂରଣର ଆଶା ରଖିଥିବା ଋଷଷ୍‌ ବି ଇତି ମଧ୍ୟରେ ଅନେକ କ୍ଷତି ସହିଲାଣି।

ତେବେ କାହିଁକି ନିଜ ଲକ୍ଷ୍ୟ ପୂରଣରେ ସଫଳ ହେଉନି ଋଷ୍‌ ? କେଉଁଠି ଭୁଲ୍‌ ରହୁଛି ? ୟା ଉପରେ ଆମେରିକା ଏବେ ନିଜ ପ୍ରତିକ୍ରିୟା ରଖିଛି। ଆମେରିକା  କହିଛି ଯେ, ଋଷ୍‌ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ଙ୍କୁ ମିସ୍‌ଲିଡ୍‌ କରାଯାଇଛି। ୟୁକ୍ରେନ୍‌ରେ ଯୁଦ୍ଧ ନେଇ ପୁଟିନ୍‌ଙ୍କୁ ତାଙ୍କ ଆଡଭାଇଜର ଭୁଲ୍‌ ବାଟରେ ନେଉଛନ୍ତି। ହ୍ୱାଇଟ୍ ହାଉସ୍ କହିଛି ଯେ, ଋଷ ସେନାର ପ୍ରଦର୍ଶନ ନେଇ ପୁଟିନ୍‌ଙ୍କୁ ଭୟରେ ସଠିକ୍ ଅପଡେଟ୍‌ ଦିଆଯାଉନି।

ଋଷ ସୈନ୍ୟ ୟୁକ୍ରେନ୍‌ରେ କଣ କରୁଛନ୍ତି ? ତାଙ୍କ କାର୍ଯ୍ୟଶୈଳୀ କିପରି ଅଛି ? ତାହା ସମ୍ବନ୍ଧରେ ରାଷ୍ଟ୍ରମୁଖ୍ୟ ପୁଟିନ୍‌ଙ୍କୁ ସଠିକ୍ ଭାବେ ଜଣାଯାଉନାହିଁ ବୋଲି ବାଇଡେନ୍‌ଙ୍କ ଅଫିସ ପକ୍ଷରୁ କୁହାଯାଇଛି। କେବଳ ଆମେରିକା ନୁହେଁ,  ବ୍ରିଟେନ୍ ଏବଂ ୟୁରୋପୀୟ ରାଷ୍ଟ୍ରମାନେ ମଧ୍ୟ ଏମିତି କିଛି ଅଭିଯୋଗ କରିଛନ୍ତି। ପଶ୍ଚିମୀ ରାଷ୍ଟ୍ର କହୁଛନ୍ତି ଯେ, ଋଷ୍‌ ସୈନିକ ଋଷ୍‌ର ନିର୍ଦ୍ଦେଶକୁ ଆଉ ମାନୁ ନାହାନ୍ତି। ଏପରିକି ତାଙ୍କ ପାଖରେ ଥିବା ଯୁଦ୍ଧାସ୍ତ୍ରକୁ ମଧ୍ୟ ସେମାନେ ନଷ୍ଟ କରିଦେଇଥିବା କୁହାଯାଉଛି। ତେବେ ଏନେଇ ଋଷ୍‌ କୌଣସି ପ୍ରତିକ୍ରିୟା ରଖିନାହିଁ।

ୟୁକ୍ରେନ୍‌ରେ ଋଷ୍‌ର ଯୁଦ୍ଧ ସେତେଟା ଫଳବତୀ ନହେବାକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି। ସମସ୍ତେ ସେୟା ହିଁ କହୁଛନ୍ତି ଯେ, କାହିଁକି ସଫଳ ହୋଇପାରୁନି ଋଷ୍‌ ? ବୋମାମାଡ, ଗୁଳି ବର୍ଷଣ, ରକେଟ୍ ମାଡରେ ବ୍ରେକ୍ ଲାଗୁନି। ମାସେରୁ ଅଧିକ ଦିନ ହେଲାଣି ୟୁକ୍ରେନ୍ ଉପରେ ନନ୍‌ଷ୍ଟପ୍‌ ଆକ୍ରମଣ କରି ଚାଲିଛି ଋଷ୍‌। ଫେବୃଆରୀ ୨୪ରେ ପ୍ରଥମେ ଆଟାକ କରିଥିଲା ଋଷ୍‌। ଇତି ମଧ୍ୟରେ ଏକ ମାସରୁ ଅଧିକ ଦିନ ବିତି ଗଲାଣି ଯୁଦ୍ଧକୁ। କେହି ବି ଭାବିନଥିଲେ ଯେ ଯୁଦ୍ଧ ଏତେ ଦିନ ଧରି ଚାଲିବ। ଏମିତିକି ରାଷ୍ଟ୍ରପତି ପୁଟିନ୍ ବି ଭାବି ନଥିଲେ। 

କାହିଁକି ନା ଋଷ୍‌ ଭଳି ଏକ ପ୍ରଭାବୀ ତଥା ଉନ୍ନତ ଯୁଦ୍ଧାସ୍ତ୍ରରେ ଶକ୍ତିଶାଳୀ ରାଷ୍ଟ୍ର ଅତି ସହଜରେ ୟୁକ୍ରେନକୁ କବ୍‌ଜା କରିଦେବ ବୋଲି ସମସ୍ତଙ୍କ ଧାରଣା ଥିଲା। ହେଲେ ତାହା ଭୁଲ୍ ପ୍ରମାଣିତ ହୋଇଛି। ୟୁକ୍ରେନ୍ ରୁଷଠାରୁ ଛୋଟ ଦେଶ ଓ ସାମରିକ ଭାବେ ସେତେ ଉନ୍ନତ ନହେଲେ ମଧ୍ୟ ଋଷ୍‌ ସହ ଭଲ ଲଢୁଛି। ଏନେଇ ଚିନ୍ତାରେ ପଡିଛି ଋଷ୍‌। ସାମରିକ ବିଶେଷଜ୍ଞମାନେ ମଧ୍ୟ କେବେ ବି ଭାବି ନଥିଲେ ଯେ, ଋଷ୍‌ ଏପରି ପରିସ୍ଥିତିର ସମ୍ମୁଖୀନ ହେବ। 

ପ୍ରଥମେ ୟୁକ୍ରେନର ମିଲିଟାରି ସ୍ଥାନ ଗୁଡିକୁ ଆକ୍ରମଣ କରିବାକୁ ପ୍ଲାନ କରିଥିଲା ଋଷ୍‌। ଯୁଦ୍ଧ ନୁହଁ କେବଳ ମିଲିଟାରି ଆକ୍ରମଣ ପାଇଁ ପୁଟିନ୍ କହିଥିଲେ। କିନ୍ତୁ ଅବିଳମ୍ବେ ସହର ଉପରେ ଆକ୍ରମଣ କରିଥିଲା। ଯେଉଁଥିରେ ଅନେକ ସାଧାରଣ ଲୋକଙ୍କ ଧନଜୀବନ କ୍ଷତିଗ୍ରସ୍ତ ହୋଇଥିଲା। ଏହା ଦର୍ଶାଇଥିଲା ଯେ, ଋଷ୍‌ ଯାହା ପ୍ଲାନ୍ କରିଥିଲା ସେହି ଅନୁସାରେ ସେ ଆଗେଇଲାନି। ସେହିପରି ସ୍ଥଳଭାଗରେ ଥାଇ ଯୁଦ୍ଧ କରୁଥିବା ସୈନିକ ଏବଂ ଆକାଶମାର୍ଗରୁ ଆକ୍ରମଣ କରୁଥିବା ସୈନିକଙ୍କ ମଧ୍ୟରେ ସମନ୍ୱୟ ମଧ୍ୟ ରହିନଥିଲା ବୋଲି କୁହାଯାଉଛି।

ଅନେକ ଋଷ୍‌ ସୈନିକଙ୍କ ମୃତ୍ୟୁ ମଧ୍ୟ ଖୁବ୍‌ଶୀଘ୍ର ହୋଇଥିଲା। ଯାହା ଋଷ୍‌କୁ ବ୍ୟାକ୍‌ଫୁଟ୍‌କୁ ନେବା ପଛରେ ଆଉଗୋଟେ କାରଣ। ୟୁକ୍ରେନ୍ ଉପରେ ଫେବୃଆରୀ ୨୪ରେ ପ୍ରଥମେ ଋଷ୍‌ ଆକ୍ରମଣ କରିଥିଲା। ଏହାର ୪ ଦିନ ପରେ ଅର୍ଥାତ ଫେବୃଆରୀ ୨୮ରେ ସାଟେଲାଇଟ୍ ଚିତ୍ର ଅନୁସାରେ, କିଭ୍‌କୁ ଘେରି ରହଥିଲେ ଋଷ୍‌ ସୈନିକ। ଲାଗୁଥିଲା ଖୁବ୍ ଶୀଘ୍ର କିଭ୍ ଦଖଲ କରିଦେବେ ଋଷ୍‌ ସୈନିକ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କିଭକୁ ସମ୍ପୂର୍ଣ୍ଣ ରୂପେ ନିଜ ଅଧିନକୁ ନେଇପାରିନି ଋଷ୍‌ ସେନା।

କୁହାଯାଉଛି ଯେ, ଋଷ୍‌ ସୈନିକ ୟୁକ୍ରେନ୍‌ରେ ଅନେକ ପ୍ରତିକୂଳ ପରିସ୍ଥିତିରେ ଯୁଦ୍ଧ କରୁଛନ୍ତି। ୟୁକ୍ରେନରେ ତାପମାତ୍ରା ମାଇନସ୍‌ ରହୁଥିବାରୁ ବହୁ ହଇରାଣ ହେଉଛନ୍ତି।  ସେମାନଙ୍କର ଯୁଦ୍ଧାସ୍ତ୍ର, ପୋଷାକ, ତେଲ ଇତ୍ୟାଦି ଦରକାର ପଡ଼ୁଥିବାବେଳେ ତାହା ସେମାନଙ୍କ ପାଖରେ ସହଜରେ ପହଞ୍ଚି ପାରୁନଥିବା ଜଣାପଡିଛି। ଟ୍ରେନ୍‌ରେ ସେମାନଙ୍କ ପାଇଁ ଆସୁଥିବା ସାମଗ୍ରୀ ସେମାନଙ୍କ ପାଖରେ ପହଞ୍ଚିପାରୁନି। ଅନେକ ଟ୍ରକ୍‌ ବରଫରେ ଫସି ରହିଛି। ପୁଣି ଅନେକ ଗାଡ଼ିର ତେଲ ସରି ଯାଇଥିବାରୁ ସେଗୁଡିକ ଚାଲିପାରୁନି। ଫଳରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଉଛି।

ପୁଣି କୁହାଯାଉଛି ଋଷ୍‌ ଯେଉଁ ସୈନିକମାନଙ୍କୁ ପ୍ରଥମେ ଯୁଦ୍ଧ ପାଇଁ ପଠାଇଥିଲା ସେମାନେ ସେତେ ଦକ୍ଷ ନୁହନ୍ତି। ତେବେ ସେ ଯାହା ବି କାରଣ ହେଉନା କାହଁକି ମାସାଧିକକାଳ ଯୁଦ୍ଧ ପରେ ବି ରାଜଧାନୀ କିଭ୍‌କୁ ନିଜ ଦଖଲକୁ ନନେଇପାରିବା, ୟୁକ୍ରେନକୁ କବ୍‌ଜା ନକରିପାରିବା ଦର୍ଶାଉଛି ଯେ କେଉଁଠି ନା କେଉଁଠି ଋଷ୍‌ର ରଣନୀତିରେ କିଛି ତ୍ରୁଟି ରହିଛି।