ଆମେରିକୀୟ ନାଗରିକତା ହାସଲ କରିବା ସବୁ ଲୋକଙ୍କର ସ୍ୱପ୍ନ ଥାଏ । ଆମେରିକୀୟ ନାଗରିକ ହେବାର ଅନେକ ଫାଇଦା ଅଛି । ଆମେରିକାର ନାଗରିକତା ଥିବା ଲୋକେ ରାଜ୍ୟ ଏବଂ ଫେଡେରାଲ୍ ନିର୍ବାଚନରେ ଭୋଟ୍ ଦେଇପାରିବେ ଓ ଫେଡେରାଲ୍ ଚାକିରି ପାଇଁ ଆବେଦନ କରିପାରିବେ । ଆମେରିକୀୟ ନାଗରିକମାନଙ୍କୁ ଦେଶରୁ ବିତାଡିତ କରାଯାଇ ପାରିବ ନାହିଁ। ହେଲେ ଆଗାମୀ ସମୟରେ ଅନେକ ଭାରତୀୟ ଏହି ଲାଭରୁ ବଞ୍ଚିତ ହେବାର ଅନେକ ଆଶଙ୍କା ରହିଛି । କାରଣ ୧୫୦ ବର୍ଷ ପୁରୁଣା ନିୟମ ବଦଳାଇବାକୁ ଚାହୁଁଛନ୍ତି ଡୋନାଲ୍ଡ ଟ୍ରମ୍ପ, ଯାହା ଲକ୍ଷ ଲକ୍ଷ ଭାରତୀୟଙ୍କୁ ଶକ୍ତ ଝଟକା ଦେଇଛି ।
ନିର୍ବାଚନ ଜିତିବା ପରେ ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଜାନୁଆରୀ ୨୦, ୨୦୨୫ରେ ସେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। କିନ୍ତୁ ଏହା ପୂର୍ବରୁ ସେ ସ୍ପଷ୍ଟ କରିଛନ୍ତି, କ୍ଷମତା ଗ୍ରହଣ କରିବାର ପ୍ରଥମ ଦିନରେ ସେ କେଉଁ ପ୍ରସଙ୍ଗରେ ପଦକ୍ଷେପ ନେବେ। ଆମେରିକାର ନୂଆ ରାଷ୍ଟ୍ରପତି ନାଗରିକତା ନିୟମକୁ ପରିବର୍ତ୍ତନ କରିବା ପାଇଁ ଯାଉଛନ୍ତି । ଆମେରିକାରେ ଜନ୍ମ ହେଉଥିବା ସମସ୍ତ ଶିଶୁଙ୍କୁ ଆମେରିକୀୟ ନାଗରିକତା ମିଳିବାର ଅଧିକାର ୧୫୦ ବର୍ଷରୁ ଅଧିକ ସମୟ ଧରି ସମ୍ବିଧାନରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ନିୟମ ଅନୁଯାୟୀ ଆମେରିକାରେ ଜନ୍ମ ହେଉଥିବା ପ୍ରତ୍ୟେକ ପିଲା ସ୍ୱତଃପ୍ରବୃତ ଭାବରେ ଆମେରିକାର ନାଗରିକ ବିବେଚିତ ହୁଅନ୍ତି, ଏଥିପାଇଁ ତାଙ୍କୁ କୌଣସି ପ୍ରକାର ଆବେଦନ କରିବାକୁ ପଡ଼େନାହିଁ । ଶିଶୁର ବାପାମା’ ଅନ୍ୟ ଦେଶର ହୋଇଥିଲେ ବି ଖୁବ ସହଜରେ ସେମାନଙ୍କୁ ନାଗରିକତା ମିଳିଯାଏ । ତେବେ ଟ୍ରମ୍ପ ଯୁଗ ଆରମ୍ଭରେ ହିଁ ଏହି ପୁରୁଣା ନିୟମର ପରିବର୍ତ୍ତନ କରାଯିବ ।
ଅନ୍ୟ ଦେଶରୁ ବୈଧ ତଥା ଅବୈଧ ଉପାୟରେ ଆମେରିକାକୁ ଆସୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧିକୁ ନେଇ ଅନେକ ସମୟ ଧରି ତର୍କବିତର୍କ ଚାଲିଛି । ନିର୍ବାଚନ ପ୍ରଚାର ସମୟରେ ଡୋନାଲ୍ଡ ଟ୍ରମ୍ପ ଏହି ସମସ୍ୟାର ସମାଧାନ ବାହାର କରିବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ବାର୍ଥ ରାଇଟ୍ ସିଟିଜେନସିପ ନିୟମକୁ ଶେଷ କରିବା ପାଇଁ ଘୋଷଣା କରିଥିଲେ । ଅର୍ଥାତ ବର୍ତ୍ତମାନ ଆମେରିକାରେ ଜନ୍ମ ହେବା ମାତ୍ରେ କୌଣସି ଶିଶୁକୁ ପୂର୍ବଭଳି ନାଗରିକତା ମିଳିବ ନାହିଁ । ତେବେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିରେ ଲକ୍ଷ ଲକ୍ଷ ଭାରତୀୟ ଓ ଭାରତୀୟ ମୂଳ ଲୋକଙ୍କ ଚିନ୍ତା ବଢ଼ିଯାଇଛି । ଟ୍ରମ୍ପ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ମଧ୍ୟ ଏହି ନିୟମ ଆଣିବା ପାଇଁ ବିଚାରବିମର୍ଶ କରୁଥିଲେ । ହେଲେ ସେତେବେଳେ ଏହି ନିୟମ କାର୍ଯ୍ୟକାରୀ ହୋଇପାରି ନଥିଲା ।
ବାର୍ଥରାଇଟ୍ ସିଟିଜେନସିପ କ’ଣ ?
ବିଶ୍ୱର ବିଭିନ୍ନ ଦେଶରେ ନାଗରିକତା ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି । ଉଦାହରଣ ସ୍ୱରୂପ, ଭାରତୀୟ ନାଗରିକଙ୍କ ପିଲାମାନଙ୍କୁ ଭାରତୀୟ ନାଗରିକ ବିବେଚନା କରାଯାଏ । ସେହିଭଳି ଆମେରିକୀୟ ନିୟମ ଅନୁସାରେ ଆମେରିକୀୟ ମାଟିରେ ଜନ୍ମ ହୋଇଥିବା ଯେକୌଣସି ବ୍ୟକ୍ତି ଆମେରିକାର ନାଗରିକ ଭାବରେ ବିବେଚିତ ହେବେ । ଗୃହଯୁଦ୍ଧ ପରେ ୧୮୬୬ ମସିହାରେ ଆମେରିକାର କଂଗ୍ରେସ ୧୪ ତମ ସଂଶୋଧନ ବିଲ ପାସ କରିଥିଲା । ଏହି ସଂଶୋଧନ ପରେ କୃଷ୍ଣକାୟଙ୍କ ଲୋକଙ୍କ ସମେତ ଅନ୍ୟ ଲୋକଙ୍କୁ ନାଗରିକତା ପ୍ରଦାନ କରାଯାଇଥିଲା । ଜନ୍ମ ପରେ ମିଳୁଥିବା ନାଗରିକତା ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ମାମଲାର ଶୁଣାଣି ହୋଇଥିଲା ୧୮୮୯ରେ । ସାନ ଫ୍ରାନସିସ୍କୋରେ ଚୀନୀ ପ୍ରବାସୀଙ୍କ ଘରେ ଜନ୍ମ ହୋଇଥିବା ବୋଙ୍ଗ କିମ ଆର୍କକୁ ଆମରେକୀୟ ବୋଲି ନିଷ୍ପତ୍ତି ଶୁଣାଇଥିଲେ ଆମେରିକୀୟ ସୁପ୍ରିମକୋର୍ଟ । କାରଣ ତାଙ୍କର ଜନ୍ମ ଆମେରିକାରେ ହୋଇଥିଲା ।
ଏହାକୁ ନେଇ ଟ୍ରମ୍ପଙ୍କ ଆପତ୍ତି କ’ଣ ରହିଛି ?
ଡୋନାଲ୍ଡ ଟ୍ରମ୍ପ ଏହି ନିୟମକୁ ନିରର୍ଥକ କହିବା ସହ ଏହାକୁ ରଦ୍ଦ କରିବା ପାଇଁ ଯୁକ୍ତି ବାଢ଼ିଛନ୍ତି । ଏହି ନିୟମ ଦଶନ୍ଧି ଧରି ବଳବତ୍ତର ଥିବାରୁ ଅନେକ ଦେଶର ଲକ୍ଷ ଲକ୍ଷ ଲୋକ ଏହାର ଫାଇଦା ଉଠାଇ ଆମେରିକାର ନାଗରିକତ୍ୱ ହାସଲ କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କ ଅନୁସାରେ, ଏହି ନିୟମର ଅପବ୍ୟବହାର କରାଯାଉଛି । ତେଣୁ ଆମେରିକାର ନାଗରିକ ହେବା ପାଇଁ ନିୟମକୁ ଅଧିକ କଠୋର କରିବାର ଆବଶ୍ୟକତା ଅଛି । ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ମଧ୍ୟ ଏହି ପ୍ରସଙ୍ଗ ଉଠାଯାଇଥିଲା, କିନ୍ତୁ ସେତେବେଳେ ଏହି ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନଥିଲା।
କିପରି ପ୍ରଭାବିତ ହେବେ ଭାରତୀୟ ?
ଏହି ନିୟମ ରଦ୍ଦ ହୋଇଗଲେ ଲକ୍ଷ ଲକ୍ଷ ଭାରତୀୟ ପ୍ରଭାବିତ ହେବେ । ନୂଆ ନିୟମ ଆସିବା ପରେ ପ୍ରାୟ ୪.୮ ମିଳିୟନ ଭାରତୀୟ-ଆମେରିକୀୟ ଲୋକ ଏହା ଦ୍ୱାରା ପ୍ରଭାବିତ ହେବେ, କାରଣ ଏଥି ମଧ୍ୟରୁ ୧. ୬ ମିଲିୟନ ଲୋକ କେବଳ ଆମେରିକାରେ ଜନ୍ମ ହୋଇଛନ୍ତି । ୨୦୧୯ ମାଇଗ୍ରେସନ ପଲିସି ଇନଷ୍ଟିଟ୍ୟୁଟ୍ ଅନୁସାରେ, ୧୮ ବର୍ଷରୁ କମ୍ ୫.୫ ମିଲିୟନ ପିଲାଙ୍କ ବାପାମା’ଙ୍କ ମଧ୍ୟରୁ ଜଣେ ଆମେରିକାରେ ଅବୈଧ ପ୍ରବାସୀ ଭାବରେ ରହୁଛନ୍ତି । ଜନ୍ମ ଅଧିକାର ନାଗରିକତ୍ୱରେ ପରିବର୍ତ୍ତନ ଦ୍ୱାରା ଆମେରିକାରେ ଜନ୍ମ ହୋଇଥିବା ପିଲାଙ୍କ ପାଇଁ ଗ୍ରୀନ କାର୍ଡ ଓ H-1B ଭିସା ଆବେଦନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହେବ । ଏପରି ସ୍ଥିତିରେ ଆମେରିକାରେ ଜନ୍ମ ହୋଇଥିବା ଲୋକମାନେ ଆଉ ଆମେରିକାର ନାଗରିକ ହୋଇ ରହିପାରବେ ନାହିଁ । ନିୟମ ଲାଗୁ ହେବା ପରେ ନାଗରିକତା ନଥିବା ଲୋକଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଯିବ ବୋଲି ଟ୍ରମ୍ପ କହିଛନ୍ତି । ଏହାବ୍ୟତୀତ ଟ୍ରମ୍ପଙ୍କ ଆଦେଶ ଦ୍ୱାରା ୧-୨ ମିଲିୟନ ଭାରତୀୟ-ଆମେରିକୀୟ ଅସୁବିଧାରେ ପଡ଼ିବେ, ଯେଉଁମାନେ ଗ୍ରୀ କାର୍ଡ ଆବେଦନ କରିଥିବା ତଥା ନନ-ଇମିଗ୍ରାଣ୍ଟ ଭିସାରେ ଅଛନ୍ତି ।
ପୂର୍ବରୁ ଆମେରିକୀୟ ଇମିଗ୍ରେସନ କାଉନସିଲର ଏକ ୨୦୧୧ ଫ୍ୟାଟ୍ ସିଟ୍ ପକ୍ଷରୁ ଚେତାବନୀ ଦିଆଯାଇଥିଲା, ଜନ୍ମ ଅଧିକାର ନାଗରିକତ୍ୱ ହଟାଇବା ଦ୍ୱାରା ଆମେରିକା ନାଗରିକଙ୍କ ପାଇଁ ନାଗରିକତା ପ୍ରମାଣ କରିବା ଅଧିକ କଷ୍ଟସାଧ୍ୟ ହେବ । କାରଣ ବର୍ତ୍ତମାନ କେବଳ ଜନ୍ମ ପ୍ରମାଣପତ୍ର ଦ୍ୱାରା ହିଁ ନାଗରିକତା ପ୍ରଦାନ କରାଯାଉଛି । କେବଳ ଅନ୍ୟ ଦେଶର ଲୋକେ ତଥା ଭାରତୀୟ ନୁହେଁ, ଏହି ନିୟମ ପ୍ରତ୍ୟାହାର କରିବା ଦ୍ୱାରା ଲକ୍ଷ ଲକ୍ଷ ଆମେରିକୀୟ ମଧ୍ୟ ପ୍ରଭାବିତ ହେବେ । ଆମେରିକା ସରକାରଙ୍କ ପାଇଁ ଏକ ପ୍ରଶାସନିକ ବୋଝ ସୃଷ୍ଟି ହେବ ।
ଟ୍ରମ୍ପଙ୍କ ସାମ୍ନାରେ ବଡ଼ ଚ୍ୟାଲେଞ୍ଜ
ତେବେ ଏହି ନିୟମକୁ ରଦ୍ଦ କରିବା ଏତେ ସହଜ ନୁହେଁ । ଆମେରିକା ରାଷ୍ଟ୍ରପତି ସମ୍ବିଧାନରେ ସଂଶୋଧନ କରିପାରିବେ ନାହିଁ । ଏହିପରି କୌଣସି ଅଧିକାରକୁ ହଟାଇବାକୁ କିମ୍ବା ସୀମିତ କରିବାକୁ ଚେଷ୍ଟା କରୁଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ନିଶ୍ଚିତ ଭାବରେ ୧୪ ତମ ସଂଶୋଧନର ଉଲ୍ଲଂଘନ ବୋଲି ବିବେଚନା କରାଯିବ । କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯାଇ ପାରିବ । ଟ୍ରମ୍ପଙ୍କ ପରାମର୍ଶଦାତା କହିଛନ୍ତି , ଏହା ପଛରେ ଥିବା ତର୍କ ହେଉଛି ଆମେରିକାକୁ ବେଆଇନ ପ୍ରବାସୀମାନଙ୍କଠାରୁ ମୁକ୍ତ କରିବା। ଅନ୍ୟପଟେ କିଛି ବିଶେଷଜ୍ଞଙ୍କ ମତରେ କୋର୍ଟରେ ଏଭଳି ଯୁକ୍ତି କାମ କରେ ନାହିଁ । ଏହା ଏପରି ଏକ ପ୍ରକ୍ରିୟା ଯେଉଁଥି ପାଇଁ କଂଗ୍ରେସର ସମ୍ପୂର୍ଣ୍ଣ ସମର୍ଥନ ଓ ରାଜ୍ୟର ନିଶ୍ଚିତକରଣ ଆବଶ୍ୟକ । କାରଣ ଜନ୍ମରୁ ମିଳୁଥିବା ନାଗରିକତାକୁ ଏବେ ସୁଦ୍ଧା ବଜାୟ ରଖିଛନ୍ତି ଅଦାଲତ, ଯାହା ନ୍ୟାୟିକ ପୁନର୍ବିଚାର ବିନା ପରିବର୍ତ୍ତନ ହେବାର ସମ୍ଭାବନା ଖୁବ କମ୍ ।
ବାର୍ଥ ରାଇଟ ଆଧାରରେ ନାଗରିକତା ପ୍ରଦାନ କରୁଥିବା ଦେଶ
କେବଳ ଆମେରିକା ନୁହେଁ, ଆଉ ପ୍ରାୟ ୩୦ ଟି ଦେଶରେ ଜନ୍ମ ଅଧିକାର ଆଧାରରେ ନାଗରିକତ୍ୱ ପ୍ରଦାନ କରାଯାଏ । କାନାଡା, ଆର୍ଜେଣ୍ଟିନା, ବୋଲିଭିଆ, ଇକ୍ୟୁାଡର୍, ଫିଜି, ଗୁଆଟେମାଲା, କ୍ୟୁବା ଏବଂ ଭେନେଜୁଏଲା ପରି ଅନେକ ଦେଶ ଏହି ଅଧିକାର ପ୍ରଦାନ ଜାରି ରଖିଛନ୍ତି । ତେବେ ଅନେକ ଦେଶରେ ଏହି ପ୍ରସଙ୍ଗରେ ନିୟମ ଅଧିକ କଠୋର ରହିଛି । ଅନେକ ଦେଶରେ ନାଗରିକତ୍ୱ ପାଇଁ ଶିଶୁର ଉଭୟ ପିତାମାତା ସେହି ଦେଶର ମୂଳ ବାସିନ୍ଦା ହେବା ଜରୁରୀ ।