• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଥକି ପଡ଼ୁନି ତା କୁନି କୁନି ପାଦ... ଜମା ବି କାଟୁନି କଅଁଳିଆ ହାତ କି କାନ୍ଧ... କାରଣ ସେ ବୟସରେ ସିନା ସାନ... ହେଲେ ଢେର୍ ବିଶାଳ ତା ମନ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା କୁସୁମୁଣ୍ଡି ଗାଁର ଦୁଇ ସାଙ୍ଗ- ମାଙ୍ଗରୀ ଓ ଜେସିକା। ଦିବ୍ୟାଙ୍ଗ ଜେସିକାକୁ ଏମିତି ବର୍ଷେ ହେଲା ୧ କିଲୋମିଟର ଦୂର ସ୍କୁଲକୁ କାନ୍ଧରେ ବୋହି ବୋହି ଆଣୁଛି ପଞ୍ଚମ ଶ୍ରେଣୀର ଛାତ୍ରୀ ମାଙ୍ଗରୀ ବାଡ଼ା। କିଛି ଦିନ ହେବ ଜେସିକା ହ୍ବିଲ୍ ଚେୟାରରେ ଆସୁଥିଲେ ବି, ତାକୁ ଘରୁ ଆଣି ସେଥିରେ ବସାଇବା, ଠେଲି ଠେଲି ସ୍କୁଲକୁ ଆସିବା, ପୁଣି ହ୍ବିଲ୍ ଚେୟାରରୁ ପିଠିରେ ଲାଉ କରି ଶ୍ରେଣୀଗୃହକୁ ନେବା ସବୁକିଛି ହସହସ ମୁହଁରେ କରିଚାଲିଛି ମାଙ୍ଗରୀ। ଦିବ୍ୟାଙ୍ଗ ସାଙ୍ଗ ପାଇଁ ତା କଅଁଳ ମନରେ ଯେ କେତେ ଦରଦ, ଆଖିରେ ନଦେଖିଲେ ସେକଥା ବିଶ୍ୱାସ କରିହେବନି।

ଜନ୍ମରୁ ଜେସିକାର ଗୋ଼ଡ଼ ଦୁଇଟି ଅଚଳ। ଗୁରୁଣ୍ଡି ଗୁରୁଣ୍ଡି ତା ପାଇଁ ଘରର ଏରୁଣ୍ଡି ଡେଇଁବା କଷ୍ଟ। ୧ କିଲୋମିଟର ଦୂର ସ୍କୁଲକୁ ଯିବା ତ ଥିଲା ଦିବାସ୍ୱପ୍ନ ଭଳି।  ହେଲେ ପାଠପଢ଼ା ପ୍ରତି ଜେସିକାର ପ୍ରବଳ ଆଗ୍ରହକୁ ଦେଖି, ଆଗେଇ ଆସିଲା ମାଙ୍ଗରୀ ଜେସିକା। ଚାଲିପାରୁନଥିଲେ କଣ ହେଲା, ସେ ତ ଚାଲିପାରୁଛି ସେଇଠୁ ଆରମ୍ଭ ହୋଇଥିଲା ମାଙ୍ଗରୀ କାନ୍ଧରେ ଜେସିକାର ସ୍କୁଲ ଯାତ୍ରା। ଜେସିକାକୁ ହ୍ବିଲ୍ ଚେୟାର୍ ମିଳିବା ପରେ, କାନ୍ଧରୁ ଓଜନ କମିଛି ସିନା, ହେଲେ ନିଜ ଦାୟିତ୍ୱ କମିଛି ବୋଲି ସେ କେବେ ବି ଭାବିନି।

ଖାଲି ସ୍କୁଲ ନେବା ଆଣିବା ନୁହେଁ  ଘରରେ ବି ଜେସିକାର ଅଧିକାଂଶ ଦାୟିତ୍ୱ ମାଙ୍ଗରୀ କାନ୍ଧରେ ତାର ଖିଆପିଆ, ନିତ୍ୟକର୍ମଠୁ ଆରମ୍ଭ କରି ପାଠପଢ଼ା ଯାଏଁ, ସକାଳୁ ସନ୍ଧ୍ୟା ଯାଏଁ ଜେସିକା ପଛେ ପଛେ ଲାଗିଥାଏ ମାଙ୍ଗରୀ। ଏକାଠି ଖାଆନ୍ତି, ଏକାଠି ପଢ଼ିନ୍ତି, ସାଙ୍ଗହୋଇ ବୁଲିବାକୁ ଯାଆନ୍ତି ସେମାନେ ଦେଖିଲେ ଲାଗେ, ଦୁହେଁ ଗୋଟିଏ ମାଆ ପେଟର ଭଉଣୀ ନୁହନ୍ତି ସିନା, ହେଲେ ସେମାନଙ୍କ ସଂପର୍କ ଜନ୍ମ ଜନ୍ମର ଦୁହିଁଙ୍କ ବନ୍ଧୁତ୍ୱ ଦେଖି ପରିବାର ଲୋକେ, ଗାଁବାସିନ୍ଦା, ସ୍କୁଲର ଶିକ୍ଷକ ଶକ୍ଷୟିତ୍ରୀ, ସମସ୍ତେ ଖୁସି। ମାଙ୍ଗରୀର ନିସ୍ବାର୍ଥପର ଭାବନା ପାଇଁ ସଭିଏଁ ଦିଅନ୍ତି ସାବାସୀ।

(ରିପୋର୍ଟ: ସୁନ୍ଦରଗଡ଼ କୋଇଡ଼ାରୁ ସୁନୀଲ ପଣ୍ଡା)

Other Stories