• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାଶକ୍ତି ଋଷିଆ ତୁଳନାରେ ୟୁକ୍ରେନର ସାମରିକ କ୍ଷମତା ଅତି ନଗନ୍ୟ । ଲାଗୁଥିଲା ଦିନ କେଇଟାରେ କିଭ୍ ଦଖଲ କରିନେବେ ରାଷ୍ଟ୍ରପତି ପୁଟିନ୍ । ୬୪ କିଲୋମିଟର ଦୀର୍ଘ ଋଷିଆ ସାମରିକ ଗାଡିର ପଟୁଆରକୁ ଦେଖି ଏହି ପ୍ରତ୍ୟୟ ବି ଦୃଢ଼ ହୋଇଥିଲା। ଆତ୍ମସମର୍ପଣ ବ୍ୟତିତ ଜେଲେନସ୍କିଙ୍କ ପାଖରେ ବାଟ ନାହିଁ ବୋଲି ସାରା ବିଶ୍ୱ ଧରି ନେଇଥିଲା। ମାତ୍ର ସବୁ ଗଣିତ ଓଲଟପାଲଟ ହୋଇଗଲା। ଯୁଦ୍ଧକୁ ଦେଢ ମାସରୁ ଅଧିକ ସମୟ ହୋଇଥିଲେ ବି କିଭ୍ ଦଖଲ ତ ଦୂରର କଥା, ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛି ଋଷ ସେନା । ତେବେ କଣ ପାଇଁ ବଦଳିଗଲା ଯୁଦ୍ଧର ସମୀକରଣ। ସମସ୍ତ ପ୍ରକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିଲେ ମଧ୍ୟ କାହିଁକି କ୍ଷୁଦ୍ର ୟୁକ୍ରେନ ସେନାକୁ ହରାଇବାରେ ବିଫଳ ହେଲା ଋଷ। କୁହାଯାଉଛି ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଅସ୍ତ୍ରଶସ୍ତ୍ର ହିଁ ଋଷ ସେନା ବିପକ୍ଷରେ ନିର୍ଣ୍ଣାୟକ ହେଲା।

ଡ୍ରୋନ୍, କ୍ଷେପଣାସ୍ତ୍ର, ଏୟାର ଷ୍ଟ୍ରାଇକ୍ । ଅତ୍ୟାଧୁନିକ ଇଲେକଟ୍ରୋନିକ୍ ଯୁଦ୍ଧର ଏଗୁଡ଼ିକ ମୁଖ୍ୟ ଆୟୁଧ। ତେବେ ଏସବୁ ବ୍ୟବସ୍ଥା ଯେତେ ଉଚ୍ଚମାନର ହେଲେ ମଧ୍ୟ ସ୍ଥଳସେନାର ବିନା ସହଯୋଗରେ ଯୁଦ୍ଧ ଜିତିବା ଅସମ୍ଭବ । ଋଷିଆ-ୟୁକ୍ରେନ ଯୁଦ୍ଧରେ ଏହା ପୁଣି ଥରେ ପ୍ରମାଣିତ ହୋଇଛି । ୟୁକ୍ରେନର ବଡ଼ ବଡ଼ ସହର ଉପରେ ନିରବଚ୍ଛିନ୍ନ ଭାବେ ଆକାଶ ମାର୍ଗରୁ ଆକ୍ରମଣ କରିଥିଲା ଋଷିଆ। କ୍ଷେପଣାସ୍ତ୍ର ମାଡ଼ ଓ ଫାଇଟର ଜେଟ୍ର ବୋମା ବର୍ଷଣରେ କମ୍ପିଥିଲା ୟୁକ୍ରେନ ରାଜଧାନୀ କିଭ୍, ବ୍ୟବସାୟିକ ନଗରୀ ଖାରକିଭ୍ ଓ ବନ୍ଦର ନଗରୀ ମେରିଉପୁଲ ସମେତ ଅନ୍ୟାନ୍ୟ ବଡ଼ ବଡ଼ ସହର । କ୍ଷେପଣାସ୍ତ୍ର ଆକ୍ରମଣ ତୁଳନାରେ କମ୍ ଥିଲା ବିମାନ ଓ ଡ୍ରୋନ ଆକ୍ରମଣ। ତେବେ କଣ ପାଇଁ ଶକ୍ତିଶାଳୀ ଋଷ ବାୟୁସେନା ନିଜ ଦକ୍ଷତା ଅନୁସାରେ କରାମତି ଦେଖାଇ ପାରିଲା ନାହିଁ?

ଏହାର ଉତ୍ତର ହେଉଛି ୟୁକ୍ରେନକୁ ଆମେରିକା ଓ ବ୍ରିଟେନ ସମେତ ଅନ୍ୟ ୟୁରୋପୀୟ ଦେଶ ଯୋଗାଇ ଦେଇଥିବା ହାଲୁକା କ୍ଷେପଣାସ୍ତ୍ର ବା ମ୍ୟାନପ୍ୟାଡସ୍ । ଏହି ଘାତକ ଅସ୍ତ୍ରକୁ ବ୍ୟବହାର କରି ୟୁକ୍ରେନ ସୈନ୍ୟ ଅନେକ ଋଷୀୟ ବିମାନ ଓ ହେଲିକପ୍ଟରକୁ ଖସାଇ ଦେବା ପରେ ବ୍ୟାକଫୁଟରେ ରହିଥିଲା ଋଷ ବାୟୁସେନା । ତେବେ କେବଳ ଫାଇଟର ଜେଟ୍ କି ହେଲକପ୍ଟର ନୁହେଁ, ଶହ ଶହ ସଂଖ୍ୟାରେ ଟ୍ୟାଙ୍କ ଓ ଯୁଦ୍ଧଯାନକୁ ଉଡ଼ାଇ ଦେବାରେ ସଫଳ ହୋଇଥିଲା ୟୁକ୍ରେନ। ଏହି ଆକ୍ରମଣ ଏତେ ଜବରଦସ୍ତ ଓ ପ୍ରବଳ ଥିଲା ଯେ ଋଷ ସୈନ୍ୟଙ୍କ ବୁଦ୍ଧି ହଜିଯାଇଥିଲା ।.

MANPADS କହିଲେ ମ୍ୟାନ୍ ପୋର୍ଟେବୁଲ ଏୟାର ଡିଫେନ୍ସ ସିଷ୍ଟମ । ମ୍ୟାନପ୍ୟାଡ୍ସ ହେଉଛି କାନ୍ଧ କିମ୍ବା ଭୂପୃଷ୍ଠରେ ରଖି ନିକ୍ଷେପ କରାଯାଇପାରୁଥିବା ଏକ କ୍ଷୁଦ୍ର କ୍ଷେପଣାସ୍ତ୍ର । ଏହାର ସର୍ବାଧିକ ଓଜନ ୨୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ସେହିପରି MANPADS ଗୁଡିକର ଲକ୍ଷ୍ଯଭେଦ କ୍ଷମତା ୫ରୁ ୬ କିଲୋମିଟର। ତେବେ ୧୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଏହା ଶତ୍ରୁପକ୍ଷର ରକେଟ୍, ତୋପ, ଟ୍ୟାଙ୍କ, ବିମାନ ଏବଂ ହେଲିକପଟରକୁ ଠାବ କରିବାରେ ସମର୍ଥ । ଶବ୍ଦ ଠାରୁ ଅଢ଼େଇ ଗୁଣ ବେଗରେ ଗତି କରିପାରୁଥିବା MANPADS କ୍ଷେପଣାସ୍ତ୍ର ନିଖୁଣ ଭାବେ ଲକ୍ଷ୍ୟଭେଦ କରିପାରୁଥିବାରୁ ଋଷ ସୈନ୍ୟଙ୍କ ପ୍ରତି ସୃଷ୍ଟି କରିଥିଲା ଘୋର ବିପଦ। ଖାସ୍ କରି ଏଥିରେ ବ୍ୟବହୃତ ଇଲେକଟ୍ରୋନିକ୍ ଗାଇଡାନ୍ସ ସିଷ୍ଟମ, ଟ୍ୟାଙ୍କ ଓ ଏୟାରକ୍ରାଫଟ୍ ପ୍ରତି କାଳ ହୋଇଥିଲା।

ଆମେରିକା, ବ୍ରିଟେନ୍ ଓ ଅନ୍ୟ ୟୁରୋପୀୟ ଦେଶ ୟୁକ୍ରେନକୁ ବିପୁଳ ସଂଖ୍ୟାରେ MANPADS ଯୋଗାଇ ଦେବା ପରେ ବଦଳି ଯାଇଥିଲା ଯୁଦ୍ଧର ରୂପରେଖ। କେବଳ ୟୁକ୍ରେନ ସୈନ୍ୟ ନୁହନ୍ତି, ସାଧାରଣ ନାଗରିକ ମଧ୍ୟ ଏହି ଅମୋଘ ଅସ୍ତ୍ର ଜରିଆରେ ଶହ ଶହ ଋଷୀୟ ଟ୍ୟାଙ୍କ ଓ ଯୁଦ୍ଧ ଗାଡିକୁ ଉଡ଼ାଇ ଦେଇଥିଲେ। ଅନ୍ୟପକ୍ଷରେ ଯୁଦ୍ଧ ସମୟରେ ଫାଇଟର ଜେଟ ଗୁଡିକ ଅତି କମ୍ ଉଚ୍ଚତାରେ ଉଡ଼ୁଥିବାରୁ MANPADSର ଶିକାର ହୋଇଥିଲେ। ଋଷର ଅତ୍ୟାଧୁନିକ ଫାଇଟର ଜେଟ୍ ଓ ହେଲକପଟରକୁ MANPADS ଜରିଆରେ ୟୁକ୍ରେନ ସୈନ୍ୟ ଟାର୍ଗେଟ କରିବାର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ୍ ବି ହୋଇଛି। ତେଣୁ ଏହି ଅସ୍ତ୍ର କେତେ ଘାତକ, କେତେ ମାରାତ୍ମକ ତାହା ଏଥିରୁ ସ୍ପଷ୍ଟ ହେଉଛି।

OTV is now on Whatsapp

Join and get latest news update delivered to you via whatsapp

Join Now