• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିଲ୍ଲୀରେ ଲୋକାର୍ପିତ ହେଲା ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍ । ଏହି ମ୍ୟୁଜିୟମର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ନିର୍ମାଣର ପ୍ରତିଟି ପାହାଚ... ଗୋଟିକ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ... ରାଷ୍ଟ୍ର ନିର୍ମାତାମାନଙ୍କ ପ୍ରତିଟି ଅବଦାନ... ସ୍ୱାଧୀନତା ସଂଗ୍ରାମରୁ ନବଭାରତର ନିର୍ମାଣ... ଦୁର୍ଲଭ ଫଟୋଚିତ୍ର, ତଥ୍ୟ ଓ ସୂଚନା ଏବଂ ବହୁ ବିରଳ ସାମଗ୍ରୀ... ସବୁକିଛି ସଜେଇ ହୋଇ ରହିଛି ଏଇ ସଂଗ୍ରହାଳୟ ଭିତରେ ।

ଦିଲ୍ଲୀ ତିନ ମୂର୍ତ୍ତି ଭବନ, ନେହରୁ ମ୍ୟୁଜିୟମ୍ ବିଲ୍ଡିଂ ସହିତ ଆଧୁନିକ ଟେକ୍ନୋଲୋଜି ଲାଗିଥିବା ନୂଆ କୋଠାକୁ ଯୋଡ଼ି ନିର୍ମାଣ ହୋଇଛି ନୂଆ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ । ଡକ୍ଟର ବି.ଆର୍. ଆମ୍ବେଦକର ଜୟନ୍ତୀ ଅବସରରେ ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ନବନିର୍ମିତ ମ୍ୟୁଜିୟମରେ ପ୍ରଥମ ଟିକେଟ୍ କିଣି ବୁଲି ଦେଖିଛନ୍ତି । ଉଦଘାଟନ ଅବସରରେ ମୋଦି କହିଛନ୍ତି ଯେ, ଏହି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭବିଷ୍ଯତ ନିର୍ମାଣର ବି ଏକ ଶକ୍ତିକେନ୍ଦ୍ର ବନିବ ଏବଂ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ କରିଛନ୍ତି ମୋଦି ।

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଠାରୁ ଆରମ୍ଭ କରି ଲାଲବାହାଦୁର ଶାସ୍ତ୍ରୀଙ୍କ ଯାଏଁ... ଇନ୍ଦିରା ଗାନ୍ଧି, ଅଟଳ ବିହାରୀ ବାଜପେୟୀଙ୍କ ଠୁ ମନମୋହନ ସିଂଙ୍କ ଯାଏଁ । ଆଦର୍ଶ, ବିଚାରଧାରା ଓ କାଯର୍ୟଅବଧି ନିର୍ବିଶେଷରେ ଏଥିରେ ସ୍ଥାନିତ ହୋଇଛି ୧୪ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସଂପର୍କିତ ତଥଞ, ଫଟୋଚିତ୍ର, ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ, ସେମାନେ ବିଦେଶରୁ ପାଇଥିବା ଉପହାର ଇତ୍ୟାଦି ।

ଜବାହରଲାଲ ନେହରୁ ସାରା ବିଶ୍ୱରୁ ପାଇଥିବା ଉପହାର ଗୁଡ଼ିକୁ ଏଠାରେ ପ୍ରଥମ ଥର ପାଇଁ ଲୋକଲୋଚନକୁ ଅଣାଯାଇଛି ବୋଲି କୁହାଯାଉଛି । ଦେଶ ଗଠନରେ ପ୍ରଧାନମନ୍ତ୍ରୀମାନଙ୍କ ଯୋଗଦାନ ଏବଂ ସେମାନଙ୍କ କାର୍ଯ୍ୟକାଳ ବେଳେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ବି ଏଠାରେ ଦେଖିବାକୁ ମିଳୁଛି । ଜବାହରଲାଲ ନେହରୁଙ୍କ ସମ୍ମୁଖରେ ଲାଗିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ର ।

୧୫ ହଜାର ୬ଶହ ମିଟର ବର୍ଗମିଟର ଅଞ୍ଚଳରେ ରାଇଜିଂ ଇଣ୍ଡିଆ ଡିଜାଇନରେ ନିର୍ମିତ ଏହି ବିଲ୍ଡିଂକୁ ପଶିଲେ ପ୍ରଥମେ ନଜରକୁ ଆସେ ଧର୍ମଚକ୍ରକୁ ତୋଳି ଧରିଥିବା ୨ଟି ହାତ, ଯାହାକି ଗଣତନ୍ତ୍ରର ପ୍ରତୀକ । ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ୪୩ଟି ଗ୍ୟାଲେରି ରହିଛି । ଏଠାରେ ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ, ୧୯୭୪ ଓ ୧୯୯୮ ପୋଖରାନ ଆଣବିକ ପରୀକ୍ଷଣ କାର୍ଯ୍ୟକ୍ରମକୁ ମଧ୍ୟ ଦର୍ଶାଯାଇଛି ।

ନଜର ପକାନ୍ତୁ ମ୍ୟୁଜିୟମର ଆଉ କିଛି ବିଶେଷତ୍ୱ ଉପରେ

- ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଦର୍ଶକଙ୍କ ମନରେ ଆଗ୍ରହ ସୃଷ୍ଟି ପାଇଁ ଏବଂ ସୁବିଧା ଦୃଷ୍ଟିରୁ ବିଭିନ୍ନ ଆଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

- ହୋଲୋଗ୍ରାମ୍, ଭର୍ଚୁଆଲ୍ ରିଅଲିଟି, ମଲ୍ଟି ଟଚ୍ ଓ ମଲ୍ଟିମିଡିଆ, ଇଣ୍ଟରାକ୍ଟିଭ୍ କିଓସ୍କ ଓ ସ୍କ୍ରିନ୍, କଂପ୍ୟୁଟରାଇଜ୍ଡ କାଇନେଟିକ୍ ସ୍କଲ୍ପଚର୍, ସ୍ମାର୍ଟଫୋନ୍ ଆପ୍ଲିକେସନ୍ ଇତ୍ୟାଦି ରହିଛି ସେଠାରେ ।

- ସଂଗ୍ରହାଳୟ ପାଇଁ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରାଯାଇଛି । ଯଥା ପ୍ରସାର ଭାରତୀ, ଦୂରଦର୍ଶନ, ଫିଲ୍ମ ଡିଭିଜନ୍, ସଂସଦ ଟିଭି, ପ୍ରତିରକ୍ଷା ମନ୍ତ୍ରାଳୟ, ବୈଦେଶିକ ମନ୍ତ୍ରାଳୟର ତୋଷଖାନା, ଭାରତୀୟ ଓ ବୈଦେଶିକ ଗଣମାଧ୍ୟମ ଓ ଖବର ସରବରାହ ସଂସ୍ଥା ଇତ୍ୟାଦି ।

- ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ସହ ମଧ୍ୟ ଯୋଗାଯୋଗ କରି ସେମାନଙ୍କ ସଂପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇଛି ।

- ଏହି ମ୍ୟୁଜିୟମ୍ ପାଇଁ ୨୦୧୮ରେ ୨୭୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା ।

- ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଶକ୍ତି ସଂରକ୍ଷଣକୁ ଗରୁତ୍ୱ ଦିଆଯାଇଛି । ପରିବେଶ ସୁରକ୍ଷା ଦୃଷ୍ଟିରୁ ଏହାର ନିର୍ମାଣ ପାଇଁ ଗୋଟିଏ ବି ଗଛକୁ କଟାଯାଇନାହିଁ କି ସ୍ଥାନାନ୍ତର କରାଯାଇନାହିଁ ।