• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସର୍ବଦା ପୋଲିଓ ବିଲୋପ କରିବାକୁ ଚେଷ୍ଟା କରିଆସୁଛି। ଲୋକଙ୍କୁ ସଚେତନ କରିବା ପାଇଁ WHO ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ମାନିବା ସହିତ ପ୍ରତ୍ୟେକ ବ୍ୟକ୍ତି ପୋଲିଓ ଦୂର କରିବାରେ ସାହାଯ୍ୟ କରିବା ଉଚିତ।

ପୋଲିଓ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୨୪ ଅକ୍ଟୋବରରେ ସମଗ୍ର ବିଶ୍ୱରେ ପୋଲିଓ ଦିବସ ପାଳନ କରାଯାଏ। ପୋଲିଓ ଯେତେବେଳେ ଏକ ସାଧାରଣ ସଂକ୍ରାମକ ରୋଗ ଭାବରେ ଜଣାଶୁଣା ଥିଲା ସେତେବେଳେ ସାରା ବିଶ୍ୱରେ ଲକ୍ଷ ଲକ୍ଷ ପିଲାଙ୍କ ଜୀବନକୁ ଏହା ବାଧା ଦେଇଥିଲା।

ଅକ୍ଟୋବର ୨୪ରେ କାହିଁକି ପାଳନ ହୁଏ ପୋଲିଓ ଦିବସ:

ଆମେରିକାର ଭାଇରୋଲୋଜିଷ୍ଟ ଜୋନାସ ସାଲକଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୨୪ ଅକ୍ଟୋବରରେ ବିଶ୍ୱ ପୋଲିଓ ଦିବସ ପାଳନ କରାଯାଏ। ଜୋନାସ ବିଶ୍ୱର ପ୍ରଥମ ସୁରକ୍ଷିତ ଏବଂ ପ୍ରଭାବଶାଳୀ ପୋଲିଓ ଟିକା ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ। ଏପ୍ରିଲ ୧୨, ୧୯୫୫ରେ ଡକ୍ଟର ଜୋନାସ ସାଲକ ପୋଲିଓ ବିରୋଧୀ ଔଷଧକୁ ନିରାପଦ ଘୋଷଣା କରିଥିଲେ ଏବଂ ଏହାକୁ ବିଶ୍ୱକୁ ପ୍ରଦାନ କରିଥିଲେ।

ଗୋଟିଏ ସମୟରେ ଏହି ରୋଗ ସମଗ୍ର ବିଶ୍ୱ ପାଇଁ ଏକ ବଡ ଆହ୍ୱାନ ହୋଇଗଲା। ଡକ୍ଟର ସାଲକ ଏହାର ପ୍ରତିରୋଧ ଔଷଧ ଉଦ୍ଭାବନ କରି ଏହି ମାରାତ୍ମକ ରୋଗର ମୁକାବିଲା ପାଇଁ ମାନବ ଜାତିକୁ ଏକ ଅସ୍ତ୍ର ଦେଇଥିଲେ। କିନ୍ତୁ ୧୯୮୮ରେ ଗ୍ଲୋବାଲ୍ ପୋଲିଓ ବିଲୋପ ଉଦ୍ୟମ (GPEI) ପ୍ରତିଷ୍ଠା ହେଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO), ରୋଟାରୀ ଇଣ୍ଟରନ୍ୟାସନାଲ ଏବଂ ଅନ୍ୟମାନେ ପୋଲିଓ ବିରୋଧି ସଂସ୍ଥା ଏହାକୁ ବିଲୋପ କରିବାକୁ ସଂକଳ୍ପ ନେଲେ।

ପୋଲିଓ କ’ଣ?

ପୋଲିଓ ବା ପଲିଓମେଲାଇଟିସ୍ ପଙ୍ଗୁ ବା ବିକଳାଙ୍ଗ କଲା ଭଇ ଏକ ସାଂଘାତିକ ରୋଗ। ପୋଲିଓ ଜୀବାଣୁ ଦ୍ୱାରା ଏହି ରୋଗ ହୁଏ। ଏହି ଜୀବାଣୁ ବ୍ୟକ୍ତିଙ୍କ ଠାରୁ ଅନ୍ୟକୁ ବ୍ୟାପି ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କ ଏବଂ ମେରୁଦଣ୍ଡ ଉପରେ ଆକ୍ରମଣ କରି ପକ୍ଷାଘାତ ରୋଗ ସୃଷ୍ଟି କରିଥାଏ। ଫଳରେ ବ୍ୟକ୍ତିର ହାତ, ଗୋଡ କିମ୍ବା ଅନ୍ୟ ଅଙ୍ଗ ଅକ୍ଷମ ହୋଇଯାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରୟାସ ଏବଂ ବିଭିନ୍ନ ଦେଶର ସରକାରଙ୍କ ସ୍ଥିରତା ସହିତ ଟୀକାକରଣ ଅଭିଯାନ ବିଶ୍ୱକୁ ପୋଲିଓରୁ ରକ୍ଷା କରିଥିଲା। ଗତ ୭-୮ ବର୍ଷରୁ ଭାରତ ପୋଲିଓ ମୁକ୍ତ ହୋଇଛି। ତଥାପି, ଦୁନିଆର କେତେକ ଅଞ୍ଚଳରେ ଏହି ମାମଲା ସାମ୍ନାକୁ ଆସୁଛି।

World Polio Dayଶିଶୁକୁ ପୋଲିଓ ବୁନ୍ଦା

ଦୁଇ ପ୍ରକାରର ପୋଲିଓ ଟିକା:

ସାରା ବିଶ୍ୱରେ ପୋଲିଓ ମୁକାବିଲା ପାଇଁ ଦୁଇ ପ୍ରକାରର ପୋଲିଓ ଟିକା ଉଦ୍ଭାବନ କରାଯାଇଥିଲା। ଜୋନାସ୍ ସାଲକ୍‌ଙ୍କ ଦ୍ୱାରା ବିକଶିତ ହୋଇଥିବା ପ୍ରଥମ ଟିକା, ଯାହା ପ୍ରଥମେ ୧୯୫୨ରେ ପରୀକ୍ଷଣ କରାଯାଇଥିଲା ଏବଂ ୧୨ ଏପ୍ରିଲ ୧୯୫୫ରେ ପ୍ରମାଣିତ ହୋଇଥିଲା।

ସେହିପରି ଆଲବର୍ଟ ସାବିନଙ୍କ ଦ୍ୱାରା ଏକ ମୌଖିକ ଟିକା ମଧ୍ୟ ବିକଶିତ ହୋଇଥିଲା, ୧୯୫୭ରେ ଏହାର ପରୀକ୍ଷା ଆରମ୍ଭ ହୋଇଥିଲା ​​ଏବଂ ୧୯୬୨ରେ ଲାଇସେନ୍ସପ୍ରାପ୍ତ ହୋଇଥିଲା। ତେବେ ପ୍ରଥମ ଟିକା ବିକାଶରେ ଡକ୍ଟର ସାଲକଙ୍କ ଅବଦାନକୁ ବିଶ୍ୱ ମନେପକାଏ।

ପୋଲିଓର ଲକ୍ଷଣ:

କ୍ଲିଭଲାଣ୍ଡ କ୍ଲିନିକ୍‌ଙ୍କ କହିବାନୁସାରେ ପୋଲିଓରେ ଆକ୍ରାନ୍ତ ପ୍ରାୟ ୭୨ ପ୍ରତିଶତ ଲୋକ କୌଣସି ଲକ୍ଷଣ ଅନୁଭବ କରନ୍ତି ନାହିଁ। ସଂକ୍ରମିତମାନଙ୍କ ମଧ୍ୟରୁ ପ୍ରାୟ ୨୫ ପ୍ରତିଶତ ଜ୍ୱର, ଗଳା ଯନ୍ତ୍ରଣା, ବାନ୍ତି, ମୁଣ୍ଡବିନ୍ଧା, ଥକାପଣ ଏବଂ ଶରୀରରେ ଯନ୍ତ୍ରଣା ଭଳି କିଛି ଲକ୍ଷଣ ଅନୁଭବ କରନ୍ତି। ଅବଶିଷ୍ଟ କିଛି ରୋଗୀଙ୍କ କ୍ଷେତ୍ରରେ ପୋଲିଓର ଅତ୍ୟନ୍ତ ଗମ୍ଭୀର ଲକ୍ଷଣ ଥାଇପାରେ, ଯେପରିକି:

  • ପାରେଥେସିଆ - ହାତ ଏବଂ ପାଦରେ ପିନ୍ ବା ଛୁଞ୍ଚି ଫୋଡିବା ପରି ଅନୁଭବ
  • ମେନିଞ୍ଜାଇଟିସ୍ - ମସ୍ତିଷ୍କ ଏବଂ ମେରୁଦଣ୍ଡର ଆବରଣରେ ସଂକ୍ରମଣ
  • ପକ୍ଷାଘାତ - ଗୋଡ, ହାତକୁ ଚଳପ୍ରଚଳ କରିବାର କ୍ଷମତା ହରାଇବା ସହିତ ଶ୍ୱାସକ୍ରିୟା ବେଳେ ମାଂସପେଶୀରେ କଷ୍ଟ ଅନୁଭବ କରିବା।

ଚଳିତ ବର୍ଷର ବିଷୟବସ୍ତୁ:

ପ୍ରତିବର୍ଷ ବିଶ୍ୱ ପୋଲିଓ ଦିବସ ପାଇଁ ଏକ ସ୍ୱତନ୍ତ୍ର ଥିମ୍ ତିଆରି ହୁଏ। ଏଥର ୨୦୨୨ରେ ବିଶ୍ୱ ପୋଲିଓ ଦିବସର ବିଷୟବସ୍ତୁ ହେଉଛି “ମା ଏବଂ ପିଲାଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ”। ଏହାକୁ ଲକ୍ଷରେ ରଖି ଏଥର ବିଶ୍ୱ ପୋଲିଓ ଦିବସ ପାଳନ ହେଉଛି।

OTV is now on Whatsapp

Join and get latest news update delivered to you via whatsapp

Join Now