• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଭୟ, ଆତଙ୍କ, ଅନିଶ୍ଚିତତା ।

  • ସମଗ୍ର ଆଫ୍‌ଗାନିସ୍ତାନରେ ଅବିଶ୍ୱାସର ବାତାବରଣ ।

  • ତାଲିବାନର ପ୍ରତିଶ୍ରୁତିକୁ ଗ୍ରହଣ କରିପାରୁନାହାନ୍ତି ଦେଶବାସୀ ।

ଭୟ, ଆତଙ୍କ, ଅନିଶ୍ଚିତତା । ତାଲିବାନର କବ୍‌ଜା ପରେ ରାଜଧାନୀ କାବୁଲ ସମେତ ସମଗ୍ର ଆଫ୍‌ଗାନିସ୍ତାନରେ ଅବିଶ୍ୱାସର ବାତାବରଣ । କଟ୍ଟର ପ୍ରବୃତ୍ତି ଛାଡି ମାନବୀୟ ଢଙ୍ଗରେ ଶାସନ କରିବାକୁ ତାଲିବାନର ପ୍ରତିଶ୍ରୁତିକୁ ଗ୍ରହଣ କରିପାରୁନାହାନ୍ତି ଦେଶବାସୀ । ଏହାସତ୍ତ୍ୱେ ସରକାର ଗଠନ ଲାଗି ତତ୍ପର ହୋଇଛି ତାଲିବାନ୍ । ୨୦ ବର୍ଷ ପରେ ସ୍ୱଦେଶ ଫେରିଆସିଛନ୍ତି ସଂଗଠନର ପ୍ରମୁଖ ନେତା ଅବଦ୍ଦୁଲ ଘନି ବରାଦର୍ । ତେବେ ତାଲିବାନ ପ୍ରଭୁତ୍ୱକୁ ସ୍ୱୀକାର କରିବାକୁ ମନା କରିଦେବା ସହ ନିଜକୁ ଦେଶର କାମଚଳା ରାଷ୍ଟ୍ରପତି ଘୋଷଣା କରିଛନ୍ତି ଉପରାଷ୍ଟ୍ରପତି ଅମରଉଲ୍ଲା ସାହ୍ଲେ । ତେବେ ଅନିଶ୍ଚିତତାର କଳା ବାଦଲ ଭିତରେ ଏଠାରେ ଫସି ରହିଥିବା ଭାରତୀୟଙ୍କୁ କିଭଳି ଉଦ୍ଧାର କରାଯିବ ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି ।

ସରକାରୀ କର୍ମଚାରୀଙ୍କୁ ସର୍ବକ୍ଷମା, ମହିଳାମାନଙ୍କୁ କାମ କରିବା ଲାଗି ଅନୁମତି, କୌଣସି ବିଦେଶୀ ନାଗରିକଙ୍କୁ କ୍ଷତି ନପହଞ୍ଚାଇବା ଲାଗି ପ୍ରତିଶ୍ରୁତି ସହ କାବୁଲ କବ୍‌ଜା ପରେ ୯୦ ଦଶକର ଛବି ସୁଧାରି ନିଜକୁ ନୂଆ ରୂପରେ ଉପସ୍ଥାପନ କରିବାକୁ ତାଲିବାନର ପ୍ରୟାସ । ତେବେ ଏହି ଆତଙ୍କୀ ସଂଗଠନକୁ ବିଶ୍ୱାସକୁ ନେଉନାହାନ୍ତି ଆଫ୍‌ଗାନିସ୍ତାନବାସୀ । ସେଥିଲାଗି ଜାରି ରହିଛି କାବୁଲରୁ ପଳାୟନ ପ୍ରୟାସ ।

ଏପଟେ କାବୁଲ ଅଧିକାର ପରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ଲାଗି ପ୍ରୟାସ ଆରମ୍ଭ କରିଛି ତାଲିବାନ । ସଂଗଠନର ମୁଖ୍ୟ ଅବଦ୍ଦୁଲ ଘନି ବରାଦର ଦୋହାରୁ ଆସି କାନ୍ଦାହାରରେ ପହଞ୍ଚିଛନ୍ତି । ହବୈତୁଲ୍ଲା ଅଖୁନଜାଦା ତାଲିବାନର ସୁପ୍ରିମ୍ ଲିଡର ହୋଇଥିଲେ ମଧ୍ୟ ବରାଦର ହିଁ ରାଷ୍ଟ୍ରପତି ହୋଇପାରନ୍ତି ବୋଲି କୁହାଯାଉଛି ।

ତେବେ ସଂଗଠନ ପ୍ରତି ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ଉପରାଷ୍ଟ୍ରପତି ଅମରୁଲ୍ଲା ସାହ୍ଲେ । ଅସ୍ରଫ ଘନିଙ୍କ ପଳାୟନ ଓ ଆଫ୍‌ଗାନିସ୍ତାନ ସରକାରଙ୍କ ପତ୍ତନ ସତ୍ତ୍ୱେ ଦେଶର ସମ୍ବିଧାନ ଅନୁସାରେ ନିଜକୁ କାମଚଳା ରାଷ୍ଟ୍ରପତି ଘୋଷଣା କରିବା ସହ ତାଲିବାନ ବିରୁଦ୍ଧରେ ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି । ହିନ୍ଦୁକୁଶ ପର୍ବତାଞ୍ଚଳରେ ଅବସ୍ଥିତ ଓ ତାଲିବାନ ନିୟନ୍ତ୍ରଣକୁ ଯାଇନଥିବା ପଞ୍ଜସିର୍ ପ୍ରଦେଶରେ ପହଞ୍ଚିବା ପରେ ସେ ତାଲିବାନକୁ ଚ୍ୟାଲେଞ୍ଜ ଦେଇଛନ୍ତି । ପୂର୍ବତନ ଓ୍ୱାର-ଲଡ୍ ଅହମ୍ମଦ ଶାହା ମାସୁଦର ପୁଅ ଅହମ୍ମଦ ମାସୁଦ୍ ଓ ପ୍ରତିରକ୍ଷା ମନ୍ତ୍ରୀ ବିସ୍‌ମିଲ୍ଲା ମହମଦିଙ୍କ ସମର୍ଥନରେ ସେ ତାଲିବାନ ବିରୁଦ୍ଧରେ ଲଢେଇ ଜାରି ରଖିବେ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ଆଫଗାନିସ୍ତାନ ଜନସାଧାରଣ ମଧ୍ୟ ତାଲିବାନ୍ ବିରୁଦ୍ଧରେ ସ୍ୱର ଉତ୍ତୋଳନ ଆରମ୍ବ କରିଛନ୍ତି । ସରକାରୀ ଅଫିସ୍‌ଗୁଡିକ ଉପରେ ତାଲିବାନ ପତାକା ବଦଳରେ ଆଫ୍‌ଗାନିସ୍ତାନ ଜାତୀୟ ପାତାକା ଲଗାଇବାକୁ ଦାବି କରି ଜଲାଲାବାଦ୍‌ରେ ଲୋକେ ଶୋଭାଯାତ୍ରା କରିଥିଲେ । ତେବେ ତାଲିବାନ ଆତଙ୍କୀ ସେମାନଙ୍କୁ ଉପରକୁ ଗୁଳି ଚଳାଇବାରୁ କିଛି ଆନ୍ଦୋଳନକାରୀଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆଫ୍‌ଗାନିସ୍ତାନରେ ଲାଗି ରହିଥିବା ବିପର୍ଯ୍ୟୟ ମଧ୍ୟରେ ତାଲିବାନ କବ୍‌ଜାରୁ ଖସି ପଳାଇ ଆସିବା ହିଁ ଶ୍ରେଷ୍ଠ ବିକଳ୍ପରେ ପରିଣତ ହୋଇଛି ।

ଅନ୍ୟପକ୍ଷରେ ଏଠାରେ ରହୁଥିବା ହିନ୍ଦୁ ଓ ଶିଖ୍ ସମୁଦାୟଙ୍କ ପାଇଁ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ଏମାନଙ୍କ ଉପରେ ତାଲିବାନୀଙ୍କ କ୍ରୁର ଦୃଷ୍ଟି ପଡିବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ଯଥାଶୀଘ୍ର ଏଠାରେ ରହୁଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଦାବି ଜୋରଦାର ହୋଇଛି । ତେବେ ଆଫ୍‌ଗାନିସ୍ତାନକୁ ବ୍ୟବସାୟିକ ବିମାନ ଚଳାଚଳ ଆରମ୍ଭ ହେଲେ ପ୍ରାଥମିକତା ଭିତ୍ତିରେ ଭାରତୀୟଙ୍କୁୁ ସ୍ୱଦେଶ ଫେରାଇ ଅଣାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । ସେହିପରି ଆଫ୍‌ଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଯଥା ସମ୍ଭବ ପ୍ରୟାସ କରାଯିବ ବୋଲି କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

୧୯୯୬ରୁ ୨୦୦୧, ୫ ବର୍ଷ ଧରି ଆଫ୍‌ଗାନିସ୍ତାନରେ ଜାରି ରହିଥିଲା ତାଲିବାନର କଳା ଶାସନ । କଠୋର ଇଲସାମୀୟ ଆଇନ ବା ସରିଆ ନାଁରେ ଦେଶର କଳା-ସଂସ୍କୃତି ଓ ଐତିହକୁ ଖିନ୍‌ଭିନ୍‌ କରିଦେଇଥିଲା ବର୍ବର ଆତଙ୍କୀ ସଂଗଠନ । ସେମାନଙ୍କ କବଳରୁ ବର୍ତ୍ତିନଥିଲା ଶହ ଶହ ବର୍ଷ ପୁରୁଣା ବାମିୟାନ ବୌଦ୍ଧମୂର୍ତ୍ତି । ତେବେ ଏବେକାର ତାଲିବାନ ନବେ ଦଶକର ତାଲିବାନ ନୁହେଁ ବୋଲି ସଂଗଠନ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ଏହାର କାର୍ଯ୍ୟଶୈଳୀରୁ ତାହା ପ୍ରତିଫଳିତ ହେଉନି । କାବୁଲ ଦଖଲ କରୁ କରୁ ପୂର୍ବତନ ଶତ୍ରୁ ତଥା ହାଜାରା ନେତା ଅବଦ୍ଦୁଲ ଅଲି ମାଜାରୀଙ୍କ ପ୍ରତିମୂର୍ତ୍ତିକୁ ବିସ୍ଫୋରଣରେ ଉଡାଇ ଦେଇଛି ଏହି ଆତଙ୍କୀ ସଂଗଠନ ।